ଦଣ୍ଡନାଚ ଚାଲିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ 

ଫୁଲବାଣୀ – ଦଣ୍ଡ ନାଚ ଚାଲିଥିଲା ବେଳେ ଅଘଟଣ । ନାଚ ଚାଲିଥିବା ବେଳେ ବର୍ଷା ହେବାରୁ ଓଦା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଖଜୁରୀପଡା ଅଂଚଳରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ଖଜୁରୀପଡା ଥାନା ସୁଦୃକୁମ୍ପା ଫାଣ୍ଡି ଅନ୍ତର୍ଗତ ଦଳପଡ଼ା ଗାଁରେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର କୋଡିଏରୁ ପଚିଶ ଜଣ ଦଣ୍ଡୁଆ ଦଣ୍ଡ ନାଚ ପରିବେଷଣ କରୁଥିଲେ I ସୋମବାର ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷାପବନ ହୋଇଥିଲା I ଯାହାଫଳରେ କିଛି ସମୟ ଦଣ୍ଡ ନାଚ ବନ୍ଦ ହୋଇଥିଲା I ଏହି ସମୟରେ ସେହି ଦଣ୍ଡୁଆ ମାନଙ୍କ ମଧ୍ୟରୁ ଜଣେ ଦଣ୍ଡୁଆ ବର୍ଷାରେ ଓଦା ହୋଇଯାଇଥିବା ବିଦ୍ୟୁତ ତାରକୁ ଖୋଲିବାକୁ ଯାଇଥିଲେ । ବିଦ୍ୟୁତ ପ୍ରବାହିତ ହେଉଥିବା ତାର ସଂସ୍ପର୍ଶରେ ଆସି ଦଣ୍ଡୁଆ ଜଣକ ଅଚେତ ହୋଇତଳେ ପଡିଯାଇଥିଲେ I ପରେ ଅନ୍ୟଦଣ୍ଡୁଆ ମାନଙ୍କ ସହ ଗ୍ରାମବାସୀ ଏକ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଦଣ୍ଡୁଆ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ I ମୃତ ଦଣ୍ଡୁଆ ଜଣକଙ୍କର ନାମ ପ୍ରଭାତ କହଁର ବୋଲି ଜଣାପଡ଼ିଛି । ସେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର ବାସିନ୍ଦା। ଖବର ପାଇଁ ଖଜୁରୀପଡା ପୋଲିସ ଦୁର୍ଘଟଣା ଜନିତ ଏକ ମୃତ୍ୟୁ ମାମଲା ରୁଜୁ କରି ଦଦନ୍ତ ଜାରି ରଖିଥିବା ଜଣାପଡିଛି I

Comments are closed.