ଗ୍ରୀଷ୍ମ ପ୍ରକୋପ : ତିନି ସହରରେ ୪୪ ଡିଗ୍ରୀ ଡେଇଁଲା ପାରଦ, ୪୩ ଡିଗ୍ରୀ ଉପରେ ୧୪ ସହର, ଅନୁଗୁଳ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଅସହ୍ୟ ଗ୍ରୀଷ୍ମ ଯନ୍ତ୍ରଣାରେ ଛଟପଟ ରାଜ୍ୟବାସୀ । ପ୍ରଚଣ୍ଡ ତାତି ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡିଛି । ଆଜି ତିନିଟି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ୧୪ ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି । ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୪ ଦଶମିକ ୭ ଡିଗ୍ରୀ ସେଲସିୟସ ରହିଛି। ୪୪.୬ ଡିଗ୍ରୀ ସହ ଭୁବନେଶ୍ବର ହୋଇଛି ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର । ଏହି ତାଲିକାରେ ଆଜି ତୃତୀୟ ସ୍ଥାନରେ ରହିଛି ବାରିପଦା । ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବୋୖଦ୍ଧ, ଢେଙ୍କାନାଳ ଓ ଭବାନୀପାଟଣାରେ ୪୩ ଦଶମିକ ୭, ନୂଆପଡ଼ା ଓ ଝାରସୁଗୁଡାରେ ୪୩.୬, ବଲାଙ୍ଗୀର, ଯାଜପୁର, ତାଳଚେର ଓ ନୟାଗଡ଼ରେ ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

କଟକରେ ୪୩.୪ ଓ ଟିଟିଲାଗଡରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି ଆହୁରି ଦୁଇ ତିନି ଧରି ଜାରି ରହିବ ।

Comments are closed.