ଡହଡହ ଖରାରେ ଅସ୍ତବ୍ୟସ୍ତ ଓଡ଼ିଶା: ୮ଟି ସହରରେ ୪୦ ଛୁଇଁଲା ପାରଦ, ଝାରସୁଗୁଡ଼ା ଓ ବାରିପଦା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହେଉଛି ଓଡ଼ିଶା । ୨୪ ଘଣ୍ଟାର ବିରତି ପରେ ରାଜ୍ୟରେ ପୁଣି ବଢ଼ିଛି ତାତି । ଆଜି ୮ଟି ସହରରେ ତାତି ୪୦ ଡ଼ିଗ୍ରୀ ଛୁଇଁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଝାରସୁଗୁଡା ଏବଂ ବାରିପଦାରେ ଦିନର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବଲାଙ୍ଗୀରରେ ତାପମାତ୍ରା ୪୦.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟଲାଗଡରେ ପାରଦ ୪୦ ଡିଗ୍ରୀ ସେଲସିୟସ ଛୁଇଁଛି। ଆଜି ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଏଣେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମ ପ୍ରବାହ ଅବଧି ପୂର୍ବାନୁମାନ କରାଯାଇଛି। ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏପ୍ରିଲ ମାସରେ ହାରାହାରି ୧ ରୁ ୩ ଦିନ ଗ୍ରୀଷ୍ମ ପ୍ରବାହର ଅବଧି ରହୁଥିବା ବେଳେ ଚଳିତ ବର୍ଷ ୩ ରୁ ୮ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ସେହିପରି ଏପ୍ରିଲ ରୁ ଜୁନ୍ ମଧ୍ୟରେ ସ୍ୱାଭାବିକ ତୁଳନାରେ ୬ ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହର ଅବଧି ଅନୁଭୂତ ହେବାର ସମ୍ଭାବନା ରହିଛି |

Comments are closed.