ଆସିକା ଲୋକସଭା ଆସନରେ ଉତ୍ସାହଜନକ ଭୋଟିଂ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି ଜାରି ରହିଛି। ଆସିକା ଲୋକସଭା ଆସନ ଓ ଏଥିଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ହିଞ୍ଜିଳି, ସାନଖେମୁଣ୍ଡି, ଆସିକା, ପୋଲସରା, କବିସୂର୍ଯ୍ୟନଗର, ସୋରଡ଼ା ଓ ଖଲ୍ଲିକୋଟରେ ମତଦାନ ଜାରି ରହିଛି। ଏଥିସହ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା କ୍ଷେତ୍ରରେ ମଧ୍ୟ ଭୋଟିଂ ଚାଲିଛି। ଆସିକା ସାଂସଦ ପ୍ରାର୍ଥୀ ୪ ଜଣ ଓ ଉପରୋକ୍ତ ୮ଟି ବିଧାନସଭା ଆସନର ୪୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର। ଏମାନଙ୍କ ମଧ୍ୟରେ ପ୍ରମୁଖ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ହିଞ୍ଜିଳି), ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ (ଭଞ୍ଜନଗର), ପୂର୍ବତନ ମନ୍ତ୍ରୀ ତଥା ଲଗାତାର ତୃତୀୟ ଥର ନିର୍ବାଚନ ଲଢୁଥିବା ଶ୍ରୀକାନ୍ତ ସାହୁ (ପୋଲସରା) ପ୍ରମୁଖ ରହିଛନ୍ତି। ଏହି ନିର୍ବାଚନରେ ବିଜେଡିର ଜଣେ ସାଂସଦ ଓ ୫ ଜଣ ବିଧାୟକ ମହିଳା ପ୍ରାର୍ଥୀ ରହିଥିବା ବେଳେ ବିଜେପିର ଜଣେ ମାତ୍ର ସାଂସଦ ମହିଳା ପ୍ରାର୍ଥୀ ଓ କଂଗ୍ରେସର ଜଣେ ମାତ୍ର ବିଧାୟକ ମହିଳା ପ୍ରାର୍ଥୀ ରହିଛନ୍ତି। କହିବାକୁ ଗଲେ ଏହି ଲୋକସଭା ଆସନ ନିର୍ବାଚନ ଏକପ୍ରକାର ମହିଳା ସଶକ୍ତୀକରଣର ଲଢେଇ ଭାବେ ପରିଗଣିତ ହେଉଛି।

ଲୋକସଭା ନିର୍ବାଚନରେ ବିଜେଡିରୁ ରଞ୍ଜିତା ସାହୁ, ବିଜେପିରୁ ଅନିତା ଶୁଭଦର୍ଶିନୀ, କଂଗ୍ରେସରୁ ଦେବକାନ୍ତ ଶର୍ମା ଓ ସିପିଆଇରୁ ରାମକୃଷ୍ଣ ପଣ୍ଡା ଭୋଟ ଲଢେଇରେ ଅଛନ୍ତି। ସେମାନଙ୍କ ମଧ୍ୟରେ ରଞ୍ଜିତା ଓ ଦେବକାନ୍ତ ନୂଆ ଚେହେରା ଥିବା ବେଳେ ଅନ୍ୟ ଦୁଇ ଚେହେରା ପୁଣି ଥରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ସୋରଡ଼ାକୁ ବାଦ୍ ଦେଲେ ଅନ୍ୟ ୭ଟି ଆସନରେ ଗତଥର ବିଧାୟକ/ବିଧାୟିକା ନିର୍ବାଚିତ ହୋଇଥିବା ପ୍ରାର୍ଥୀ ଏଥର ପୁଣି ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ସୋରଡ଼ାରେ ଗତଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ବାଇଁ ବିଜେଡି ଟିକଟରେ ଲଢୁଛନ୍ତି। ସେହିପରି ଉପରୋକ୍ତ ୮ଟି ବିଧାନସଭା ଆସନ ମଧ୍ୟରୁ ସାନଖେମୁଣ୍ଡିରେ କଂଗ୍ରେସ ଜିଣିଥିବା ବେଳେ ଅନ୍ୟ ୭ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜୟୀ ହୋଇଥିଲା।

ଆଜି ସକାଳୁ ବିଭିନ୍ନ ସ୍ଥାନରେ ନିଜ ନିଜର ବୁଥରେ ପ୍ରାର୍ଥୀମାନେ ଭୋଟଦାନ କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୮ଟି ନିର୍ବାଚନ ମଣ୍ଡଳୀର ୧୯୫୭ ବୁଥରେ ୧୯ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରେ ୨ ଜଣ ଡିଏସପିଙ୍କୁ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ କରାଯାଇଛି। ମୋଟରେ ୮ ଜଣ ଏଏସପି, ୩୮ ଜଣ ଆଇଆଇସି ବା ସେକ୍ଟର୍ ଅଫିସର୍, ୨୮୬ ଜଣ ଏସ୍ଆଇ ଓ ଏଏସ୍ଆଇ, ୧୮୭୨ କନଷ୍ଟେବଳ ଓ ହୋମଗାର୍ଡ ସମେତ ୧୬୫ ମୋବାଇଲ୍ ପାଟ୍ରୋଲିଂ ପାର୍ଟି ମୁତୟନ ହୋଇଛନ୍ତି। ମୋଟ ୧୮ ଲକ୍ଷ ୬୦ ହଜାର ୪୨୭ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବା ସୁଯୋଗ ପାଇଛନ୍ତି। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ୩୩.୯୭ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Comments are closed.