ଶ୍ରୀରାମ ନବମୀର ଆଧ୍ୟାତ୍ମିକ ଅନୁଚିନ୍ତା

ଭାରତ ଏକ ଅଧ୍ୟାତ୍ମ ପ୍ରଧାନ ଦେଶ । ଆମ ଏଠାରେ ପାଳିତ ପ୍ରତ୍ୟେକ ପର୍ବପର୍ବାଣୀ ଆଧ୍ୟାତ୍ମିକ ରହସ୍ୟରେ ସମୃଦ୍ଧ । ଆଜି ଆମେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରୁଛୁ । କିନ୍ତୁ ତା’ର ଆଧ୍ୟାତ୍ମିକ ଉଦ୍ଧେଶ୍ୟ ବିସ୍ମୃତ ହୋଇ ଯାଇଛୁ । ଏହି ପରିପ୍ରେକ୍ଷୀରେ ଶ୍ରୀରାମ ନବମୀ ବା ଶ୍ରୀରାମଙ୍କ ଜନ୍ମୋତ୍ସବ ପ୍ରଣିଧାନ ଯୋଗ୍ୟ । ଭାରତରେ ଏପରି ଜଣେ କେହି ହୁଏତ ନ ଥିବେ ଯିଏକି ରାମଙ୍କ ବିଷୟରେ ଜାଣି ନଥିବେ । ପ୍ରତ୍ୟେକ ପୁର ପଲ୍ଲୀରେ ରାମାୟଣ ବା ରାମ ଚରିତ ମାନସ ପାରାୟଣ କରାଯାଏ । ଅନେକ ଲୋକ ପ୍ରାତଃ କାଳରେ ନିଦ୍ରାତ୍ୟାଗ ପରେ ‘ରାମ’ ଶବ୍ଦ ଉଚ୍ଚାରଣ କରନ୍ତି । କେତେକ ଲୋକ ପ୍ରଥମ ଦର୍ଶନରେ ପରସ୍ପର ମଧ୍ୟରେ ‘ରାମ ରାମ’ କହି ଅଭିବାଦନ କରନ୍ତି । କେତେକ ପରିବାରରେ ପ୍ରଚଳିତ ପରମ୍ପରା ଅନୁସାରେ ନବଜାତ ଶିଶୁର ଜିହ୍ୱାଗ୍ରରେ ‘ରାମ’ ଶବ୍ଦ ଲେଖାଯାଏ । ‘ଶବ ଯାତ୍ରା ସମୟରେ ‘ରାମ ନାମ ସତ୍ୟ ହୈ’ ଏହିପରି ବାକ୍ୟ ଉଚ୍ଚାରଣ କରାଯାଏ । ବର୍ମାନ ପ୍ରଶ୍ନ ଉଠେ ଯେ ‘ରାମ’ ପ୍ରକୃତରେ କିଏ? ଭାରତର ପ୍ରତ୍ୟେକ ଆବାଳ ବୃଦ୍ଧ ବନିତା ତାଙ୍କୁ କାହିଁକି ଏତେ ଶ୍ରଦ୍ଧାର ସହିତ ସ୍ମରଣ କରନ୍ତି ଓ ଚୈତ୍ର ଶୁକ୍ଲପକ୍ଷ ନବମୀ ତିଥିରେ କାହିଁକି ତାଙ୍କ ଜନ୍ମୋତ୍ସବ ପାଳନ କରାଯାଏ? ପ୍ରକୃତରେ ଆମେ କ’ଣ ରାମଙ୍କୁ ଜାଣି ପାରିଛେଁ?

ରାମାୟଣରେ ବର୍ଣ୍ଣିତ ଚରିତ୍ର ଗୁଡ଼ିକୁ ଅନୁଶୀଳନ କରି କେତେକ ଏହାର ଐତିହାସିକତା ଉପରେ ପ୍ରଶ୍ନ ଉଠାନ୍ତି । ସେମାନଙ୍କ ମତରେ ଲଙ୍ଗଳ ସିଆରରୁ ସୀତାଙ୍କ ଜନ୍ମ ହେବା, ରାବଣ ନିଜର ଦଶ ଶିର କାଟି ଅଗ୍ନୀରେ ଆହୁତି ଦେବା, ମାଙ୍କଡ଼ ଭଲ୍ଲୁକ ସହିତ ରାମଙ୍କ ମିତ୍ରତା ଓ ସେମାନଙ୍କ ସହାୟତାରେ ରାବଣ ଉପରେ ବିଜୟ ପ୍ରାପ୍ତ କରିବା, ଶତ ଯୋଜନ (ଚାରିଶହ ମାଇଲ) ଦୀର୍ଘ ସମୁଦ୍ରକୁ ହନୁମାନ ଏକ ଡିଅାଁରେ ପାର ହୋଇଯିବା ଇତ୍ୟାଦି ଅନେକ ପ୍ରସଙ୍ଗ ପୁରାଣକାରଙ୍କ କଳ୍ପନା ବିଳାସିତା ବ୍ୟତୀତ ଆଉ କିଛି ନୁହେଁ । କେହି କେହି ରାମ ଚରିତକୁ ଐତିହାସିକ ଘଟଣା ସ୍ୱୀକାର କରନ୍ତି ଓ ରାମାୟଣ ବର୍ଣ୍ଣିତ କେତେକ ପାତ୍ରର ଭିନ୍ନ ଭିନ୍ନ ବ୍ୟାଖ୍ୟା କରନ୍ତି । ଉଦାହରଣ ସ୍ୱରୂପ ରାବଣର ଦଶ ମୁଣ୍ଡର ଅର୍ଥ ହେଉଛି ତା’ର ଚାରି ବେଦ ଓ ଛଅଟି ଶାସ୍ତ୍ରରେ ପାଣ୍ଡିତ୍ୟର ପ୍ରତୀକ । ମନୁଷ୍ୟ ସମାଜର ଏକ ନିଦ୍ଧିର୍ଷ୍ଟ ଜାତିକୁ ହିଁ ବାନର କୁହାଯାଉଥିଲା ବୋଲି ସେମାନେ ଯୁକ୍ତି କରନ୍ତି । ଏଭଳି ବାଦ ବିବାଦ ମଧ୍ୟରେ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ପ୍ରକୃତରେ ରାମ କିଏ? ସୀତା କିଏ? ରାମ ଚରିତର ଯଥାର୍ଥ ସ୍ୱରୂପ କ’ଣ?

ବାଳ୍ମିକୀ କୃତ ରାମାୟଣ ଅଧ୍ୟୟନ କଲେ ଏହା ସ୍ପଷ୍ଟ ହୁଏ ଯେ ଶ୍ରୀରାମଙ୍କ ଜନ୍ମ ପୂର୍ବରୂ ମଧ୍ୟ ‘ରାମ’ ଶବ୍ଦର ପ୍ରଚଳନ ଥିଲା । ରାଜା ଦଶରଥ ଯେତେବେଳେ ମୃଗୟା ଅବସରରେ ଭ୍ରମବଶତଃ ଶ୍ରବଣ କୁମାରଙ୍କୁ ହତ୍ୟା କରିଥିଲେ ସେତେବେଳେ ବ୍ରହ୍ମହତ୍ୟା ପାପ ତାଙ୍କୁ ଗ୍ରାସ କରିବା ପାଇଁ ଅନୁଧାବନ କଲା । ସେ ଭୟଭୀତ ହୋଇ ପଳାୟନ କଲେ ଓ ବଶିଷ୍ଠ ତପଃ ସାଧନା ପାଇଁ ଅନ୍ୟତ୍ର ଚାଲିଯାଇଥିଲେ । ତାଙ୍କ ପୁତ୍ର ବାମଦେବ ଆଶ୍ରମ ପରି ଚାଳନାରେ ଥାଆନ୍ତି । ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇଁ ସେ ଦଶରଥଙ୍କୁ ତିନିଥର ରାମ ନାମ ଜପିବାକୁ ପରାମର୍ଶ ଦେଇଥିଲେ । ଏକଥା ପରେ ଯେତେବେଳେ ବଶିଷ୍ଠ ଜାଣିଲେ ତିନିଥର ରାମ ଶବ୍ଦ ଜପ କରିବାକୁ କହି ଏହାର ଦୁରୁପଯୋଗ କରିଥିବାରୁ ସେ ବାମଦେବଙ୍କୁ ଚାଣ୍ଡାଳ ଯୋନୀରେ ଜନ୍ମହେବାକୁ ଅଭିଶାପ ଦେଲେ । ଏହି ଆଖ୍ୟାୟିକାରୁ ସ୍ପଷ୍ଟ ଯେ ରାମ ଜନ୍ମ ହେବା ପୂର୍ବରୁ ମଧ୍ୟ ‘ରାମନାମ’ ସେତେବେଳେ ପ୍ରଚଳିତ ଥିଲା । ଏହି ‘ରାମ’ କିଏ?

ଗୋସ୍ୱାମୀ ତୁଳସୀ ଦାସ ଚାରୋଟି ରାମଙ୍କ କଥା ବର୍ଣ୍ଣନା କରିଛନ୍ତି । ଯଥା :- “ଏକ୍ ରାମ ଦଶରଥକା ବେଟା, ଏକ୍ ରାମ ଘଟ୍ ଘଟ୍ ମେଁ ବୈଠା, ଏକ୍ ରାମ୍ ଜଗତ ପସାରା, ଏକ ରାମ୍ ଜଗତ୍ସେ ନ୍ୟାରା ।” ଅର୍ଥାତ୍ ପ୍ରଥମ ଜଣକ ଦଶରଥ ପୁତ୍ର, ଦ୍ୱିତୀୟଟି ଆତ୍ମାରାମ, ତୃତୀୟଟି ନାମ ବାଚକ ରାମ ଓ ଚତୁର୍ଥଟି ପାର୍ଥିବ ଜଗତରୁ ଭିନ୍ନ ଅଟନ୍ତି । ଏହି ୪ଟି ରାମଙ୍କ ମଧ୍ୟରୁ ଆମେ କେବଳ ୨ଟି ରାମଙ୍କ ବିଷୟରେ ଆଲୋଚନା କଲେ ରାମ ଚରିତର ଯଥାର୍ଥ ସ୍ୱରୂପ ବୁଝିପାରିବା । ଜଣେ ହେଉଛନ୍ତି ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ରାଜା ରାମଚନ୍ଦ୍ର ।ତାଙ୍କ ରାଜ୍ୟରେ ଯଥା ରାଜା ତଥା ପ୍ରଜା ସମସ୍ତେ ସୁଖ ଶାନ୍ତି ସମୃଦ୍ଧି ଓ ପବିତ୍ରତାରେ ପରିପୁର୍ଣ୍ଣ ଥିଲେ । ତେଣୁ ଆଜି ମଧ୍ୟ ଅନେକ ରାମ ରାଜ୍ୟର ପରିକଳ୍ପନା କରନ୍ତି । ଅନ୍ୟ ଏକ ରାମ ଯିଏ ସମସ୍ତ ଆତ୍ମାଙ୍କ ପରମ ପିତା ଅଟନ୍ତି । ସେ ପରମ ଆତ୍ମା, ପରମ ପବିତ୍ର, ଦେବଗଣଙ୍କ ଦେବ, ରାଜା ରାମଙ୍କ ମଧ୍ୟ ଈଶ୍ୱର ହୋଇ ଥିବାରୁ ରାମେଶ୍ୱର ଓ ଶ୍ରୀକୃଷ୍ଣଙ୍କ ମଧ୍ୟ ଈଶ୍ୱର ହୋଇଥିବାରୁ ଗୋପେଶ୍ୱର ଅଟନ୍ତି ।

Comments are closed.