ଏପ୍ରିଲ ଶେଷ ସପ୍ତାହରୁ ରାଜ୍ୟରେ ବଢିବ ରାଜନୈତିକ ତାତି: ହେଭିୱଟଙ୍କ ସହ ହାଇଭୋଲଟେଜ ପ୍ରଚାର ପାଇଁ ତିନି ଦଳ ପ୍ରସ୍ତୁତ  

ଭୁବନେଶ୍ୱର – ଏପ୍ରିଲ ଶେଷ ସପ୍ତାହରେ ରାଜ୍ୟରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବ । ପ୍ରଚାର ମଇଦାନରେ ତିନି ପ୍ରମୁଖ ଦଳର ତାରକା ପ୍ରଚାରକଙ୍କୁ ଦେଖିବାକୁ ମିଳିବ । ମେ’୧୩ ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବର୍ତ୍ତମାନ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ପକ୍ଷରୁ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପ୍ରଚାର ମଙ୍ଗ ଧରିବେ । ନବୀନ ପଟ୍ଟନାୟକ ଏପ୍ରିଲ ୨୪ ତାରିଖରୁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଦଳ ପାଇଁ ପ୍ରଚାର ଅନୁକୂଳ କରିବା ସହ ଦୁଇଟି ସାଧାରଣ ସଭାରେ ଉଦବୋଧନ ଦେବେ । ନବୀନଙ୍କ ସହ ଦଳର ଦୁଇ ନମ୍ବର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ବି ରହିବେ । ପରବର୍ତ୍ତୀ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାର ଆଉ କେତେକ ସ୍ଥାନରେ ମଧ୍ୟ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ଏଣେ ବିଜେପି ଓ କଂଗ୍ରେସର ପ୍ରଚାର ପାଇଁ କେନ୍ଦ୍ରୀୟ ନେତୃବୃନ୍ଦ ଚଳିତ ସପ୍ତାହରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ପ୍ରାପ୍ତ ସୂଚନା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସି ସୋନପୁରରୁ ବିଜେପି ପାଇଁ ପ୍ରଚାର ଆରମ୍ଭ କରିବେ । ରାହୁଲ ଗାନ୍ଧି ମଧ୍ୟ ଓଡ଼ିଶା ଆସିବେ । ରାହୁଲ ଏପ୍ରିଲ ୨୮ ତାରିଖରେ ଓଡ଼ିଶା ଆସି କଂଗ୍ରେସ ପକ୍ଷରୁ ପ୍ରଚାରର ଶୁଭାରମ୍ଭ କରିବେ ।

ତାରକା ପ୍ରଚାରକଙ୍କ ସହ ତିନି ଦଳ ହାଇଭୋଲଟେଜ ପ୍ରଚାର ପାଇଁ ପ୍ରସ୍ତୁତି କରୁଥିବାରୁ ଏପ୍ରିଲ ଶେଷ ସପ୍ତାହରେ ତାତି ସହ ରାଜନୈତିକ ପାରା ମଧ୍ୟ ବଢିବା ସମ୍ଭାବନା ରହିଛି।

Comments are closed.