ଉତ୍କୃଷ୍ଟ କଳାର ଦେଶ ‘ଉତ୍କଳ’। ଭାଷା ନାହିଁ ତ ଆମର ଜାତି ନାହିଁ? ଉତ୍କଳର କାରୁକାର୍ଯ୍ୟ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା ବିଶ୍ୱବିଦିତ। ଇତିହାସର ପୃଷ୍ଟା ଭିତରେ ଉତ୍କଳୀୟମାନଙ୍କର ବୀରତ୍ୱ, ତ୍ୟାଗ, ଆଦର୍ଶ ଓ ପରଂପରା ଚର୍ଚ୍ଚିତ ବିଶ୍ୱବିଖ୍ୟାତ। ଅତୀତରେ ଆମର ଏହି ଉତ୍କଳ ଥିଲା ଛିନ୍ନମସ୍ତା। ଉତ୍କଳ ବୋଲି ଏକ ନିର୍ଦ୍ଦିଷ୍ଟ ଭୁଖଣ୍ଡ ନଥିଲା। ଉତ୍କଳୀୟମାନଙ୍କର ସ୍ୱତନ୍ତ୍ର ପରିଚୟ ନଥିଲା।
୧୯୩୬ ମସିହା ଏପ୍ରିଲ ମାସ ଥିଲା ଓଡ଼ିଆ ଜାତିପାଇଁ ଏକ ସ୍ମରଣୀୟ ଦିବସ। ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା। ଇତିମଧ୍ୟରେ ୧୯୩୬ରୁ ୨୦୨୪ ଦୀର୍ଘ ୮୮ବର୍ଷ ବିତିଯାଇଛି। ବ୍ୟକ୍ତିହେଉ କିମ୍ବା ଜାତିହେଉ ଆତ୍ମ ପରିଚୟ ହିଁ ତା’ର ନିଜସ୍ୱ ଜୀବନର ମହାର୍ଘପୁଞ୍ଜି। ବିନା ଆତ୍ମ ପରିଚୟରେ କୌଣସି ଜାତି ନିଜକୁ ବିଶ୍ୱଦରବାରରେ ଉପସ୍ଥାପନ କରିପାରିନଥାଏ। ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତି ହିଁ ଉତ୍କଳ ପ୍ରଦେଶର ଏକ ସ୍ୱତନ୍ତ୍ର ପରିଚୟ ବହନ କରିଛି।
ବର୍ଷ ବର୍ଷ ଧରି ପରାଧୀନତାର ଶୃଙ୍ଖଳରେ ବନ୍ଧାହୋଇ ମଧ୍ୟ ଓଡ଼ିଶାବାସୀ ଜାବୁଡ଼ି ଧରିଛନ୍ତି ନିଜର ଭାଷା, ସାହିତ୍ୟ, ସଂସ୍କୃତି ତଥା ପରମ୍ପରାକୁ। ଯେତେ ଗରିବ ହେଲେ ମଧ୍ୟ ଉତ୍କଳର ଗୌରବୋଜ୍ଜ୍ୱଳ ଏøତିହ୍ୟ ଏ ଜାତିର ଆତ୍ମ ଉପ୍ଲବ୍ôଧ ଓ ଆତ୍ମ ପରିଚୟର ସଂଜ୍ଞା ବହନ କରିଆସୁଛି। ଉତ୍କଳ ଦିବସର ମହାନତା ଆଜି ଓଡ଼ିଆ ଜାତିର ଇତିହାସ ଓ ଓଡ଼ିଆ ଜାତିର ପ୍ରାଚୀନ ଗୌରବ ଓ ଆଭିଜାତ୍ୟକୁ ମନେପକାଇ ଦେବା ସଂଗେ ସଂଗେ ଆମର ସ୍ୱାଭିମାନ ଜାଗ୍ରତ କରିବା ପାଇଁ ଅଜସ୍ର ପ୍ରେରଣା ଯୋଗାଇଥାଏ।
ଉତ୍କଳ ଦିବସ ହିଁ ପ୍ରତ୍ୟେକ ଓଡ଼ିଆର ଆତ୍ମବିଶ୍ୱାସର ମାପକାଠି। ଯେଉଁ ମହାନ ଓଡ଼ିଆମାନଙ୍କର ତ୍ୟାଗ, ତପସ୍ୟା ଓ ସାଧନାର ଫଳ ସ୍ୱରୂପ ଓଡ଼ିଶା ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି, ସେମାନଙ୍କୁ ଆଜିର ଏହି ପବିତ୍ର ଦିବସରେ ଭକ୍ତିପୂତ ପ୍ରଣାମ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନପରେ ଭାରତବର୍ଷ ସ୍ୱାଧୀନ ହୋଇଛି। ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଛି ଏହି ଉତ୍କୃଷ୍ଟ ରାଜ୍ୟ ଉତ୍କଳ। ଆଜି ଅବଶ୍ୟ ଅନେକବର୍ଷ ବିତିଗଲାଣି।
ଓଡ଼ିଶାରେ ଅନେକ ପ୍ରଗତିମୂଳକ କାର୍ଯ୍ୟ ହୋଇଛି। ଗରୀବଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି। ଆହୁରି ଅନେକ ସମସ୍ୟା ମଧ୍ୟ ରହିଛି। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, କଳା, ସଂସ୍କୃତି ତଥା ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଅନେକ ବାଟ ଆଗେଇ ଯାଇଛି। ତଥାପି ଓଡ଼ିଶା ଏକ ଗରୀବ ରାଜ୍ୟର ପରିଚୟ ବହନ କରିଆସୁଛି। ଛିନ୍ନ ବିଚ୍ଛିନ୍ନ ଉତ୍କଳର ଏକତ୍ରିକରଣ ପାଇଁ ଗଠନ କରାଯାଇଥିଲା ଉତ୍କଳ ସମ୍ମିଳନୀ।
ଏତିକି ବେଳେ ମଧୁସୂଦନ ଦାସ ଲେଖିଥିଲେ –
ଏହି ସମ୍ମିଳନୀ ଜାତି ପ୍ରାଣ ବିନ୍ଦୁ
କୋଟି ପ୍ରାଣବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ
ଡ଼େଇଁ ପଡ଼ି ସିନ୍ଧୁ ନୀରେ
ସେହିପରି ଗୋପବଂଧୁ ମଧ୍ୟ କବିତାରେ ଲେଖିଥିଲେ-
ମିଶୁମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଳି ଯାଆନ୍ତୁ ପିଠିରେ
ପ୍ରତି ରକ୍ତବିନ୍ଦୁରେ ଦେଶ ପ୍ରେମର ଭାବ ଜାଗ୍ରତ କରାଏ। ମଧୁସୂଦନ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, କୃଷ୍ଣ ଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ, ଗୋପବଂଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, କର୍ମବୀର ଗୌରୀଶଙ୍କର, ସ୍ୱଭାବ କବି ଗଙ୍ଗାଧର ମେହେର ତଥା ଉତ୍କଳ କେଶରୀ ମହତାବଙ୍କର ନିଷ୍ଠାପର ସାଧନା ତଥା ଉଦ୍ୟମରେ ଉତ୍କଳ ଆଜି ତା’ର ଏକ ସ୍ମିତି ପାଇପାରିଛି।
ଆଜି ବି ଆମକୁ ଉଦ୍ବୁଦ୍ଧ କରାଏ ସେହି କାଳଜୟୀ ପଦ-
ମାତୃଭୂମି ମାତୃଭାଷାର ମମତା
ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନି ଗୁଣିରେ ଗଣିବା
ଓଡ଼ିଆ ରହିବେ ନାହିଁ ( ଗଙ୍ଗାଧର ମେହେର)
ଆଜି ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଆନ୍ଧ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ମଧ୍ୟରେ ମିଶି ରହିଛି। ଯାହାକୁ ଏକତ୍ରିକରଣ କରାଯାଇପାରୁ ନାହିଁ। ଫଳରେ ପୂର୍ଣ୍ଣାଙ୍ଗ ଉତ୍କଳ ଗଠନର ସ୍ୱପ୍ନ ସତେ ଯେପରି ଆଜି ଅଧୁରା ରହିଯାଇଛି। ତଥାପି ଆଜି ପ୍ରବାସୀ ଓଡ଼ିଆମାନେ ଓଡ଼ିଆଭାଷା ଓ ସଂସ୍କୃତିକୁ ନିଜର ବୋଲି ଭାବିବା ସଂଗେସଂଗେ ନିଜକୁ ଓଡ଼ିଆ ବୋଲି ଭାବି ଗର୍ବ କରନ୍ତି। ବନ୍ଦେ ଉତ୍କଳ ଜନନୀ।
Comments are closed.