ଆୟକର ନୋଟିସ୍ ମାମଲାରେ କଂଗ୍ରେସକୁ ସାମୟିକ ଆଶ୍ବସ୍ତି, ନିର୍ବାଚନ ସମୟରେ ହେବନି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆୟକର ବିଭାଗ ନୋଟିସ୍ ମାମଲାରେ କଂଗ୍ରେସକୁ ସାମୟିକ ଆଶ୍ବସ୍ତି ମିଳିଛି । ଲୋକସଭା ନିର୍ବାଚନ ଦୃଷ୍ଟିରୁ ପ୍ରାୟ ୩୫୦୦ କୋଟି କର ଆଦାୟ ନୋଟିସ୍ ମାମଲାରେ କଂଗ୍ରେସ ବିରୋଧରେ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟଙ୍କୁ କହିଛି ଆୟକର ବିଭାଗ । ଆୟକର ବିଭାଗର ନୋଟିସ୍ ବିରୋଧରେ କଂଗ୍ରେସର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା ।

ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କ ଏକ ଖଣ୍ଡପୀଠ ଆୟକର ବିଭାଗର ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ବୟାନ ରେକର୍ଡ କରିଛି । ମେହେଟ୍ଟା କହିଛନ୍ତି, ଏହି ମାମଲାରେ ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ବର୍ତ୍ତମାନର ପରିସ୍ଥିତିରେ କଂଗ୍ରେସ ବିରୋଧରେ କୌଣସି ତତ୍କାଳ ଆକ୍ସନ ନିଆଯିବ ନାହିଁ।କଂଗ୍ରେସ ଏକ ରାଜନୈତିକ ଦଳ । ଯେହେତୁ ନିର୍ବାଚନ (ନିର୍ବାଚନ ପ୍ରକ୍ରିୟା) ଚାଲିଛି, ଆମେ ଦଳ ବିରୋଧରେ କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ।

ଆୟକର ନୋଟିସ୍ ବିରୋଧରେ କଂଗ୍ରେସର ଆବେଦନ ଉପରେ ଶୁଣାଣି ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

କଂଗ୍ରେସ ରବିବାର କହିଥିଲା ଯେ ଆୟକର ବିଭାଗ ତରଫରୁ ଦଳକୁ ଏକ ନୂଆ ନୋଟିସ୍ ମିଳିଛି, ଯାହା ଜରିଆରେ ୨୦୧୪-୧୫ ରୁ ୨୦୧୬-୧୭ ବର୍ଷ ପାଇଁ ୧,୭୪୫ କୋଟିର ଟ୍ୟାକ୍ସ ପୈଠ କରିବାକୁ କୁହାଯାଇଛି। ତା’ପୂର୍ବରୁ ଶୁକ୍ରବାର ୧,୮୨୪ କୋଟି ନୋଟିସ୍ ମିଳିଥିଲା। ଆୟକର ବିଭାଗ ଏପର୍ଯ୍ୟନ୍ତ କଂଗ୍ରେସ ଠାରୁ ମୋଟ ୩,୫୬୭ କୋଟି ଟଙ୍କା ଟ୍ୟାକ୍ସ ଦାବି କରିଛି। ଏହାଛଡ଼ା ଗତ ବର୍ଷର ଅନାଦେୟ ଟିକସ ବାବଦକୁ ଆୟକର କର୍ତ୍ତୃପକ୍ଷ କଂଗ୍ରେସ ଆକାଉଣ୍ଟରୁ ୧୩୫ କୋଟି ଟଙ୍କା କାଟି ନେଇଛି ବୋଲି ଦଳ ଦାବି କହିଥିଲା ।

Comments are closed.