ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, କେହି ବି ଜୀବିତ ନଥିବା ସୂଚନା

ତେହେରାନ: ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି । ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବିଦେଶ ମନ୍ତ୍ରୀ ମଧ୍ୟ ଏହି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଇରାନ ଗଣମାଧ୍ୟମ ଦାବି କରିଛି। ବହୁ ଘଣ୍ଟାର ଉଦ୍ୟମ ପରେ ହେଲିକପ୍ଟରର ଧ୍ୱଂସାବଶେଷ ଠାବ ହୋଇଛି । ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ରବିବାର ଇରାନ ସୀମାନ୍ତ ଆଜରବାଇଜାନର ଘଞ୍ଚ ତଥା ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ହେଲିକପ୍ଟରରେ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ବ୍ୟତୀତ ଇରାନର ବିଦେଶ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଥିଲେ। ପାଗ ଖରାପ ଯୋଗୁଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ବିଳମ୍ବ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରିବା ପାଇଁ ଏକ ବହୁ ସ୍ତରୀୟ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପାଗରେ ସୁଧାର ଆସିବା ପରେ ସୋମବାର ସକାଳେ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରିଛନ୍ତିି।

ଇରାନର ରେଡକ୍ରସର ମୁଖ୍ୟଙ୍କ କହିବାନୁସାରେ ଉଦ୍ଧାରକାରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ହେଲିକପ୍ଟର ଧ୍ୱଂସାବଶେଷ ଠାବ କରିଛି। ଉଦ୍ଧାରକାରୀ ଦଳରୁ ଆମେ ଭିଡିଓ ପାଇଛୁ | ଦୁର୍ଘଟଣା ପରେ ହେଲିକପ୍ଟର ପୁରା ଜଳି ଯାଇଛି। ଇରାନର ସରକାରୀ ସମ୍ବାଦ ସରବରାହ ସଂସ୍ଥା ‘ଆଇଆରଏନଏନ’ ଏବଂ ନ୍ୟୁଜ ଏଜେନ୍ସି ମେହେର ନ୍ୟୁଜ ମୁତାବକ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟରର ଦୁର୍ଘଟଣାସ୍ଥଳରେ କେହି ଜୀବିତ ନାହାଁନ୍ତି।

ରାଷ୍ଟ୍ରପତି ଇବ୍ରାହିମ ରଇସି ରବିବାର ଆଜରବାଇଜାନରେ ଏକ ଦୁଇଟି ଡ୍ୟାମର ଉଦଘାଟନ କରି ଫେରୁଥିବା ବେଳେ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ଇରାନର ରାଜଧାନୀ ତେହେରାନ ଠାରୁ ପ୍ରାୟ ୬୦୦ କିଲୋମିଟର ଦୂର ଆଜରବାଇଜାନ ସୀମାରେ ଥିବା ଜୁଲଫା ସହର ନିକଟରେ ଘଟିଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହେଲିକେପ୍ଟରରେ ରାଷ୍ଟ୍ରପତି ରଇସିଙ୍କ ସହ ଇରାନର ବିଦେଶ ମନ୍ତ୍ରୀ ହୋସେନ୍ ଅମିରାବଦୁଲିୟାନଙ୍କ, ଇରାନର ପୂର୍ବ ଆଜରବାଇଜାନ ପ୍ରଦେଶର ରାଜ୍ୟପାଳ ତଥା ଅନ୍ୟ ଅଧିକାରୀ ତଥା ଅଙ୍ଗରକ୍ଷୀମାନେ ଥିଲେ।

୬୩ ବର୍ଷୀୟ ଇବ୍ରାହିମ ରଇସି ଜଣେ ଚରମପନ୍ଥୀ ନେତା ଭାବେ ପରିଚିତ। ତାଙ୍କୁ ଇରାନର ସର୍ବୋଚ୍ଚ ନେତା ୮୫ ବର୍ଷ ବୟସ୍କ ଆୟତୋଲ୍ଲା ଅଲି ଖାମେନିଙ୍କ ଉତ୍ତରାଧିକାରୀ ଭାବେ ବିବେଚିତ କରାଯାଉଥିଲା । ରଇସି ୨୦୨୧ରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ।

Comments are closed.