ଓଡ଼ିଶା ଅବକାରୀ କମିଶନରଙ୍କ ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ଆନ୍ତଃରାଜ୍ୟ ସୀମା ସହଯୋଗ ବୈଠକ

ଭୁବନେଶ୍ୱର – ଓଡ଼ିଶାର ଅବକାରୀ କମିଶନର ନରସିଂହ ଭୋଳ ଆଜି ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ଆନ୍ତଃରାଜ୍ୟ ସୀମା ସହଯୋଗ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗର ଅବକାରୀ କମିଶନର କୌଶିକ ଭଟ୍ଟାଚାର୍ଯ୍ୟ, ଛତିଶଗଡ଼ର ଅବକାରୀ ସଚିବ ତଥା କମିଶନର ଆର. ସଙ୍ଗୀତା ଯୋଗ ଦେଇଥିଲେ । ପଶ୍ଚିମବଙ୍ଗର ସ୍ବତନ୍ତ୍ର ଅବକାରୀ କମିଶନର, ଯୁଗ୍ମ କମିଶନର, ନୀତି, ଏନଫୋର୍ସମେଣ୍ଟ, ସମ୍ବଲପୁର ଓ ବ୍ରହ୍ମପୁରର ଉପ ଅବକାରୀ କମିଶନର, ବସ୍ତର ଓ ମହାସମୁଦର ଉପ ଅବକାରୀ କମିଶନର ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ଏହି ଆଲୋଚନାରେ ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ଅବକାରୀ ଅଧୀକ୍ଷକଙ୍କ ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଆଗାମୀ ଲୋକସଭା ଓ ବିଧାନସଭାର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳରେ ମିଳିତ ଚଢଉ, ବେଆଇନ ଚାଲାଣର ମାର୍ଗ ଚିହ୍ନଟ, ଗୁଇନ୍ଦା ସୂଚନା ଆଦାନ ପ୍ରଦାନ, ସୀମାନ୍ତ ଜିଲ୍ଲାର ଅବକାରୀ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଏବଂ ଆନ୍ତଃରାଜ୍ୟ ସୀମାର ଉଭୟ ପାର୍ଶ୍ୱରେ ଥିବା ଚେକ୍ ପୋଷ୍ଟଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଅଧିକାରୀମାନଙ୍କୁ ହ୍ଵାଟ୍ସଆପ୍ ଗ୍ରୁପ୍ ଗଠନ କରି ଅପରାଧୀଙ୍କୁ ଧରିବା ପାଇଁ ଗୁଇନ୍ଦା ସୂଚନା ପ୍ରଦାନ କରିବା ସହ ଯାନବାହନ ଯାଞ୍ଚ ଏବଂ ସୀମାନ୍ତ ଅଞ୍ଚଳରେ ମିଳିତ ଚଢଉ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଛତିଶଗଡ ଅବକାରୀ କମିଶନର ଆର. ସଙ୍ଗୀତା ଅବକାରୀ ଅଧିକାରୀମାନଙ୍କୁ ମିଳିତ ଚଢ଼ାଉ ଏବଂ ମଦ ଓ ନିଶା ଦ୍ରବ୍ୟ ଚୋରା ଚାଲାଣ ରୋକିବା ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୀମାରେ ଥିବା ଆନ୍ତଃରାଜ୍ୟ ସୀମା ଅବକାରୀ ଚେକ୍ ପୋଷ୍ଟର କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଆବଶ୍ୟକସ୍ଥଳେ ଅତିରିକ୍ତ ଚେକ୍ ପୋଷ୍ଟ ପ୍ରତିଷ୍ଠା କରାଯାଉ ବୋଲି ୩ଟି ରାଜ୍ୟର ଅବକାରୀ କମିଶନର ମତ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସୀମାରେ ଓଡ଼ିଶା ପାର୍ଶ୍ୱରେ ୫ଟି ଅବକାରୀ ଚେକ୍ ପୋଷ୍ଟ କାର୍ଯ୍ୟ କରୁଛି। ସେହିପରି ପଶ୍ଚିମବଙ୍ଗ ପାର୍ଶ୍ୱରେ ୫ଟି ଚେକ୍ ପୋଷ୍ଟ କାର୍ଯ୍ୟ କରୁଛି। ଛତିଶଗଡ଼ର ୧୧ଟି ଚେକ୍ ପୋଷ୍ଟ ଥିବା ବେଳେ ଛତିଶଗଡ଼ ସୀମାନ୍ତ ଓଡ଼ିଶାରେ ୧୭ଟି ଚେକ୍ ପୋଷ୍ଟ କାର୍ଯ୍ୟ କରୁଛି।

ପଶ୍ଚିମବଙ୍ଗ ଅବକାରୀ କମିଶନର କୌଶିକ ଭଟ୍ଟାଚାର୍ଯ୍ୟଙ୍କୁ ବେଆଇନ ମଦ ଓ ବେଆଇନ ବ୍ରାଉନସୁଗାର କାରବାରର କିଙ୍ଗପିନମାନଙ୍କୁ ଧରିବା ପାଇଁ ଚଢ଼ାଉ କରିବାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା ଏବଂ ପଶ୍ଚିମବଙ୍ଗର ଅବକାରୀ ଅଧିକାରୀମାନେ ଓଡ଼ିଶାରେ ଚଢ଼ାଉ କରିବାକୁ ହେଲେ ସୀମାନ୍ତବର୍ତ୍ତୀ ଜିଲ୍ଲା ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଅବକାରୀ ଅଧିକାରୀମାନେ ସମାନ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଆନ୍ତଃରାଜ୍ୟ ସୀମା ଚେକ୍ ପୋଷ୍ଟରେ ଚେକିଂ ବେଳେ; ୨,୯୪,୫୦,୦୦୦/- ଟଙ୍କା ମୂଲ୍ୟର ୧୪,୬୦,୦୭୮ ଲିଟର ମଦ, ୮୫,୭୦,୦୦୦/- ଟଙ୍କା ମୂଲ୍ୟର ୮୫୭ କିଲୋ ଗଞ୍ଜେଇ ଏବଂ ୧୭୮ ଟି ଗାଡ଼ିକୁ ଓଡ଼ିଶାର ଅବକାରୀ ଅଧିକାରୀମାନେ ଜବତ କରିଛନ୍ତି।

ବୈଠକ ଶେଷରେ ଅବକାରୀ କମିଶନର ନରସିଂହ ଭୋଳ ଛତିଶଗଡ଼ ଓ ପଶ୍ଚିମବଙ୍ଗର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ନିର୍ବାଚନ ସମୟରେ ତିନି ରାଜ୍ୟର ଅବକାରୀ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଆଶା କରିଥିଲେ।

Comments are closed.