ସମ୍ବଲପୁରରେ ନବୀନଙ୍କ ନିର୍ବାଚନ ପ୍ରଚାର, ଅଇଁଠାପାଲି ସଭାରେ ବିରୋଧୀଙ୍କୁ ଶାଣିତ ଆକ୍ରମଣ

ସମ୍ବଲପୁର – ପଶ୍ଚିମ ଓଡ଼ିଶା ଗସ୍ତରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ଆଜି ଜୋରଦାର ନିର୍ବାଚନ ପ୍ରଚାର କରି ବିଜେଡିକୁ ଆଶୀର୍ବାଦ କରିବା ପାଇଁ ଭୋଟରଙ୍କୁ ଅପିଲ କରିଛନ୍ତି। ସ୍ଥାନୀୟ ଅଇଁଠାପାଲିରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସାମଗ୍ରିକ ବିକାଶ ପାଇଁ ବିଜେଡିକୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ନବୀନ। ଏହି ଅବସରରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ମନେ ପକାଇ ଦେଇଛନ୍ତି ନବୀନ। ଆସନ୍ତା ଜୁଲାଇରୁ ଲୋକଙ୍କୁ ମୁକ୍ତ ବିଜୁଳି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଜନସଭାରେ କହିଥିଲେ। କ୍ଷମତାକୁ ଆସିଲେ ବିଡ଼ି ଶ୍ରମିକମାନଙ୍କ ପାଇଁ ତାଙ୍କ ସରକାର ଏକ ପ୍ୟାକେଜ ଘୋଷଣା କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ତାଙ୍କ ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ କହିଥିଲେ ନବୀନ । ବିଏସକେୱ।ଇ, ମିଶନ ଶକ୍ତି, ୫-ଟି ସ୍କୁଲ ରୂପାନ୍ତରଣ, ଲକ୍ଷ୍ମୀ ବସ୍ ସେବା, ମଧୁବାବୁ ପେନସନ ଯୋଜନା ଓ ମମତା ଯୋଜନାର ଉଦାହରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ଜନସଭାରେ ବିରୋଧୀଙ୍କୁ ଜୋରଦାର ଆକ୍ରମଣ କରିଥିଲେ ମୁଖ୍ୟମନ୍ତ୍ରୀ। ବିକାଶ ପ୍ରସଙ୍ଗରେ ବିରୋଧୀ ଦଳ ନେତାମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଲୋକଙ୍କୁ ମିଛ କହି ଭୁଆଁ ବୁଲାଉଛନ୍ତି ।

Comments are closed.