ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର: ବିକାଶ ପ୍ରସଙ୍ଗରେ ବିରୋଧୀଙ୍କୁ ପୁଣି ଟାର୍ଗେଟ

ରାଉରକେଲା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲାରେ ନିର୍ବାଚନ ପ୍ରଚାର। ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୁଲାଇ ମାସରୁ ଆଉ ବିଜୁଳି ବିଲ ଦେବାକୁ ପଡିବନି ବୋଲି ଦୋହରାଇଛନ୍ତି। ଏଥିସହ ସେ ବିକାଶ ପ୍ରସଙ୍ଗରେ ବିରୋଧୀ ଦଳକୁ ପୁଣି ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ଯେ, ବିରୋଧୀ ଦଳ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ ଯୋଜନା, ୫-ଟି ସ୍କୁଲ ରୂପାନ୍ତରଣ, ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ, କାଳିଆ ଯୋଜନା, ଚାଉଳ କାର୍ଡ ଭଲ କି ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରି ଜନତାଙ୍କ ମତାମତ ନେଇଥିଲେ। ସୁନ୍ଦରଗଡରେ ବିକାଶର ଧାରାକୁ ଆହୁରି ଆଗେଇ ନେବାକୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ଜୁନ ୯ ତାରିଖରେ ବିଜୁଳି ବିଲ ଛାଡ କରିବା ପରେ ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ପାଇନଥିବା ସବୁ ଲୋକଙ୍କୁ କାର୍ଡ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସରକାରୀ କର୍ମଚାରୀ, ଆଶା ଦିଦି, ଅଙ୍ଗନୱାଡି କର୍ମୀ ବି ବିଏସକେୱାଇ କାର୍ଡ ପାଇବେ ବୋଲି ସେ କହିଛନ୍ତି ।

ବିଜେଡିର ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ । ଗତ ୨୦ ବର୍ଷ ଧରି ସୁନ୍ଦରଗଡବାସୀ ଜଣଙ୍କୁ ସାଂସଦ ଭାବେ ନିର୍ବାଚିତ କରୁଛନ୍ତି। ତେବେ, ୨୦ ବର୍ଷ ଧରି ସୁନ୍ଦରଗଡ କି ରାଉରକେଲା ପାଇଁ ଆପଣ ନିର୍ବାଚିତ ସାଂସଦ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ରାଉରକେଲାକୁ ବିଶ୍ବ ଦରବାରରେ ଏକ ନୂଆ ପରିଚୟ ଦେଇଛନ୍ତି। ରାଉରକେଲାରେ ବିଶ୍ବକପ ଆୟୋଜନ ସ୍ବପ୍ନରେ ମଧ୍ୟ ଚିନ୍ତା କରାଯାଇନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଛି ବୋଲି ପାଣ୍ଡିଆନ କହିଥିଲେ।

ପେଟ୍ରୋଲ-ଡିଜେଲ ଦର ହ୍ରାସ ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ କରିବାକୁ ବିରୋଧୀ ଦଳର ଘୋଷଣା କେବଳ ଘୋଷଣାରେ ହିଁ ରହିଯାଇଥିବା ବୋଲି ପାଣ୍ଡିଆନ କହିଥିଲେ । ମୁଖ୍ୟମନ୍ତ୍ରୀ କିନ୍ତୁ ସୁନ୍ଦରଗଡରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି। ନିର୍ବାଚନ ଆସିଲେ ବିରୋଧୀ ବଡ ବଡ କଥା କୁହନ୍ତି, କାମ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି, ଅଧିକ କାମ କରନ୍ତି। ସୁନ୍ଦରଗଡରେ ବିକାଶ ଧାରା ଜାରି ରଖିବାକୁ ବିଜେଡିକୁ ଆଶୀର୍ବାଦ କରିବା ପାଇଁ ସମୟ ଆସିଛି ବୋଲି ପାଣ୍ଡିଆନ କହିଥିଲେ ।

Comments are closed.