ଆଜିଠୁ ମାଆ ତାରାତାରିଣୀ ପୀଠରେ ଚୈତ୍ର ପର୍ବ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆଜିଠାରୁ ଆରମ୍ଭ ହୋଇଛି । ଚୈତ୍ର ମାସର ପ୍ରଥମ ମଙ୍ଗଳବାର ହୋଇଥିବାରୁ ପୀଠରେ ଭକ୍ତ ଓ ମାନସିକଧାରୀଙ୍କ ସମାଗମ ହୋଇଛି। ଚୈତ୍ର ପର୍ବ ପାଇଁ ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏ ବର୍ଷ ୫ଟି ମଙ୍ଗଳବାର ଅର୍ଥାତ୍ ମାର୍ଚ୍ଚ ୨୬ ଏପ୍ରିଲ ୨, ୯ ,୧୬ ଓ ୨୩ ତାରିଖ ଦିନ ମାଆଙ୍କ ପୀଠରେ ଚୈତ୍ର ପର୍ବ ଅନୁଷ୍ଠିତ ହେବ । ଚଳିତ ଥର ମାଆଙ୍କ ଦର୍ଶନ ପାଇଁ ବହୁସଂଖ୍ୟକ ଭକ୍ତ ତଥା ମାନସିକଧାରୀଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭକ୍ତମାନଙ୍କ ଯାତାୟତ, ସେମାନଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମୁଣ୍ଡନ ସକାଶେ ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ସୁବ୍ୟବସ୍ଥା କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିରର ସାଜସଜ୍ଜା, ତୋରଣ ନିର୍ମାଣ, ଦୈନିକ ପୂଜାବିଧି, ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା ସହିତ ମୁଣ୍ଡନ ଲାଗି ବିଗତ ବର୍ଷ ଭଳି ଚାରୋଟି ସ୍ଥାନ ସହିତ ଅତିରିକ୍ତ ଅନ୍ୟ ଦୁଇଟି ସ୍ଥାନକୁ ମିଶାଯାଇ ସମୁଦାୟ ୬ ଗୋଟି ସ୍ଥାନ କରାଯାଇଛି।

ଋଷିକୂଲ୍ୟା ନଦୀ କୂଳରେ ଭକ୍ତଗଣ ଯେପରି ସୁବିଧାରେ ସ୍ନାନ କରିବା ସହିତ ଜଳ ଉଠାଇ ପାରିବେ ସେଥିପାଇଁ ଆଲୋକୀକରଣ ଓ ଅନ୍ୟାନ୍ୟ ବନ୍ଦୋବସ୍ତ କରାଯିବ । ଚଳିତ ବର୍ଷ ତିନିଗୋଟି ସ୍ଥାନରେ ଯାନବାହନ ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ । ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଯଥେଷ୍ଟ ପରିମାଣରେ କରାଯିବ । ଅସ୍ଥାୟୀ ପରିସ୍ରାଗାର ନିର୍ମାଣ କରାଯାଇଛି। ଅଗ୍ନିଶମ ନିର୍ବାପକ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସମେତ ଅଂଶୁଘାତ ଚିକିତ୍ସା ନିମନ୍ତେ ନିକଟସ୍ଥ ଚିକିତ୍ସାଳୟରେ ପୂର୍ବ ପ୍ରସ୍ତୁତି କରିବାକୁ କୁହାଯାଇଛି ।

Comments are closed.