ନିର୍ବାଚନରେ ଭୋଟ୍ ହାର ବୃଦ୍ଧି ପାଇଁ ବିଏମସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଜନ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର – ‘ମଇ ୨୫ ରେ ନିଶ୍ଚୟ ଯିବି , ନିଜ ବୁଥରେ ଭୋଟ ଦେବି ‘, ଗଣତନ୍ତ୍ରର ଏ ମହାନ ପର୍ବ , ଭୋଟ ଦେଇ ମୁଁ କରିବି ଗର୍ବ ‘ । ଏମିତି ସ୍ଲୋଗାନ ଦେଇ ଆଜି ସକାଳ ୬ଟାରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବାହାରି ଥିଲା ଏକ ବିଶାଳ ୱାକାଥନ ବା ଗଣ ପଦଯାତ୍ରା । ଉଦ୍ଦେଶ୍ୟ ଥିଲା , ଚଳିତ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ଭୋଟରଙ୍କୁ , ମତଦାନ କେନ୍ଦ୍ରରେ ସେମାନଙ୍କର ମତ ସାବ୍ୟସ୍ତ କରିବା ପାଇଁ ସଚେତନ କରିବା । କାରଣ ବିଶେଷ କରି ରାଜଧାନୀ ସହରାଞ୍ଚଳରେ ଅଧ‌ିକ ସଚେତନ , ଶିକ୍ଷିତ ନାଗରିକ ବାସ କରୁଥିଲେ ମଧ୍ୟ , ମତଦାନ ହାର ଗ୍ରାମାଞ୍ଚଳ ଅପେକ୍ଷା ସବୁବେଳେ କମ୍ ରହୁଥ‌ିବା ଅତୀତରୁ ପରିଲକ୍ଷିତ ହୋଇଛି । ଏପରିକି ମତଦାନ ହାର ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ କମ୍ ରହୁଥ‌ିବାରୁ ଭୁବନେଶ୍ବର ମହାନଗର ନିଗମ ( ବିଏମ୍‌ସି ) ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି ପରିପ୍ରେକ୍ଷୀରେ ଏପରି ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

“ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ ” ( ଏସ୍.ଭି.ଇ.ଇ.ପି ) ର ଅଂଶ ବିଶେଷ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଭୋଟରଙ୍କୁ ସାମିଲ କରାଯିବା ସହ ପ୍ରତ୍ୟେକ ମତଦାତା ଯେପରି ନିଶ୍ଚିତ ଭାବେ ନିଜ ନିଜର ମତଦାନ କେନ୍ଦ୍ରରେ ଭୋଟ ଦେବେ , ସେଥ‌ିପାଇଁ ଲୋକମାନଙ୍କୁ ସଚେତନ କରାଇବାକୁ ପାଇଁ ବିଏମ୍‌ସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସୃଜନଶୀଳ ଜନସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି । ଉକ୍ତ ସଚେତନତା ରଣନୀତିର ଏକ ଅଂଶ ସ୍ବରୂପ ଆଜି ଆୟୋଜିତ ହୋଇଥୁଲା ମେଗା ୱାକାଥନ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା , ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ , ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ , ପୋଲିସ କମିଶନର ସଂଜୀବ ପଣ୍ଡା , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍ . ତିରୁମାଳା ନାୟକ , ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ବିଏମସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ଅତିଥିମାନଙ୍କୁ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ସ୍ଵାଗତ କରିଥିଲେ । ୱାକାଥନର ଶୁଭାରମ୍ଭ କରିବା ପୂର୍ବରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା । ଅତିଥିମାନଙ୍କ ସହିତ ଉପସ୍ଥିତ ଅଂଶଗ୍ରହଣକାରୀ ମାନେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଆୟୋଜିତ ଏକ “ ସିଗ୍‌ନେଚର୍‌ କ୍ୟାମ୍ପେନ୍ ” ରେ ନିଜ ନିଜର ଭୋଟର ସଚେତନତା ବାର୍ତ୍ତା ଲେଖିବା ସହ ଭାରତୀୟ ଗଣତନ୍ତ୍ରରେ ଭୋଟ ଦେବା ଏକ ଅଧିକାର ଏବଂ ଏହାର ଅନୁପାଳନ କରିବାକୁ ଶପଥ ନେଇଥିଲେ ।

ରାଜ୍ୟରେ ଏକ ମୁକ୍ତ , ସ୍ବଚ୍ଛ , ଅବାଧ , ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ଭାରତୀୟ ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସମବେତ ସମସ୍ତ ନାଗରିକଙ୍କୁ “ ମତଦାତାଙ୍କ ସଂକଳ୍ପ ‘ ପାଠ କରାଇଥିଲେ । ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥ‌ିବା ଯୁବକ ଯୁବତୀମାନଙ୍କୁ ମୁଖ୍ୟ ଅତିଥିଙ୍କ ସହ ଅନ୍ୟ ଅତିଥିମାନେ ସ୍ବାଗତ ଓ ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ , ଭାରତୀୟ ନିର୍ବାଚନ କମିଶନ ଓ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରୟାସରେ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ନିର୍ବାଚନ ପ୍ରକ୍ରିୟାରେ ଯେତେ ଅଧ‌ିକରୁ ଅଧିକ ମତଦାତା ଅଂଶଗ୍ରହଣ କରିବେ , ଗଣତନ୍ତ୍ର ଅଧିକ ସୁଦୃଢ ହେବ । କେବଳ ସାଧାରଣ ନାଗରିକ ନୁହଁନ୍ତି , ଲୋକସେବା ଭବନ , ବିଭିନ୍ନ ସରକାରୀ ନିର୍ଦ୍ଦେଶାଳୟ ସମେତ ସମସ୍ତ ସରକାରୀ ଦପ୍ତର ଓ ବେସରକାରୀ ଅନୁଷ୍ଠାନରେ ବିଭିନ୍ନ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ସଂଗଠନ ଆଦିର ସହଯୋଗରେ ବିଭିନ୍ନ ଉପାୟରେ ଭୋଟରମାନଙ୍କୁ ସଚେତନ କରାଯାଉଥ‌ିବା ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ ।

ଭୋଟରମାନଙ୍କ ଦ୍ବାରା ମତଦାନ ସଂପର୍କରେ ଭୁବନେଶ୍ବର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପକୁ ସ୍ବାଗତ କରିବା ସହ କେବଳ ସହରାଞ୍ଚଳ ନୁହେଁ , ଗ୍ରାମାଞ୍ଚଳରେ ମଧ୍ଯ ଭୋଟରମାନେ ବହୁ ସଂଖ୍ୟାରେ ମତଦାନ କରିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେ କହିଛନ୍ତି ଯେ , ମତଦାନ ହେଉଛି ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରର ଏକ ମହାନ ପର୍ବ । ଏହି ପର୍ବରେ ପ୍ରତ୍ୟେକ ଭୋଟର ସାମିଲ ହେବା ଦରକାର । ସମସ୍ତେ ମତଦାନ କଲେ , ଗଣତନ୍ତ୍ର ସୁଦୃଢ ହେବା ସହ ଦେଶ ସଶକ୍ତ ହେବ । ମୁଖ୍ୟତଃ ଯେଉଁମାନେ ଭୋଟଦାନରୁ ବିରତ ରହୁଛନ୍ତି , ସେମାନଙ୍କୁ ସଚେତନ କରାଇବା ସହ ସେମାନେ ଯେପରି ନିଶ୍ଚିତ ଭାବେ ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ , ସେଥ‌ିପାଇଁ ଶିକ୍ଷିତ ଓ ସଚେତନ ନାଗରିକମାନେ ପ୍ରୟାସ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ମାଷ୍ଟର କ୍ୟାଣ୍ଟିନ୍ ଛକଠାରେ ମୁଖ୍ୟ ଅତିଥି ପ୍ରଦୀପ ଜେନା ପତାକା ଦେଖାଇ ୱାକାଥନର ଶୁଭାରମ୍ଭ କରିଥିଲେ । ଆଜି ସକାଳ ୬ ଘଟିକାଠାରୁ ଏହି ୱାକାଥନ ମାଷ୍ଟର କ୍ୟାଂଟିନ ଛକଠାରୁ ବାହାରି ଶ୍ରୀୟା ଛକ , କେନ୍ଦ୍ରୀୟ ବିଦ୍ୟାଳୟ ପାଖ ଦେଇ ସତ୍ୟ ନଗର ସ୍ଥିତ ବିଏମ୍‌ସି ମୁଖ୍ୟାଳୟ ( ବିଏମସି ଆଇସିଓଏମସି ଟାୱାର ) ଠାରେ ପହଞ୍ଚିଥିଲା । ଯୋଗ୍ୟ ଭୋଟରମାନେ କିପରି ଗଣତାନ୍ତ୍ରିକ ମହତ୍ତ୍ୱକୁ ବୁଝି ଚଳିତ ନିର୍ବାଚନରେ ନିଜ ନିଜର ମତଦାନ କେନ୍ଦ୍ରରେ ଭୋଟ ଦେବେ , ସେହି ଉଦ୍ଦେଶ୍ୟରେ ଓ୍ୱାକାଥନ ମାଧ୍ୟମରେ ସଚେତନ କରାଯାଇଥିଲା । ପ୍ରାୟ ୪୦୦ରୁ ଅଧିକ ନାଗରିକଙ୍କ ଯୋଗଦାନରେ କରାଯାଇଥିବା ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଭିନ୍ନ ଆବାସିକ କଲ୍ୟାଣ ସଂଘ , ବରିଷ୍ଠ ନାଗରିକ , ମାର୍କେଟ ଆସୋସିଏସନ , ଯୁବ ଭୋଟର , ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ସେ୍ୱଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବିଏମ୍‌ସି କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ୱାକାଥନରେ ସ୍ଵତନ୍ତ୍ର ବେଶ ପୋଷାକ ପରିଧାନ କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଏହାପରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସମସ୍ତେ ବିଏମ୍‌ସିର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଣ ପଦଯାତ୍ରା କରି ପ୍ଲା କାର୍ଡ ପ୍ରଦର୍ଶନ , ସ୍ଲୋଗାନ ଓ ଭୋଟର ଜାଗରଣ ସଂଗୀତ ମାଧ୍ୟମରେ ବାର୍ତ୍ତା ପ୍ରଚାର ସହ ନାଗରିକମାନଙ୍କୁ ନିଶ୍ଚିତ ଭାବେ ମତଦାନ କରି ମତଦାନ ହାର ବଢ଼ାଇବା ଆଦି ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ ।

Comments are closed.