ବ୍ରହ୍ମପୁର: ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରି ୯ ସ୍ବେଛାସେବୀ ପୁରସ୍କୃତ

ବ୍ରହ୍ମପୁର: ସେମାନେ ବିପଦର ମୁହୂର୍ତ୍ତରେ ସାଜିଥିଲେ ଜୀବନ ରକ୍ଷକ। ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଜୀବନ- ମୃତ୍ୟୁ ସଂଘର୍ଷ କରୁଥିବା ବେଳେ ଏଇ ମାନବରୂପୀ ଦେବଦୂତମାନେ ପହଞ୍ଚି କେବଳ ଯେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିଥିଲେ ତା ନୁହେଁ, ଏଥିସହ‌ ନିଜ ସମୟ, ସମ୍ବଳ ଓ ଶକ୍ତି ବ୍ୟୟ କରି ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିଥିଲେ। ଅନ୍ୟମାନେ କିଂକର୍ତ୍ତବ୍ୟବିମୁଢ ହୋଇ ଚାହିଁ ରହିଥିଲା ବେଳେ ଏମାନେ କିନ୍ତୁ ନିଜ ଆଡୁ ଆଗେଇ ଆସି ସହାୟତା କରିଥିଲେ। ପୋଲିସ ଜେରା କିମ୍ବା ଅନ୍ୟ ଝାମେଲା ଅପେକ୍ଷା ଏମାନେ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାକୁ ଅଧିକ ଗୁରୁତ୍ଵ ଦେଇଥିଲେ। ଫଳରେ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସଫଳତା ମିଳିଥିଲା। ଏଭଳି ମହତ୍ କାର୍ଯ୍ୟ କରିଥିବା ସ୍ବେଚ୍ଛାସେବୀ (ଗୁଡ୍ ସାମାରିଟାନ୍) ମାନଙ୍କୁ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ପୁରସ୍କୃତ କରିଛନ୍ତି। ସେମାନଙ୍କ ମାନବୀୟ ବିଚାରବୋଧକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ବ୍ୟାପକ ସଚେତନତା ସତ୍ତ୍ବେ ଦିନକୁ ଦିନ ବଢୁଥିବା ଦୁର୍ଘଟଣା ଲାଗି ଧନଜୀବନ ହାନି ହେଉଛି। ଲୋକେ ନିଜ ଆତ୍ମୀୟ ସ୍ୱଜନ, ସମ୍ପର୍କୀୟ ତଥା ପରିବାରଲୋକଙ୍କୁ ହରାଇ ବେଶ୍ ଦୁଃଖ ଯନ୍ତ୍ରଣା ଭୋଗିଥାନ୍ତି। ଏଭଳି ପରିସ୍ଥିତିରେ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେଉଥିବା ସ୍ବେଛାସେବୀଙ୍କ ଉତ୍ସାହିତ କରିବା ସହ ଆର୍ଥିକ ପ୍ରୋତ୍ସାହନ ଦେବା ନେଇ ପରିବହନ ବିଭାଗ ପ୍ରଚଳନ କରିଛି ଏକ ଯୋଜନା- ଗୁଡ୍ ସାମାରିଟାନ୍ସ। ଏଥି ଅନ୍ତର୍ଗତ ମଙ୍ଗଳବାର ବ୍ରହ୍ମପୁର ପୋଲିସ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ। ୯ ଜଣ ଏଭଳି ଗୁଡ୍ ସାମାରିଟାନ୍ସଙ୍କୁ ବ୍ରହ୍ମପୁର ଏସପି ମାନପତ୍ର ସହ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆରଟିଓ ମାନସ ରଞ୍ଜନ ସାହୁ ମଧ୍ୟ ଉପସ୍ଥିତ ଥିଲେ।

Comments are closed.