ପୁନମ୍ ମହାଜନଙ୍କ ଟିକେଟ୍ କଟିଲା, ମୁମ୍ବାଇ ଉତ୍ତର-ମଧ୍ୟ ଆସନରୁ ଓକିଲ ଉଜ୍ବଳ ନିକମ ହେଲେ ବିଜେପି ପ୍ରାର୍ଥୀ

ମୁମ୍ବାଇ: ବିଜେପି ମୁମ୍ବାଇ ଉତ୍ତର-ମଧ୍ୟ ଲୋକସଭା ଆସନରୁ ସାଂସଦ ପୁନମ୍ ମହାଜନଙ୍କ ଟିକେଟ୍ କାଟିଛି । ପୁନମଙ୍କ ସ୍ଥାନରେ ଦଳ ଶନିବାର ଜଣାଶୁଣା ଓକିଲ ଉଜ୍ବଳ ଦେବରାଓ ନିକମଙ୍କୁ ପ୍ରାର୍ଥୀ କରିଛି।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ନିକାମ ସରକାରୀ ଓକିଲ ଥିଲେ। ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ଏବଂ ୨୬/୧୧ ଆକ୍ରମଣ ପରେ ଧରାପଡ଼ିଥିବା ଆତଙ୍କବାଦୀ ଅଜମଲ କସାବ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଉଜ୍ବଳ ନିକମ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ଦାୟିତ୍ଵ ତୁଲାଇଛନ୍ତି।

ବିଜେପିର ଦିବଂଗତ ନେତା ପ୍ରମୋଦ ମହାଜନଙ୍କ ଝିଅ ପୁନମ୍ ମହାଜନ ୨୦୧୪ ଓ ୨୦୧୯ରେ ମୁମ୍ବାଇ ଉତ୍ତର-ମଧ୍ୟ ଆସନରୁ ନିର୍ବାଚିତ ହୋଇଥିଲେ। ପୁନମ୍ ମଧ୍ୟ ବିଜେପିର ୟୁଥ୍ ୱିଙ୍ଗର ପୂର୍ବତନ ସଭାନେତ୍ରୀ ।

ସଂଗଠନରୁ ମିଳିଥିବା ସୂଚନା ଆଧାରରେ ପୁନମଙ୍କ ଟିକେଟ୍ କଟିଛି ବୋଲି ଦଳୀୟ ନେତାମାନେ କହିଛନ୍ତି। ପୁନମ୍ ମହାଜନଙ୍କୁ ଏଥର ଟିକେଟ୍ ମିଳିବ ନାହିଁ ବୋଲି ସଙ୍କେତ ମିଳିଥିଲା।

କଂଗ୍ରେସ ମୁମ୍ବାଇ ଉତ୍ତର-ମଧ୍ୟ ଆସନରୁ ପ୍ରାର୍ଥୀ ଭାବେ ଦଳର ମୁମ୍ବାଇ ଶାଖା ମୁଖ୍ୟ ତଥା ଧାରାବୀ ବିଧାୟିକା ବର୍ଷା ଗାୟକୱାଡଙ୍କୁ ମଇଦାନକୁ ଓହ୍ଲାଇଛି। ମେ ୨୦ରେ ପଞ୍ଚମ ପର୍ଯ୍ୟାୟରେ ମୁମ୍ବାଇରେ ମତଦାନ ଅନୁଷ୍ଠିତ ହେବ ।

ଲୋକସଭା ନିର୍ବାଚନ ସହିତ ହେବାକୁ ଥିବା ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଜେପି ଶନିବାର ଆଉ ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

Comments are closed.