ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସ୍ବତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆଇନର ବ୍ୟାପକ ଦୁରୁପଯୋଗ ନେଇ ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ଏକ ସ୍ୱତନ୍ତ୍ର ଅଦାଲତ ମନି ଲଣ୍ଡରିଂ ଅଭିଯୋଗର ସଜ୍ଞାନ ନିଅନ୍ତି, ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ଧାରା ୧୯ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିପାରିବ ନାହିଁ ବୋଲି କହିଛନ୍ତିି ସୁପ୍ରିମକୋର୍ଟ।

ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଉଜ୍ବଳ ଭୁୟାଁଙ୍କ ଏକ ଖଣ୍ଡପୀଠ କହିଛନ୍ତି, ଯେତେବେଳେ ଜଣେ ଅଭିଯୁକ୍ତ ସମନ ପାଇ କୋର୍ଟରେ ହାଜର ହୁଅନ୍ତି, ସେତେବେଳେ ତାଙ୍କୁ ହାଜତକୁ ନେବା ପାଇଁ ଇଡିକୁ ସମ୍ପୃକ୍ତ କୋର୍ଟରେ ଆବେଦନ କରିବାକୁ ପଡ଼ିବ।

ଖଣ୍ଡପୀଠ କହିଛନ୍ତି ଯେ, ଯଦି ଅଭିଯୁକ୍ତ ସମନ (କୋର୍ଟ ଦ୍ବାରା ଜାରି) ଜରିଆରେ ସ୍ୱତନ୍ତ୍ର କୋର୍ଟରେ ହାଜର ହୁଅନ୍ତି, ତେବେ ସେ ହାଜତରେ ଅଛନ୍ତି ବୋଲି ଧରାଯିବ ନାହିଁ।

ନିଜ ରାୟରେ ଖଣ୍ଡପୀଠ କହିଛନ୍ତି, ‘ସମନ ପରେ କୋର୍ଟରେ ହାଜର ହୋଇଥିବା ଅଭିଯୁକ୍ତ ଜାମିନ ଆବେଦନ କରିବା ଆବଶ୍ୟକ ନୁହେଁ । ତେଣୁ ଏଭଳି ସ୍ଥିତିରେ ପିଏମ୍ଏଲ୍ଏ ର ଧାରା ୪୫ର ଦୁଇଟି ସର୍ତ୍ତ ଲାଗୁ ହେବ ନାହିଁ।’

ଉଭୟ ସର୍ତ୍ତରେ ଦର୍ଶାଯାଇଛି ଯେ ଯେତେବେଳେ ମନି ଲଣ୍ଡରିଂ ମାମଲାରେ ଜଣେ ଅଭିଯୁକ୍ତ ଜାମିନ ଆବେଦନ କରନ୍ତି, ସେତେବେଳେ କୋର୍ଟ ପ୍ରଥମେ ସରକାରୀ ଓକିଲଙ୍କ ପକ୍ଷ ଶୁଣିଥାନ୍ତି । ଅଭିଯୁକ୍ତଙ୍କୁ କେବଳ ସେତେବେଳେ ଜାମିନ ପ୍ରଦାନ କରାଯାଇ ପାରିବ ଯେବେ କୋର୍ଟ ସନ୍ତୁଷ୍ଟ ହେବେ ଯେ ସେ ଦୋଷୀ ନୁହଁନ୍ତି ଏବଂ ମୁକ୍ତ ହେଲେ ପୁଣି ସମାନ ଅପରାଧରେ ସଂଶ୍ଲିଷ୍ଟ ହେବେ ନାହିଁ ।

ସ୍ୱତନ୍ତ୍ର ଅଦାଲତ ଅପରାଧର ସଜ୍ଞାନ ନେବା ସତ୍ତ୍ବେ ମନି ଲଣ୍ଡରିଂ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଜାମିନ ପାଇଁ ଦୁଇଥର ବିଚାରଣାର ସାମ୍ନା କରିବାକୁ ପଡ଼ିବ କି ? ଏହି ପ୍ରଶ୍ନ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ପ୍ରଦାନ କରିଛନ୍ତି।

Comments are closed.