ରମ୍ଭା ରାଜପ୍ରାସାଦର ନବକଳେବର

ଛତ୍ରପୁର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସଂଗ୍ରାମରେ ଗଞ୍ଜାମ ଜିଲ୍ଲା ରମ୍ଭା  ରାଜପ୍ରାସାଦର ଭୂମିକା ଅବିସ୍ମରଣୀୟ। ଏଇଠୁ ହିଁ ପଡ଼ିଥିଲା ଭାଷାଭିତ୍ତିକ ଏକ ସ୍ବତନ୍ତ୍ର ରାଜ୍ୟ ଗଠନ ଆନ୍ଦୋଳନର ମୂଳଦୁଆ। ଉତ୍କଳ ସମ୍ମିଳନୀର ପ୍ରଥମ ବୈଠକ ଏହି ରାଜଉଆସରେ ଆୟୋଜିତ ହୋଇ ରଣନୀତି ନିର୍ଦ୍ଧାରଣ କରାଯାଇ ଥିଲା। ଆଉ ଯେତେବେଳେ ସାରା ରାଜ୍ୟ ୮୯ତମ ଉତ୍କଳ ଦିବସ ପାଳିଛି , ସେତେବେଳେ ଏହି ଐତିହ୍ୟସମ୍ପନ୍ନ ରାଜବାଟୀର ନବକଳେବର ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆମ ରାଜ୍ୟର ଇତିହାସ ସହ ଜଡ଼ିତ ଏହି ସ୍ଥାନର ନୂଆ ରୂପକୁ ଭର୍ଚୁଆଲରେ ଉଦ୍‌ଘାଟନ କରାଯାଇଛି। ଏହାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ- ଓଡ଼ିଶାର ଗୌରବମୟ ଇତିହାସରେ ରମ୍ଭା ରାଜପ୍ରାସାଦର ସ୍ବତନ୍ତ୍ର ସ୍ଥାନ ରହିଛି। ଏହା ଏବେ ନୂଆ ରୂପ ପାଇଛି। ଏହି ରାଜପ୍ରସାଦ ସ୍ବାଧୀନତା ସଂଗ୍ରାମ ସହିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପର୍ଯ୍ୟନ୍ତ ଆମ ରାଜ୍ୟର ଅସ୍ମିତା ଓ ସ୍ବାଭିମାନର ସାକ୍ଷୀ ରହିଛି।

ଏମିତି ତ ରାଜ୍ୟରେ ଅନେକ ରାଜପ୍ରାସାଦ ତଥା ଦୁର୍ଗ ରହିଛି। ହେଲେ ଇତିହାସରେ ଚର୍ଚ୍ଚିତ ଅନ୍ୟତମ ପ୍ରସିଦ୍ଧ ରାଜବାଟୀ ରମ୍ଭା ପ୍ୟାଲେସକୁ ନବକଳେବର କରିଛନ୍ତି ରାଜ୍ୟ ସରକାର। ରାଜଉଆସର ପୁନରୁଦ୍ଧାରକୁ ରୂପ ଦେଇଛନ୍ତି ଦେଶର ପ୍ରସିଦ୍ଧ ସ୍ଥପତି ସି.ଦାସଟ୍ଟେ। କେବଳ ଯେ କୋଠା ନୁହେଁ, ଏଥିସହ ଏହା ପରିସରରେ ଥିବା ପାହାଚ, କାଠର କବାଟ ଓ ଝରକା ସମେତ କଳାକୃତି ସାଙ୍ଗକୁ ଜଳଫୁଆରା ଏବଂ ବିଶେଷ କରି ଶତାଧିକ ବର୍ଷ ପୁରୁଣା ବିଲିଆର୍ଡସ୍ ଟେବୁଲ ମଧ୍ୟ ନୂଆ ରୂପରେ ସଜ୍ଜିତ କରାଯାଇଛି। ପ୍ରକାଶଥାଉକି ୧୭୯୧- ୯୨ ମସିହାରେ ନିର୍ମିତ ଏହି ରାଜପ୍ରସାଦ ଏବେବି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି। ଏହି ରାଜପ୍ରସାଦ ଓଡ଼ିଶାର ଇତିହାସ ଓ ଭବିଷ୍ୟତ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ମରଣୀୟ କୀର୍ତ୍ତିସ୍ତମ୍ଭ ହୋଇ ରହିବ ଯେଉଁଥିରେ ଆମ ରାଜ୍ୟର ସାଂସ୍କୃତିକ ବିବିଧତାର ସୁନ୍ଦର ଝଲକ ଦେଖିହେବ। ରମ୍ଭା ରାଜଉଆସ ନିକଟରେ ରହିଛି ମହାଦେଶର ସର୍ବବୃହତ ଲୁଣିଆ ଜଳର ଚିଲିକା ହ୍ରଦ। ଏହାର ଜୈବ ବିବିଧତା, ଦେଶୀ ଓ ବିଦେଶୀ ପକ୍ଷୀଙ୍କ କୋଳାହଳ ମଧ୍ୟ ପ୍ରକୃତିପ୍ରେମୀ, ଟୁରିଷ୍ଟଙ୍କୁ ଆକୃଷ୍ଟ କରିବା ସ୍ୱାଭାବିକ। ଫଳରେ ଆଗାମୀ ଦିନରେ ରମ୍ଭାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ଆଶା କରାଯାଉଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ଭାଷଣରେ ଓଡ଼ିଶା ସମେତ ସମଗ୍ର ଦେଶ ତଥା ଦେଶ ବାହାରର ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ନିମନ୍ତ୍ରଣ କରୁଛି ବୋଲି ଉଲ୍ଲେଖ କରିଛନ୍ତି।

Comments are closed.