ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ : ଚର୍ଚ୍ଚିତ ଆସନ ଓ ପ୍ରମୁଖ ପ୍ରାର୍ଥୀ

ଭୁବନେଶ୍ବର – ରାଜ୍ୟରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ୩୫ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ୩୦୫ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୭୯ ଲକ୍ଷରୁ ଅଧିକ ଭୋଟର। ଏହି ପର୍ଯ୍ୟାୟରେ ୧୫ରୁ ଅଧିକ ହେଭିୱଟ ନେତା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କା ସଂସଦୀୟ କ୍ଷେତ୍ରର ହିଞ୍ଜିଳି ବିଧାନସଭା ଓ ବଲାଙ୍ଗିର ସଂସଦୀୟ କ୍ଷେତ୍ରର କଣ୍ଟାବାଞ୍ଜି ବିଧାନସଭା ଏଥର ଲଢୁଛନ୍ତି। ଦୁଇଟି ଯାକ ଆସନରେ ଆଜି ମତଦାନ ହେଉଛି। ହିଞ୍ଜିଳିରୁ ଷଷ୍ଠ ଥର ପାଇଁ ଲଢୁଛନ୍ତି ନବୀନ । କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ଲଢୁଛନ୍ତି ବିଜେଡି ସୁପ୍ରିମୋ।

ଏହି ପର୍ଯ୍ୟାୟର ଅନ୍ୟ ପ୍ରମୁଖ ପ୍ରାର୍ଥୀ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ସୁନ୍ଦରଗଡ଼ ଲୋକସଭା ଆସନରୁ ଲଢ଼ୁଛନ୍ତି ଜୁଏଲ ଓରାମ। ବିଜେଡିର ଦିଲୀପ ତିର୍କୀଙ୍କ ସହ ତାଙ୍କର ଟକ୍କର ହେଉଛି। ତେଣୁ ଏହି ଆସନ ଉପରେ ବି ସମସ୍ତଙ୍କର ନଜର ରହିବ ।

ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କନ୍ଧମାଳ ଲୋକସଭା ଆସନରୁ ଡକ୍ଟର ଅଚ୍ୟୁତ ସାମନ୍ତ, ସୋନପୁର ଆସନରୁ ନିରଞ୍ଜନ ପୂଜାରୀ, ରାଉରକେଲାରୁ ଦିଲୀପ ରାୟ ଓ ସାରଦା ନାୟକ, ବରଗଡ଼ ଲୋକସଭା ଆସନ‌ରୁ ପ୍ରଦୀପ ପୁରୋହିତ, ଟିଟିଲାଗଡ଼ ବିଧାନସଭା ଆସନରୁ ଟୁକୁନି ସାହୁ, ଭଞ୍ଜନଗର ଆସନରୁ ବିକ୍ରମ କେଶରୀ ଆରୁଖ, ବଲାଙ୍ଗୀର ବିଧାନସଭା ଆସନରୁ କଳିକେଶ ନାରାୟଣ ସିଂହଦେଓ, ସାନଖେମୁଣ୍ଡିରୁ ରମେଶ ଜେନା ।

Comments are closed.