ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ: ଧର୍ମୀୟ ବିଶ୍ୱାସରେ ନୃସିଂହ ବ୍ରତ କଲେ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ
ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ହିନ୍ଦୁ ଧର୍ମାବଲମ୍ବୀଙ୍କଦ୍ୱାରା ପାଳନ କରାଯାଏ । ଲୋକ ବିଶ୍ୱାସ ଅନୁସାରେ ବିଷ୍ଣୁଙ୍କର ଦଶାବତାର ମଧ୍ୟରେ ନୃସିଂହ ଚତୁର୍ଥ ଅବତାର ଅଟନ୍ତି । ନର (ମଣିଷ) ଓ ସିଂହର ମିଶ୍ରଣକୁ ନୃସିଂହ କୁହାଯାଏ । ସିଂହର ମସ୍ତକ ଓ ମନୁଷ୍ୟ ଶରୀର ଧାରଣ କରି ନୃସିଂହ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆବିର୍ଭାବ ହୋଇଥିଲେ । ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯାତନା ମୁକ୍ତ କରିବା ପାଇଁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି ରାଜା ହିରଣ୍ୟକଶିପୁଙ୍କୁ ବିଦାରଣ କରିଥିବାର ବର୍ଣ୍ଣନା ରହିଛି ।
ପୌରାଣିକ କିମ୍ବଦନ୍ତୀ : ନୃସିଂହ ପୁରାଣରେ ନୃସିଂହ ବ୍ରତ ଓ ପୂଜାର ଫଳକଥା ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରହ୍ଲାଦର ଭକ୍ତି ବିଷୟରେ ନୃସିଂହ କହିଛନ୍ତି – ପୂର୍ବଜନ୍ମରେ ଜ୍ଞାନୀ ବ୍ରାହ୍ମଣ ଅବନ୍ତୀ ନଗରରେ ବାସକରୁଥିବା ବସୁ ଶର୍ମାଙ୍କର ପୁତ୍ର ଥିଲେ ପ୍ରହ୍ଲାଦ । ବିଦ୍ୟାଧ୍ୟୟନ ଛାଡି ସେ ସୁରାପାନ ଓ ଗଣିକାଳୟ ଗମନ ଆଦି କୁକର୍ମରେ ଲିପ୍ତ ରହିଥିଲେ । ଏକଦା ଗଣିକା ସହ କଳହ କରି ସେ ସେହିଦିନ ଉପବାସ ଓ ରାତି ଉଜାଗର ରହିଲେ । ଉକ୍ତ ଗଣିକା ମଧ୍ୟ ତାଙ୍କ ସହ ଉଜାଗର ରହିଲା । ଭାଗ୍ୟକୁ ସେଦିନ ଥିଲା ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ । ଅଜ୍ଞାତରେ ହେଲେ ବି ସେଦୁହେଁ ଉପବାସ ରହି ସେଦିନ ବ୍ରତ ପାଳନ କରିଥିବାରୁ ସମସ୍ତ ପାପରୁ ମୁକ୍ତହେଲେ । ପୁଣ୍ୟ ଅର୍ଜନ କରିଥିବାରୁ ଉକ୍ତ ଗଣିକା ବ୍ରତ ଫଳରୁ ଅପ୍ସରା ହୋଇ ସ୍ୱର୍ଗକୁ ଫେରିଗଲା ଏବଂ ଭକ୍ତ ପ୍ରହ୍ଲାଦ ରାଜା ହିରଣ୍ୟକଶିପୁଙ୍କ ପୁତ୍ର ରୂପେ ଜନ୍ମ ହୋଇ ବିଷ୍ଣୁଙ୍କର ପରମ ଭକ୍ତ ହେଲେ । ନୃସିଂହ ବ୍ରତ କଲେ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ ଏବଂ ମହିଳାମାନଙ୍କୁ ସ୍ୱାମୀ-ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଉକ୍ତଦିବସରେ ପୁରୀ ଜଗନ୍ନାଥ ମନ୍ଦିରରେ ନୃସିଂହ ଜନ୍ମୋତ୍ସୋବ ପାଳନ କରାଯାଏ ।
ପାଳନ ବିଧି: ଏକାଦଶୀ ବ୍ରତ ଉପବାସ ବିଧି ଭଳି ନୃସିଂହ ଜୟନ୍ତୀ ପାଳନ କରାଯାଏ । ନୃସିଂହ ଜୟନ୍ତୀର ଦିନକ ପୂର୍ବରୁ ବ୍ରତଧାରୀମାନେ ଦିନରେ ମାତ୍ର ଥରେ ଖାଦ୍ୟ ଗ୍ରହଣ କରନ୍ତି । ସମସ୍ତ ପ୍ରକାର ଶସ୍ୟ ସେବନକୁ ଏହି ବ୍ରତରେ ବାରଣ କରାଯାଇଛି । ନୃସିଂହ ଜୟନ୍ତୀରେ ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପ କରନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ବିଧିବିଧାନ ଅନୁସାରେ ଶ୍ରୀନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି । ବିଶ୍ୱାସ ରହିଛି, ପ୍ରଭୁ ଶ୍ରୀନୃସିଂହ ସୂର୍ଯ୍ୟାସ୍ତ ସମୟରେ ଦର୍ଶନ ଦେଇଥିଲେ । ରାତିରେ ଉଜାଗର ରହି ସକାଳ ପର୍ଯ୍ୟନ୍ତ ପୂଜା କରିବାର ବିଧି ରହିଛି। ଜୟନ୍ତୀ ପରଦିନ ଅର୍ଥାତ ଚତୁର୍ଦ୍ଦଶୀ ତିଥି ସମାପ୍ତ ହେବା ପରେ (ବିସର୍ଜନ ପୂଜା ପରେ) ଉପବାସ ଭଙ୍ଗ କରିବା ସହିତ ବ୍ରାହ୍ମଣଙ୍କୁ ଦାନ ଦିଆଯାଏ ।
Comments are closed.