ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ବିଜେପି ନେତା, ଗୋବିନ୍ଦପୁର ଥାନାରେ ମାମଲା

ସମ୍ୱଲପୁର ; ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ହାରିବା ଭୟରେ ଅତି ନୀଚ ରୁ ନୀଚ ସ୍ତରକୁ ଚାଲିଗଲାଣି । ବିଜେପି ନେତାମାନଙ୍କ ଦ୍ଵାରା ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ହେଲା ପରେବି ସେମାନେ ଇନ୍ଦ୍ର ଚନ୍ଦ୍ର ମାନିବାକୁ ନାହାନ୍ତି । ନୀତି ନିୟମ କୁ ଜଳାଞ୍ଜଳି ଦେଇ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ନିରୀହ ମହିଳା ମାନଙ୍କୁ ଟାର୍ଗେଟ କରୁଛନ୍ତି । ମିଶନ ଶକ୍ତିରେ କାମ କରୁଥିବା ମହିଳାମାନଙ୍କ ବ୍ୟକ୍ତିଗତ ଜୀବନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କର ଫୋନ ଟେପିଂ କରୁଛନ୍ତି । ପୁଣି ଧମକଚମକ ଦେଉଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ବ୍ଲକ ଅଞ୍ଚଳରୁ । ବିଜେପି ନେତାଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଧିନସ୍ଥ ପିଣ୍ଡାପଥର ଗ୍ରାମରେ ରୁହନ୍ତି ସନ୍ଧ୍ୟା ବାଗ । ବାମରା ବ୍ଲକରେ ସିଆରପି ସିଏମ ଭାବରେ କାର୍ଯ୍ୟ କରୁଛନ୍ତି । ଗତକାଲି ବାମରା ବ୍ଲକ୍ ବିଜେପି ସଭାପତି ନରେଶ ସିଂ ଠାକୁର ଓରଫ ପାପୁନ ତାଙ୍କୁ ଫୋନ କରି ଅନେକ କଥା କହି ଡରାଇଛନ୍ତି । ନିର୍ବାଚନ ଆୟୋଗଙ୍କ ନାମରେ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଛନ୍ତି । ସେ ଧମକ ଦେଇଥିଲେ ଯେ ତୁମେ କୌଣସି ମିଟିଂ ଆୟୋଜନ କରି ପାରିବ ନାହିଁ | ତୁମର ମୋବାଇଲ ନମ୍ବର ଟେପିଂ ହେଉଛି । ତୁମେ କାହା ସାଙ୍ଗରେ କଣ କଥାବାର୍ତ୍ତା କରୁଛ ସବୁ ଆମ ପାଖରେ ରେକର୍ଡିଂ ଅଛି ବୋଲି କହିଥିଲେ । କେବଳ ଏତିକି ନୁହେଁ ପାପୁନ ଓ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ମୋଟରସାଇକେଲରେ ତାଙ୍କ ଘରକୁ ଯାଇଥିଲେ ଏବଂ କାହିଁକି ସଭା ଆୟୋଜନ କରୁଛ ବୋଲି ପଚାରିଥିଲେ ଏବଂ ମୋତେ ଅଶ୍ଳୀଳ ଭାଷାରେ ପାଟି କରି ଧମକ ଦେଇଥିଲେ । ଜାତିଗତ ଆକ୍ଷେପ କରିବା ସହିତ ବିଜେପି ପାଇଁ କାମ କରିବାକୁ ଆଦେଶ ଦେଇଥିବା ସନ୍ଧ୍ୟା ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ବିଜେପି ନେତାଙ୍କ ଦ୍ଵାରା ବାରମ୍ବାର ମାନସିକ ଭାବରେ ଅତ୍ୟାଚାରିତା ହେବା ପରେ ସନ୍ଧ୍ୟା ବାଗ ଶେଷରେ ଗୋବିନ୍ଦପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି । ବିଜେପି ମଣ୍ଡଳ ସଭାପତିଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ନିର୍ବାଚନରେ ହାର ସୁନିଶ୍ଚିତ ବୋଲି ଜାଣିବା ପରେ ଭାରତୀୟ ଜନତା ପାର୍ଟିର ନେତାମାନେ କେମିତି ହିଂସ୍ର ହୋଇ ଉଠିଛନ୍ତି ଏହାର ତାହାର ଏକ ଉଦାହରଣ ଅଟେ । ବିଜେପି ନେତାଙ୍କ କାର୍ଯ୍ୟକଳାପ ଯୋଗୁଁ ସନ୍ଧ୍ୟା ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ମହିଳାମାନଙ୍କୁ ନିର୍ଯାତନା ଦେଉଥିବା ଏଭଳି ନେତାଙ୍କ ବିରୋଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମିଶନ ଶକ୍ତି ମହିଳାମାନେ ଦାବି କରିଛନ୍ତି ।

Comments are closed.