ତିନି ଦଳର ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଅସମ୍ପୂର୍ଣ୍ଣ : ବହୁ ପଛରେ ପଡିଛି କଂଗ୍ରେସ, କର୍ମୀ ମହଲରେ ନୈରାଶ୍ୟ

ଭୁବନେଶ୍ୱର – ରାଜ୍ୟରେ ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ପାଇଁ ଧୀରେ ଧୀରେ ବାତାବରଣ ସରଗରମ ହେବାରେ ଲାଗିଛି। ଟିକେଟ ପାଇଥିବା ତିନି ପ୍ରମୁଖ ଦଳର ନେତାମାନେ ପ୍ରଚାର ମଇଦାନକୁ ବି ଓହ୍ଲାଇଲେଣି । କିନ୍ତୁ ତିନି ଦଳର ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଏ ଯାଏଁ ସଂପୂର୍ଣ୍ଣ ହୋଇପାରିନାହିଁ। ବିଜେଡି ଗୋଟିଏ ଲୋକସଭା ଆସନ ଓ ୩୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୩୫ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବିଳମ୍ବିତ କରିଛି । ତେବେ, ଏ ଦିଗରେ ଦୁଇ ଦଳଠାରୁ ବହୁ ପଛରେ ପଡିଛି କଂଗ୍ରେସ। ଗ୍ରାଣ୍ଡ ଓଲ୍ଡ ପାର୍ଟି ଏଯାବତ ମାତ୍ର ୪୯ଟି ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଉଭୟ ବିଜେପି ଓ କଂଗ୍ରେସର କାହିଁକି ଟିକେଟ୍ ଘୋଷଣାରେ ବିଳମ୍ବ କରୁଛନ୍ତି, ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି । ଉଭୟ ଦଳରୁ ଅଧିକ ମାତ୍ରାରେ ନେତାଙ୍କ ପଳାୟନ ପ୍ରାର୍ଥୀ ଘୋଷଣା ବିଳମ୍ବର ପ୍ରମୁଖ କାରଣ ବୋଲି କୁହାଯାଉଛି।

ଅନ୍ୟପଟେ ଅସନ୍ତୁଷ୍ଟ ଓ ବିଦ୍ରୋହୀ ନେତାଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଟିକେଟ ଆଶାୟୀଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ। କିନ୍ତୁ ପ୍ରାର୍ଥୀ ଘୋଷଣାରେ ଅହେତୁକ ବିଳମ୍ବ କରିଛି କଂଗ୍ରେସ, ଯାହାକି ତୃଣମୂଳ ସ୍ତରରେ ଦଳର କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି। ଏହାଛଡା ନିର୍ବାଚନ ପୂର୍ବରୁ ଟାଣୁଆ ନେତାଙ୍କ ଅନ୍ୟ ଦଳକୁ ପଳାୟନ କଂଗ୍ରେସ ପାଇଁ ସ୍ଥିତି ସଙ୍ଗୀନ କରିଛି ।

Comments are closed.