ନିର୍ବାଚନ ପୂର୍ବରୁ ଜମ୍ମୁ-କାଶ୍ମୀରର ଦୁଇଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ; ପର୍ଯ୍ୟଟକ ଦମ୍ପତିଙ୍କୁ ଗୁଳି, ବିଜେପି ନେତାଙ୍କୁ ହତ୍ୟା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଶନିବାର (ମେ ୧୮) ରାତିରେ ଘଣ୍ଟାକ ମଧ୍ୟରେ ଦୁଇଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ପ୍ରଥମ ଘଟଣା ଅନନ୍ତନାଗର ପହଲଗାମ ନିକଟରେ ଘଟିଥିଲା । ଏଠାରେ ଏକ ପର୍ଯ୍ୟଟନ ଶିବିରରେ ଆତଙ୍କବାଦୀମାନେ ଜଣେ ଦମ୍ପତିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ର ଶିକାର ଦମ୍ପତି ରାଜସ୍ଥାନ ଜୟପୁରର ବାସିନ୍ଦା ଓ ଦୁହେଁ ରିସୋର୍ଟରେ ରହୁଥିଲେ।

ମହିଳାଙ୍କ ନାମ ଫାରା ଏବଂ ତାଙ୍କ ସ୍ୱାମୀଙ୍କ ନାମ ତାବ୍ରେଜ | ସ୍ୱାମୀଙ୍କ ମୁଣ୍ଡରେ ଗୁଳି ବାଜିଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି। ପତ୍ନୀ ଫାରାଙ୍କ ଛାତି ଏବଂ କାନ୍ଧରେ ଆଘାତ ଲାଗିଛି। ତାଙ୍କ ଅବସ୍ଥା ସ୍ଥିର ଅଛି।

ଏହି ଘଟଣା ପରେ ଦମ୍ପତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଉଭୟଙ୍କୁ ବିଳମ୍ବିତ ରାତିରେ ଜିଏମସି ଅନନ୍ତନାଗକୁ ରେଫର୍ କରାଯାଇଥିଲା। ଏହା ପରେ ଦମ୍ପତିଙ୍କୁ ରବିବାର ସକାଳେ ଶ୍ରୀନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାର କିଛି ସମୟ ପରେ ଆତଙ୍କବାଦୀମାନେ ସୋପିଆନର ହେରପୋରାରେ ରାତି ପ୍ରାୟ ୧୦.୩୦ରେ ସ୍ଥାନୀୟ ବିଜେପି ନେତା ଐଜାଜ ଅହମ୍ମଦ ଶେଖଙ୍କୁ ଗୁଳିକରି ହତ୍ୟା କରିଥିଲେ। ଐଜାଜ ଅହମ୍ମଦ ଜଣେ ପୂର୍ବତନ ସରପଞ୍ଚ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।

ଧାରା ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସଦ୍ୟତମ ଆତଙ୍କବାଦୀ ଆକ୍ରମଣ ଚିନ୍ତାର କାରଣ ହୋଇଛି। ମେ ୨୦ରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନ୍ତର୍ଗତ ବାରାମୁଲ୍ଲା ଆସନରେ ଭୋଟ୍ ଗ୍ରହଣ ହେବ। ମେ ୨୫ରେ ଷଷ୍ଠ ପର୍ଯ୍ୟାୟରେ ଅନନ୍ତନାଗ-ରାଜୌରୀ ଆସନରେ ମତଦାନ ହେବ। ଏପ୍ରିଲ ୧୯ ଓ ୨୬ରେ ଉଧମପୁର ଏବଂ ଜମ୍ମୁରେ ମତଦାନ ହୋଇଥିବା ବେଳେ ମେ ୧୩ରେ ଶ୍ରୀନଗରରେ ଭୋଟ୍ ପଡ଼ିଥିଲା।

Comments are closed.