ଚୈତ୍ର ପୂର୍ଣ୍ଣିମାରେ ଶ୍ରୀ ଭୀମେଶ୍ବରଙ୍କ ଶ୍ରୀକ୍ଷେତ୍ର ବିଜେ

25/04/24
ଚୈତ୍ର ପୂର୍ଣ୍ଣିମାରେ ଶ୍ରୀ ଭୀମେଶ୍ବରଙ୍କ ଶ୍ରୀକ୍ଷେତ୍ର ବିଜେ।

ବିଭିନ୍ନ କାରଣରୁ ଚୈତ୍ର ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ର ସାତ ସାହି ଚଳଚଞ୍ଚଳ ହୋଇଉଠେ। ୟା ମଧ୍ୟରୁ ଶ୍ରୀ ଶ୍ରୀ ଭୀମେଶ୍ୱର ବିଜେ ଅନ୍ୟତମ କାରଣ ‌ । ବ୍ରହ୍ମଗିରି ଅଞ୍ଚଳର ପଞ୍ଚୁପାଣ୍ଡବ ଙ୍କ ମଧ୍ୟରୁ ଦ୍ୱିତୀୟ ପାଣ୍ଡବ ଙ୍କ ଦ୍ଵାରା ପ୍ରତିଷ୍ଠିତ ଲିଙ୍ଗ ହେଲେ ବାବା ଭୀମେଶ୍ୱର। ଏହାଙ୍କ ମହିମା ମଧ୍ୟ ଘରେ ଘରେ ପରିଚିତ। ସନ୍ତାନ ପ୍ରାପ୍ତି ଠାରୁ ଆରମ୍ଭ କରି ଜମିବାଡ଼ି ପର୍ଯ୍ୟନ୍ତ ଯେ କୌଣସି କଷ୍ଟ ହେଲେ ପୁରୀ ର ଲୋକମାନେ ପହଞ୍ଚିଯାଆନ୍ତି ବାବା ଭୀମେଶ୍ୱର ଙ୍କ ପାଖରେ ଶରଣାପନ୍ନ ହେବାକୁ। ଖାଲି ସେତିକି ନୁହେଁ ବର୍ଷ କୁ ଥରେ ବାବା ଭୀମେଶ୍ୱର ମଧ୍ୟ ଶ୍ରୀକ୍ଷେତ୍ର ଆସି ଭକ୍ତ ଙ୍କ ଘରେ ପନ୍ତି ଖାଆନ୍ତି।

କଥାରେ ଅଛି “ଭୀମେଶ୍ୱର ବାହାରିଲେ ବର୍ଷେ”। ଅର୍ଥାତ୍ ଭୀମେଶ୍ୱର ତାଙ୍କ ମନ୍ଦିରରୁ ପୁରୀ ବାହାରିଲେ ତାଙ୍କର ଏତେ ସ୍ଥାନରେ ପନ୍ତି ଥାଏ ଯେ ସବୁ ସାରି ତାଙ୍କ ମନ୍ଦିରକୁ ବାହୁଡିଲା ବେଳକୁ ବହୁତ ଦିନ ଲାଗିଯାଏ। ପୁରୀରେ ଭୀମସେନ ନାଁ ଥିବା ପ୍ରାୟ ବ୍ୟକ୍ତି ଭୀମେଶ୍ୱର ଙ୍କ କରୁଣାରୁ ଜନ୍ମ ହୋଇଥିବେ।

ଯେଉଁ ଯେଉଁ ବ୍ୟକ୍ତି ମାନେ ଭୀମେଶ୍ୱର ଙ୍କ କରୁଣା ଲାଭ କରିଛନ୍ତି ସେମାନେ ପ୍ରାୟତଃ ତାଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଆନ୍ତି ଓ ଭୀମେଶ୍ୱର ଶ୍ରୀକ୍ଷେତ୍ର ଆସିଲେ ତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରି ପନ୍ତି କରିଥାନ୍ତି। ଏହା ସହ ସମ୍ପତ୍ତି କ୍ଷୟକ୍ଷତି ଓ ରୋଗ ହେଲେ ମଧ୍ୟ ଭୀମେଶ୍ୱର ଙ୍କ ଠାରେ ଲୋକମାନେ ଶରଣ ପଶନ୍ତି।

ଦୂରରୁ ବିମାନରେ ଆସୁଥିବା ଭୀମେଶ୍ୱରଙ୍କ ସହ ତାଙ୍କ ବିମାନ ବାହକ ଓ ପୂଜାରୀ ଙ୍କୁ ମଧ୍ୟ ଲୋକମାନେ ଖୁବ୍ ଆଗ୍ରହର ସହ ଆତିଥ୍ୟ ପ୍ରଦାନ କରିଥାନ୍ତି। ଆଗରୁ ଆଲୋକ ର ବ୍ୟବସ୍ଥା ନ ଥିବାରୁ କୌଣସି ଘରେ ସନ୍ଧ୍ୟା ହେଲେ ଭୀମେଶ୍ୱର ସେଇଠାରେ ହିଁ ରାତ୍ରୀଯାପନ କରନ୍ତି। ଆଉ ଯେଉଁ ଘରେ ଭୀମେଶ୍ୱର ରୁହନ୍ତି, ତାହା ଆପେ ଆପେ ମନ୍ଦିର ପାଲଟି ଯାଏ। ବିଭିନ୍ନ ପ୍ରକାରର ଭୋଗ ସହ ଧୂପ ବଢେ। ତାଙ୍କ ପଟୁଆରରେ ଥିବା ସମସ୍ତଙ୍କୁ ସମାନ ଅତିଥି ଚର୍ଚା ହୁଏ। ଖାଇବା ଠାରୁ ଆରମ୍ଭ କରି ବସ୍ତ୍ର ଓ ଆରାମ କରିବାକୁ କୋଠରୀ ଦିଆହୁଏ। ତେଣୁ ସ୍ଥାନୀୟ ଲୋକ କୁହନ୍ତି, ଭୀମେଶ୍ୱର ଙ୍କୁ ଜ୍ବାଇଁ ଚର୍ଚ୍ଚା ହୁଏ। ଶ୍ଵଶୁର ଘରେ ଦିନେ ଜ୍ବାଇଁ ରହିଲେ ଯେମିତି ଚର୍ଚ୍ଚା କରାଯାଏ, ଭୀମେଶ୍ୱର ଙ୍କୁ ମଧ୍ୟ ସେମିତି ଆପ୍ୟାୟିତ କରାଯାଏ।

ପନ୍ତି ଥିବା ଘରେ ଧୂଆ ପୋଛା ହୋଇ ଆମ୍ବଡ଼ାଳ ଲଗାଇ ଅପେକ୍ଷା କରନ୍ତି ଭୀମେଶ୍ୱର ଙ୍କ ବାଟକୁ। ଏ ପ୍ରଥା ଅଳ୍ପ କିଛି ବର୍ଷର ନୁହେଁ, ଅତି କମରେ ୩୦୦/୪୦୦ ବର୍ଷ ପୁରୁଣା ଏ ପ୍ରଥା। ଚନ୍ଦନ ହଜୁରୀ ଙ୍କ ଘରେ ଭୀମେଶ୍ୱର ଙ୍କର ସ୍ଵତନ୍ତ୍ର ପନ୍ତି ହୁଏ। ଗୋଟିଏ ଦିନ ତାଙ୍କ ଘରେ ଭୀମେଶ୍ୱର ଅବସ୍ଥାନ କରନ୍ତି, ଏଥିପାଇଁ ତାଙ୍କ ଘରେ ସ୍ଵତନ୍ତ୍ର ଖଟୁଲି ରେ ବିଜେ କରନ୍ତି। ଏହି ପନ୍ତି ଏକ ବ୍ୟାପକ ବ୍ୟାପାର।

ଲୋକମାନଙ୍କର ସମସ୍ତ ଦୁଃଖ କଷ୍ଟ କୁ ଦୂର କରିବାକୁ ଭୀମେଶ୍ୱର ଶ୍ରୀକ୍ଷେତ୍ର ବିଜେ କରନ୍ତି। ଏହି ପ୍ରଥା କାହିଁ କେତେ ଦିନରୁ ଚାଲି ଆସିଛି। ଚୈତ୍ର ପୂର୍ଣ୍ଣିମା ଠାରୁ କିଛି ଦିନ ପର୍ଯ୍ୟନ୍ତ ଭୀମେଶ୍ୱର ପୁରୀରେ ବିଭିନ୍ନ ଘରକୁ ପନ୍ତି ପାଇଁ ବିଜେ କରନ୍ତି। ଆପଣ ମାନେ ମଧ୍ୟ ବର୍ତ୍ତମାନ ପୁରୀରେ ଭୀମେଶ୍ୱର ଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରି ପାରିବେ।

Comments are closed.