ମହିଳାଙ୍କ ରାଜନୈତିକ ପ୍ରତିନିଧିତ୍ଵ: ବିଜେଡି ପୁଣି ଆଗରେ, ଏଥର ମଧ୍ୟ ୩୩ ପ୍ରତିଶତ ଲୋକସଭା ପ୍ରାର୍ଥୀ ମହିଳା

ଭୁବନେଶ୍ୱର – ମହିଳା ସଶକ୍ତିକରଣ ଉପରେ ସର୍ବଦା ଗୁରୁତ୍ୱାରୋପ କରୁଥିବା ବିଜୁ ଜନତା ଦଳ ମହିଳାମାନଙ୍କ ଉପଯୁକ୍ତ ରାଜନୈତିକ ପ୍ରତିନିଧିତ୍ଵ କ୍ଷେତ୍ରରେ ମଧ୍ୟ ଅନ୍ୟ ଦଳମାନଙ୍କ ପାଇଁ ଅନୁକରଣୀୟ ଉଦାହରଣ ପ୍ରସ୍ତୁତ କରିଛି । ୨୦୧୯ ସାଧାରଣ ନିର୍ବାଚନ ଭଳି ଏଥର ମଧ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ଲୋକସଭା ଆସନ ମଧ୍ୟରେ ୭ଟିରେ ମହିଳା ପ୍ରାର୍ଥୀ ଘୋଷଣା କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏ ଯାଏଁ ଘୋଷିତ ବିଜେଡିର ୧୧୭ ଆସନରୁ ୨୨ଟିରେ ମଧ୍ଯ ବିଜେଡି ମହିଳାଙ୍କୁ ଟିକେଟ ଦେଇଛି । ଏଥର ନିର୍ବାଚନରେ ମଧ୍ୟ ବିଜେପି ଓ କଂଗ୍ରେସ ମହିଳା ପ୍ରାର୍ଥୀଙ୍କୁ ସେତେଟା ଗୁରୁତ୍ୱ ଦେଉନଥିବା ମନେ ହେଉଛି । ବିଜେପି ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇଛି । ଏଥିରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ମାତ୍ର ୮ ରହିଛି।

ବହୁପୂର୍ବରୁ ମହିଳାଙ୍କ ଉପଯୁକ୍ତ ରାଜନୈତିକ ପ୍ରତିନିଧିତ୍ଵ ପ୍ରସଙ୍ଗ ଉଠାଇ ଏ ଦିଗରେ କାର୍ଯ୍ୟ କରିଆସୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୯୯୨ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ପଞ୍ଚାୟତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିଥିଲେ । ପରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ପାଇଁ ଏକାଧିକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି। ୨୦୧୧ରେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ, ପଞ୍ଚାୟତ ସମିତି ଆଇନ ଓ ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ଆଣି ମହିଳାଙ୍କ ପାଇଁ ସଂରକ୍ଷଣ ୩୩ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି ୨୦୧୨ରେ ଓଡିଶା ପୌର ପରିଷଦ ଓ ମହାନଗର ନିଗମ ଆଇନରେ ମଧ୍ୟ ସଂଶୋଧନ ଆଣାଯାଇ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ କରାଗଲା । ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣ ଦିଗରେ ଏହାଥିଲା ନବୀନଙ୍କ ଆଉ ଏକ ବଳିଷ୍ଠ ପଦକ୍ଷେପ ।

ମହିଳା ସଶକ୍ତିକରଣ ଦିଗରେ ଆଉ ପାଦେ ଆଗେଇଥିଲା ବିଜେଡି । ୨୦୧୮ ନଭେମ୍ବର ମାସରେ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିବାକୁ ଓଡିଶା ବିଧାନସଭାରେ ଏକ ସଂକଳ୍ପ ଆଗତ କରିଥିଲା ଦଳ । ସର୍ବସମ୍ମତି କ୍ରମେ ଓଡିଶା ବିଧାନସଭାରେ ଏହା ପାରିତ ହୋଇଥିଲା ।

୨୦୧୯ ମାର୍ଚ୍ଚ ୧୦ ତାରିଖରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତଦନୁଯାୟୀ ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଲୋକସଭା ପାଇଁ ପ୍ରତ୍ୟେକ ତିନି ଜଣରେ ଜଣେ ମହିଳାଙ୍କୁ ଏହିପରି ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ । ୫ ଜଣ ମହିଳା ପ୍ରାର୍ଥୀ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ ।

Comments are closed.