ଟି-୨୦ କ୍ରିକେଟରେ ସର୍ବୋଚ୍ଚ ରନ୍ ଚେଜ୍ ସହ ପଞ୍ଜାବ କିଙ୍ଗ୍ସର ବିଶ୍ବ ରେକର୍ଡ

କୋଲକାତା: ଜନି ବେୟାରଷ୍ଟୋଙ୍କ ବିସ୍ଫୋରକ ଶତକ ବଳରେ ପଞ୍ଜାବ କିଙ୍ଗ୍ସ ଟି-୨୦ କ୍ରିକେଟ୍ ଇତିହାସରେ ସର୍ବାଧିକ ବିଜୟ ଲକ୍ଷ୍ୟର ସଫଳ ପିଛା କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ହାଇସ୍କୋରିଂ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦେଇଥିବା ୨୬୨ ରନର ଟାର୍ଗେଟକୁ ମାତ୍ର ୨ ଓ୍ବିକେଟ୍ ହରାଇ ଓ ୮ଟି ବଲ୍ ବାକିଥାଇ ହାସଲ କରିଦେଇଥିଲା ପଞ୍ଜାବ କିଙ୍ଗ୍ସ। ଟି-୨୦ କ୍ରିକେଟ୍ ଇତିହାସରେ ଏହା ହେଉଛି ସର୍ବୋଚ୍ଚ ରନ୍ ଚେଜ୍ । ଏହି କ୍ରମରେ ପଞ୍ଜାବ କିଙ୍ଗ୍ସ ଦକ୍ଷିଣ ଆଫ୍ରିକାର ରେକର୍ଡ ଭାଙ୍ଗିଛି। ଗତ ବର୍ଷ ମାର୍ଚ୍ଚରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୫୯ ରନର ଲକ୍ଷ୍ୟ ସଫଳତାର ସହ ଚେଜ୍ କରିଥିଲା ।

ଆଇପିଏଲରେ ସର୍ବାଧିକ ରନ୍ ଚେଜ୍ ରେକର୍ଡ ପୂର୍ବରୁ ରାଜସ୍ଥାନ ରୟାଲ୍ସ ନାଁରେ ଥିଲା । ଚଳିତ ସିଜନରେ ହିଁ ଇଡେନ୍ ଗାର୍ଡେନ୍ସରେ କେକେଆର୍ ବିପକ୍ଷରେ ରାଜସ୍ଥାନ ୨୨୪ ରନର ବିଜୟ ଲକ୍ଷ୍ୟ ସଫଳତାର ସହ ପିଛା କରି ୨୦୨୦ରେ ତତ୍କାଳୀନ କିଙ୍ଗସ୍ ଇଲେଭେନ୍ ପଞ୍ଜାବ (ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ) ବିପକ୍ଷରେ ନିଜ ରେକର୍ଡର ହିଁ ସମକକ୍ଷ ହୋଇଥିଲା ।

ଶୁକ୍ରବାର ଅନୁଷ୍ଠିତ ଆଇପିଏଲ୍ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ୬ ୱିକେଟ୍ ହରାଇ ୨୬୧ ରନ୍ ସଂଗ୍ରହ କରିଥିଲା । କିନ୍ତୁ ପଞ୍ଜାବ କିଙ୍ଗସ୍ ୮ଟି ବଲ୍ ବାକି ରହି ଏହି ବିଶାଳ ଟାର୍ଗେଟକୁ ହାସଲ କରିନେଇଥିଲା ।

୨୬୨ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବର ଓପନିଂ ଯୋଡି ଜନି ବେୟାରଷ୍ଟୋ ଏବଂ ପ୍ରଭସିମ୍ରନ ସିଂ ଧମାକାଦାର ଷ୍ଟାର୍ଟ କରି ପ୍ରଥମ ୱିକେରେ ମାତ୍ର ୬ ଓଭରରେ ୯୩ ରନ୍ ଯୋଡିଥିଲେ। ପ୍ରଭସିମ୍ରନ ସିଂ କେବଳ ୨୦ ବଲରେ ୪ ଚଉକା ଓ ୫ ଛକା ସହ ଧୂଆଁଧାର ୫୪ ରନ୍ କରିଥିଲେ। ତାଙ୍କୁ ସୁନୀଲ ନାରାୟଣ ଆଉଟ୍ କରିଥିଲେ। ଗୋଟିଏ ଚଉକା ଏବଂ ଦୁଇଟି ଛକା ସହାୟତାରେ ରାଇଲି ରୁସୋ ୧୬ଟି ବଲରେ ୨୬ ରନ୍ ସଂଗ୍ରହ କରିଥିଲେ। ହେଲେ ବେୟାରଷ୍ଟୋ ଓ ଶଶାଙ୍କ ସିଂହ ଛକା ବର୍ଷା କରି ଅସମ୍ଭବ ମନେ ହେଉଥିବା ଟାର୍ଗେଟକୁ ସମ୍ଭବ କରିଥିଲେ ।

ବେୟାରଷ୍ଟୋ ମାତ୍ର ୪୮ଟି ବଲରେ ୧୦୮ ରନର ଅପରାଜିତ ଇନିଂସ ଖେଳିଥିଲେ । ସେ ୮ଟି ଚୌକା ଓ ୯ ଛକା ମାରିଥିଲେ। ଶଶାଙ୍କ ସିଂ ମଧ୍ୟ ମାତ୍ର ୨୮ଟି ବଲରେ ଦୁଇଟି ଚୌକା ଓ ୮ ଛକା ସହାୟତାରେ ଅପରାଜିତ ୬୯ ରନ କରିଥିଲେ । ପଞ୍ଜାବ କିଙ୍ଗସ୍ ୧୮.୪ ଓଭରରେ ଦୁଇଟି ୱିକେଟ୍ ହରାଇ ୨୬୨ ରନ୍ କରି ୮ ୱିକେଟରେ ମ୍ୟାଚ୍ ଜିତିନେଇଥିଲା।

Comments are closed.