ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସର୍ବସାଧାରଣରେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କୋର୍ଟଙ୍କୁ କହିଲେ ରାମଦେବ

ନୂଆଦିଲ୍ଲୀ: ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ପୁଣି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅମାନତୁଲ୍ଲାଙ୍କ ଖଣ୍ଡପୀଠ ସମ୍ମୁଖରେ ବାବା ରାମଦେବ ଏବଂ ବାଳକୃଷ୍ଣ ତୃତୀୟ ଥର ପାଇଁ ହାଜର ହୋଇଥିଲେ। ଉଭୟ ସର୍ବସାଧାରଣରେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କୋର୍ଟଙ୍କୁ କହିଛନ୍ତିି।

ଖଣ୍ଡପୀଠ ବାବା ରାମଦେବ ଓ‌ ତାଙ୍କ ସହଯୋଗୀ ବାଳକୃଷ୍ଣଙ୍କୁ କଥା ଶୁଣିବାକୁ ଚାହିଁଥିଲେ। ତେଣୁ ଉଭୟଙ୍କୁ ଆଗକୁ ଆସିବାକୁ କହିଥିଲେ।

ଏହି ସମୟରେ କିଛି ସମୟ ପାଇଁ ଅଡିଓରେ ସମସ୍ୟା ଦେଖାଦେଇଥିଲା | ଅଡିଓରେ ସମସ୍ୟା ନେଇ କୋର୍ଟ କହିଥିଲେ ଯେ ଏହାକୁ ଆମ ଦ୍ବାରା କିଛି ସେନ୍ସର କରାଯାଉଛି ବୋଲି ଭାବିବା ଠିକ୍ ନୁହେଁ।

ଏହା ପରେ କୋର୍ଟ ଶୁଣାଣିକୁ ଏପ୍ରିଲ ୨୩ ଯାଏଁ ସ୍ଥଗିତ ରଖିଥିଲେ। ପରବର୍ତ୍ତୀ ଶୁଣାଣିରେ ମଧ୍ୟ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି ସୁପ୍ରିମକୋର୍ଟ।

ମଙ୍ଗଳବାର ଶୁଣାଣି ବେଳେ କୋର୍ଟ କହିଥିଲେ ଯେ ପୂର୍ବ ଶୁଣାଣି ସମୟରେ ରାଜ୍ୟ ଲାଇସେନ୍ସ କର୍ତ୍ତୃପକ୍ଷଙ୍କୁ ନିଜ ପକ୍ଷ ରଖିବାକୁ ଅନୁମତି ଦିଆଯାଇଥିଲା । ତେଣୁ ରାମଦେବ ଏବଂ ବାଳକୃଷ୍ଣଙ୍କୁ ମଧ୍ୟ ସମାନ ସୁଯୋଗ ଦିଆଯିବ।

ଖଣ୍ଡପୀଠ କହିଛନ୍ତି, “ଆପଣଙ୍କ ବହୁତ ସମ୍ମାନ ଅଛି। ଆପଣ ଯୋଗ ପାଇଁ ବହୁତ କିଛି କରିଛନ୍ତି । କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆପଣ ଯାହା କରିଛନ୍ତି ସେଥିପାଇଁ ଆମେ ଆପଣଙ୍କୁ କ୍ଷମା କରିଦେବା କ’ଣ ଯଥେଷ୍ଟ‌ ହେବ? ଆପଣ କାହିଁକି ଭାବିଲେ ଯେ ଆପଣ ପରଦିନ ଏକ ସାମ୍ବାଦିକ ସମ୍ମିଳନୀ କରିବେ ଏବଂ ଖବରକାଗଜରେ ବିଜ୍ଞାପନ ଦେବେ ବୋଲି?

ରାମଦେବ କହିଥିଲେ, “ଆମର ଉଦ୍ଦେଶ୍ୟ କାହାକୁ ଅପମାନ କରିବା ନଥିଲା। ପ୍ରଥମ ଥର ପାଇଁ ଆମେ ଆୟୁର୍ବେଦରେ ୫୦୦୦ ରୁ ଅଧିକ ଗବେଷଣା କରିଛୁ । ଆୟୁର୍ବେଦକୁ ଏକ ଗବେଷଣା ଭିତ୍ତିକ ଔଷଧ କରିବା ପାଇଁ ସବୁଠାରୁ ବଡ଼ ପ୍ରୟାସ କରିଛୁ। ”

ଏହା ପରେ କୋର୍ଟ ରାମଦେବଙ୍କୁ ପଚାରିଥିଲେ ଯେ ସେ ଏଲୋପାଥିକ ଔଷଧକୁ ନିନ୍ଦା କରିବାର କ’ଣ ଆବଶ୍ୟକତା ଥିଲା? “ଯଦି ଆପଣଙ୍କର ଔଷଧ କାମ କରୁଛି, ତେବେ ଆପଣ ସ୍ବୀକୃତି ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ଯାଇପାରିଥାନ୍ତେ। ପ୍ରେସରେ ଏନେଇ ବିଜ୍ଞାପନ ଦେବା ଏକ ଦାୟିତ୍ବହୀନ କାର୍ଯ୍ୟ ଥିଲା।”

ରାମଦେବ ଏବଂ ବାଳକୃଷ୍ଣ କହିଥିଲେ ଆମେ ଭବିଷ୍ୟତରେ ଯତ୍ନବାନ ହେବୁ। ଆଉ ଏପରି ଭୁଲ୍ ହେବନି। ରାମଦେବ କହିଥିଲେ, “ମୁଁ ଆଜିଠାରୁ ସତର୍କ ରହିବି। ଏପରି ଘଟଣା ମୋ ପାଇଁ ଅଶୋଭନୀୟ ଥିଲା | ଅତି ଉତ୍ସାହିତ ବଶତଃ ଏପରି ଭୁଲ୍ ହୋଇଥିଲା। ”

ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, “ଆୟୁର୍ବେଦକୁ ଶହ ଶହ ବର୍ଷ ଧରି ଅବୈଜ୍ଞାନିକ ବୋଲି କୁହାଯାଉଛି, ତେଣୁ ଆମେ ଅତି ଉତ୍ସାହିତ ହୋଇ ଏପରି ଭୁଲ୍ କରିଦେଇଛୁ।”

ଜଷ୍ଟିସ୍ ଅମାନୁଲ୍ଲା କହିଛନ୍ତି, ଆପଣ ନିଜ କାମ କରନ୍ତୁ । କିନ୍ତୁ ଖପଣ ଏଲୋପାଥିକୁ ଅସମ୍ମାନ କରିପାରିବେ ନାହିଁ।
ଆମେ ପତଞ୍ଜଳି ଏମିତି ଛାଡ଼ିବୁ ନାହିଁ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣିରେ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଥିଲେ।

ରାମଦେବ ଓ ବାଳକୃଷ୍ଣଙ୍କୁ କୋର୍ଟ କହିଥିଲେ “ଆପଣ ଏତେ ନିରୀହ ନୁହଁନ୍ତି। ଆପଣଙ୍କ ଅନୁତପ୍ତ ଥିବା ଭଳି ମନେ ହେଉନି। ଆମେ କହୁନୁ ଯେ ଆପଣଙ୍କୁ ଆମେ କ୍ଷମା ଦେବୁ। ଆମେ ଆପଣଙ୍କ ଇତିହାସକୁ ଅଣଦେଖା କରିପାରିବୁ ନାହିଁ।”

ଏହାପୂର୍ବରୁ ରାମଦେବ ଏବଂ ବାଳକୃଷ୍ଣ ଦୁଇଥର କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହା ଗ୍ରହଣ କରିବାକୁ ମନା କରିଦେଇଥିଲେ। କୋର୍ଟ କହିଥିଲେ ଯେ ଭୁଲ୍ ଧରାପଡ଼ିବା ପରେ ଦୁହେଁ କ୍ଷମା ମାଗିଛନ୍ତି। ପତଞ୍ଜଳି ତରଫରୁ ‘ବିଭ୍ରାନ୍ତିକର’ ବିଜ୍ଞାପନ ନେଇ ଅଦାଲତ ଅବମାନନା ମାମଲାରେ ଦୁହେଁ କ୍ଷମା ପ୍ରାର୍ଥନା କରିଥିଲେ। ଉଲ୍ଲେଖଯୋଗ୍ୟ, ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) କରିଥିବା ଆବେଦନର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ।

Comments are closed.