ପ୍ରଥମ ଥର ପାଇଁ ଏସସିବିରେ ହେଲା ଯକୃତ ପ୍ରତିରୋପଣ, ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ଦାନ କଲେ ଯକୃତ

କଟକ – ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପ୍ରଥମ ଥର ପାଇଁ ହେଲା ଯକୃତ ପ୍ରତିରୋପଣ। ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ଦାନ କଲେ ନିଜର ଯକୃତ । ଆଉ ଏହି ଯକୃତ ପ୍ରତିରୋପଣ ଅସ୍ତ୍ରୋପଚାର ଏସସିବିରେ ସଫଳତାର ସହ କରାଯାଇଛି। ଏସସିବି ଇତିହାସରେ ପ୍ରଥମ ଥର ପାଇଁ ଲିଭର ବା ଯକୃତ ପ୍ରତିରୋପଣ କରାଯାଇଛି । ତିଗିରିଆର ଜଣେ ରୋଗୀଙ୍କଠାରେ ସଫଳତାର ସହ ଲିଭର ପ୍ରତିରୋପଣ ହୋଇଛି । ତିଗିରିଆର ୪୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ଦୀର୍ଘ ୬ ବର୍ଷ ହେଲା ଲିଭର ସମସ୍ୟା ରହିଥିଲା । ବଞ୍ଚିବା ପାଇଁ ତାଙ୍କ ଲିଭର ପ୍ରତିରୋପଣ ନିହାତି ଆବଶ୍ୟକ ଥିଲା । ସେ ଦେଢମାସ ହେବ ଏସସିବିରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଏସସିବିରେ ଲିଭର ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତାଙ୍କ ପତ୍ନୀ ଲିଭର ଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏଥିପାଇଁ ୬ ମାସ ହେବ ସରକାରୀ ସ୍ତରରେ କାଗଜପତ୍ର ପ୍ରସ୍ତୁତି ଚାଲିଥିଲା । ଲିଭର ପ୍ରତିରୋପଣ ପାଇଁ ଅଥରାଇଜେସନ୍ କମିଟିର ଅନୁମୋଦନ ପରେ ଗତ ମାସରୁ ରୋଗୀ ଜଣଙ୍କ ଏସସିବି ହେପାଟୋଲୋଜି ବିଭାଗରେ ଭର୍ତ୍ତି ହୋଇଥିଲେ । ଗତକାଲି ସକାଳ ସାଢେ ୭ଟାରୁ ଅପରାହଣ ୪ଟା ପର୍ଯ୍ୟନ୍ତ ଉଭୟଙ୍କ ଅସ୍ତ୍ରୋପଚାର କରାଯାଇ ଲିଭର ପ୍ରତିରୋପଣ କରାଯାଇଛି । ଦୀର୍ଘ ୧୦ ଘଣ୍ଟାର ଅପରେସନ୍ ପରେ ସଫଳତାର ସହ ଲିଭର ପ୍ରତିରୋପଣ କରାଯାଇଛି ।

Comments are closed.