ଆନନ୍ଦପୁରରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କୁ ପ୍ରହାର

ଆନନ୍ଦପୁର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନନ୍ଦପୁରରେ ନିର୍ବାଚନ ପ୍ରଚାର କରି ବିରୋଧୀ ଦଳ ଉପରେ କଡା ପ୍ରହାର କରିଛନ୍ତି। ସେ କହିଛନ୍ତି ଯେ, ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର । କିନ୍ତୁ ବିକାଶ ହେଉଛି ବିଜେଡିର ଅସ୍ତ୍ର। ବିରୋଧୀଙ୍କ କୁମ୍ଭୀର କାନ୍ଦଣା ଚଳିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ଆନନ୍ଦପୁର ଓ ଘଷିପୁରାର ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଏସକେୱଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ମମତା, ୫-ଟି ସ୍କୁଲ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‌ସନ, ଚାଉଳ କାର୍ଡ ଇତ୍ୟାଦି ବିଭିନ୍ନ ଜଲକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଜନମତ ନେଇଥିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ କି ବୋଲି ପଚାରିଥିଲେ । ସମବେତ ଜନତାଙ୍କ ‘ହଁ’ ରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ ।

ଜୁଲାଇରୁ ବିଜୁଳ ବିଲ୍‌ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବ, ଆପଣଣାନେ ଖୁସି ତ? ପୁରୀ ମନ୍ଦିର ଓ ମା’ ସମଲେଇ ପ୍ରକଳ୍ପ କାମ ଭଲ ହୋଇଛି କି ନାହିଁ ପଚାରିଥିଲେ ମୁଖ୍ୟମନ୍ତ୍ରୀ। ବହୁତ ଭଲ ବୋଲି ଉଚ୍ଚ ସ୍ବରରେ ଉତ୍ତର ଦେଇଥିଲେ ଜନତା ।

ଆନନ୍ଦପୁର ପ୍ରଚାର ସଭାରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଭାଷଣ ଦେଇଥିଲେ। ବିରୋଧୀ ଦଳକୁ ପୁଣି ଟାର୍ଗେଟ କରିଥିଲେ ପାଣ୍ଡିଆନ। ଲୋକେ ବିଜେପିର ଚାଲକୁ ବୁଝନ୍ତୁ । ବିଜେପିର ମିଛ ପ୍ରଚାର ବିଷୟରେ ମଧ୍ୟ ସମସ୍ତଙ୍କୁ ସତର୍କ କରାନ୍ତୁ ବୋଲି ଅପିଲ୍ କରିଥିଲେ ପାଣ୍ଡିଆନ। ଲୋକଙ୍କ ଉତ୍ସାହ ଦେଖି ବିରୋଧୀଙ୍କ ନିଦ ଭାଙ୍ଗିଗଲାଣି, ଜଣାପଡୁଛି ବିରୋଧୀଙ୍କୁ ଆପଣ ଠିକ୍‌ ଜବାବ ଦେବେ ବୋଲି ସଭାକୁ କହିଥିଲେ ପାଣ୍ଡିଆନ । ଆପଣମାନଙ୍କ ଖୁସିରେ ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟ ସବୁଠାରୁ ଭଲ ଜାଗାରେ ସେ ଆଦିବାସୀ ଭାଇଭଉଣୀ ମାନଙ୍କୁ ରଖିଛନ୍ତି, ଆଦିବାସୀ ସଂପ୍ରଦାୟଙ୍କୁ ସେ ବହୁତ ଭଲ ପାଆନ୍ତି । ସେମାନଙ୍କ କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଡବଲ ଇଞ୍ଜିନ କଥା କହୁଥିବା ବିଜେପି ସରକାର କହିପାରିବେ କି, କେଉଁ ରାଜ୍ୟରେ ଆଦିବାସୀ ମାନଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀ ମାନଙ୍କ ଉପରୁ ୫୦ ହଜାର ଛୋଟ ବଡ ପୋଲିସ କେସ୍‌ ରଦ୍ଦ କରିଛନ୍ତି । ହଜାର ହଜାର ହଷ୍ଟେଲ ମାଧ୍ୟମରେ ଲକ୍ଷ ଲକ୍ଷ ଆଦିବାସୀ ପିଲାଙ୍କୁ ପାଠ ପଢାଉଛନ୍ତି । ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଭାଇଭଉଣୀମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି ।
ବିରୋଧୀ ଦଳ ନେତା ମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ଭଲ ପାଇବା ଦେଖି ପୁରା ଭାଙ୍ଗି ପଡିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

ସେ ପୁଣି କହିଥିଲେ ଯେ, ଜୁନ ୯ ରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହା ସାରା ଓଡିଶା ଜାଣିଲାଣି । ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ ଉପରେ ହେବ । ଦ୍ବିତୀୟ ଦସ୍ତଖତ ହେବ ସମସ୍ତେ ବିଏସକେୱ।ଇ ନବୀନ କାର୍ଡ ପାଇବେ । ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା, ଏହା ସେମାନଙ୍କର ବହୁ ଦିନର ଦାବି ଥିଲା

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିରୋଧୀଙ୍କୁ ସକ୍‌ ମାରିଲାଣି, ସେମାନେ କହୁଛନ୍ତି ବିଜୁଳି ମାଗଣା ଦେବେ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ତା ପରେ ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟକିରଣରୁ ପାଇବେ ମାଗଣା ବିଜୁଳି । ବିଜେପି ଦିନରେ ଲଣ୍ଠନ ଦେଖାଉଛି ବୋଲି ପାଣ୍ଡିଆନ କହିଥିଲେ। ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସୁଖଦୁଃଖରେ ଅଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ।

Comments are closed.