ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି: ଗଞ୍ଜାମରେ ୩୦୭୭ ବୁଥ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମୋଟ ୩୦୭୭ଟି ଭୋଟ ଗ୍ରହଣ ବୁଥ୍ ସ୍ଥାପନ କରାଯିବ। ଅତିରିକ୍ତ ୧୦ଟି ବୁଥ୍ ମଧ୍ୟ ଖୋଲାଯିବ। ସହରାଞ୍ଚଳରେ ୪୧୫ଟି ଏବଂ ଗ୍ରାମାଞ୍ଚଳରେ ୨୬୬୨ଟି ବୁଥ୍ ଖୋଲିବ। ଜିଲ୍ଲାରେ ସମୁଦାୟ ୩୯୮ଟି ମହିଳା ବୁଥ୍, ୨୬ଟି ଯୁବ ଭୋଟରଙ୍କ ସକାଶେ ଉଦ୍ଦିଷ୍ଟ ସଖି ବୁଥ୍, ୧୩ଟି ଭିନ୍ନକ୍ଷମ ବୁଥ୍, ୩୯ଟି ପୁରୁଷ ପରିଚାଳନା ବୁଥ୍, ୧୩ଟି ଇକୋ ଫ୍ରେଣ୍ଡଲୀ ବୁଥ୍, ୧୨୬ଟି ଅନ୍ୟ ମଡେଲ ବୁଥ୍ ତଥା ମୋଟରେ ୬୧୫ଟି ଅତ୍ୟାଧୁନିକ ବୁଥ୍ ବ୍ୟବସ୍ଥା କରାଯିବ। ସମସ୍ତ ବୁଥରେ ନିର୍ବାଚନ ଯେଭଳି ଶାନ୍ତିଶୃଙ୍ଖଳା ରକ୍ଷା କରି ପରିଚାଳିତ ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆରଡିସି ରଞ୍ଜନ କୁମାର ଦାସ। ସାଧାରଣ ନିର୍ବାଚନ ଯେଭଳି ଅବାଧ ରୂପେ ସମ୍ପନ୍ନ ହେବ ସେହି ଦିଗରେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରିବା ତଥା ମତଦାତାଗଣ ବିନା ଦ୍ବିଧାରେ ଶାନ୍ତିଶୃଙ୍ଖଳାର ସହିତ ନିଜର ବହୁମୂଲ୍ୟ ମତଦାନ ଅଧିକାର ସାବ୍ୟସ୍ତ କରିବେ ସେହି ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ସେ।

ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ହୋଇଥିବା ସମୀକ୍ଷା ବୈଠକରେ ଆରଡିସି ଅଧ୍ୟକ୍ଷତା କରିଥିଲେ। ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତଗିର ମଞ୍ଚାସୀନ ଥିଲେ। ଗଞ୍ଜାମ ଜିଲ୍ଲାର ସମସ୍ତ ୧୩ଟି ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ସମେତ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ। ୨୦୨୧ ଜନଗଣନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଜନସଂଖ୍ୟା ୩୫,୨୯,୦୩୧ ଥିବା ବେଳେ ୨୦୨୪ ଅନୁସାରେ ତାହା ୩୯,୪୮,୩୬୦କୁ ବୃଦ୍ଧି ପାଇଛି। ଗତ ଜାନୁଆରୀ ମାସରେ ପ୍ରକାଶିତ ତାଲିକା ଅନୁଯାୟୀ ଜିଲ୍ଲାରେ ସମୁଦାୟ ୨୮,୪୬,୦୧୬ ଭୋଟର ଅଛନ୍ତି। ତନ୍ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧୫,୨୦,୧୨୯ ଏବଂ ମହିଳାଙ୍କ ସଂଖ୍ୟା ୧୪,୨୫,୬୧୪ ତଥା ତୃତୀୟ ଲିଙ୍ଗ ଭୋଟର ୨୭୩ ଜଣ ଅଛନ୍ତି। ଗୋଟିଏ ଭୋଟ୍ ଗ୍ରହଣ କେନ୍ଦ୍ରରେ ପ୍ରାୟ ୯୪୩ ଜଣ ମତଦାତା ଭୋଟ ଦେବାର ବ୍ୟବସ୍ଥା କରାଯାଇଛି।

ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପରିଚାଳନା ନିମନ୍ତେ ୮ ଜଣ ନିର୍ବାଚନ ଅଧିକାରୀ, ୨୬ ଜଣ ସହକାରୀ ନିର୍ବାଚନ ଅଧିକାରୀ, ୧୩ ଜଣ ଅତିରିକ୍ତ ନିର୍ବାଚନ ଅଧିକାରୀ, ୭୫ ଜଣ ସହାୟକ ଅତିରିକ୍ତ ନିର୍ବାଚନ ଅଧିକାରୀ, ୧୬ ଜଣ ଜିଲ୍ଲା ନୋଡାଲ୍ ଅଧିକାରୀ, ୩୭୯ ଜଣ ସେକ୍ଟର୍ ଅଧିକାରୀ, ୧୪୫ ଜଣ ମାଇକ୍ରୋ ଅବଜର୍ଭର୍, ୩୬୯୨ ଜଣ ପ୍ରିଜାଇଡିଂ ଅଧିକାରୀ, ୧୮୪୬୦ ଜଣ ପୋଲିଂ ଅଧିକାରୀ ଏବଂ ୩୦୭୭ ଜଣ ବୁଥସ୍ତରୀୟ ଅଧିକାରୀ ସମ୍ପୂର୍ଣ୍ଣ ନିର୍ବାଚନ ପରିଚାଳନା ସକାଶେ ପ୍ରସ୍ତୁତ ଥିବା ଜଣାପଡିଛି।

Comments are closed.