ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : ଜନକଲ୍ୟାଣକାରୀ ଯୋଜନା ଉପରେ ଜୋର୍, ବିରୋଧୀଙ୍କୁ ଆକ୍ଷେପ

ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଲୋକସଭା କ୍ଷେତ୍ରର ନୟାଗଡ଼ରେ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେଡିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି ଯେ, ବିରୋଧୀ ନେତା ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବି.ଏସ୍‍.କେ.ୱାଇ, ମିଶନଶଶକ୍ତି, ମମତା, ଲକ୍ଷ୍ମୀବସ୍‍, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍‍ସନ୍‍, ଚାଉଳ କାର୍ଡ ଇତ୍ୟାଦି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଲୋକଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ।

ନବୀନ ପଟ୍ଟନାୟକ ଭଲ କି ? ‘ହଁ’ରେ ପ୍ରକମ୍ପିତ ହେଲା ସଭାସ୍ଥଳ

ଜୁଲାଇରୁ ବିଜୁ ଜନତା ଦଳ ମାଗଣା ବିଜୁଳି ଦେବ। ବିଜୁଳି ବିଲ୍‍ ଆସିବ ନାହିଁ, ଆପଣମାନେ ଖୁସି ତ ବୋଲି ପଚାରିଥିଲେ ନବୀନ। ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ କାମ ଓ ମା’ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ। ବହୁତ ଭଲ ବୋଲି ଉଚ୍ଛ୍ୱସିତ ସ୍ୱରରେ ଉତ୍ତର ଦେଇଥିଲେ ଜନତା ।

ନୟାଗଡ଼ ପାଇଁ ମୁଖ୍ୟମନ୍ତ୍ରୀ ବିପୁଳ ପୁଞ୍ଜିନିବେଶ ଯୋଜନା ରଖିଛନ୍ତି ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ରେଳଲାଇନ ହୋଇଗଲା । ବର୍ତ୍ତମାନ ନୟାଗଡ଼ ଶିଳ୍ପସମୃଦ୍ଧ ହେବ ଓ ଯୁବପିଢ଼ି ରୋଜଗାର ପାଇବେ, ସଶକ୍ତ ହେବେ ବୋଲି ପାଣ୍ଡିଆନ ନିର୍ବାଚନୀ ସଭାରେ କହିଥିଲେ।

ମୁଖ୍ୟମନ୍ତ୍ରୀ ୨୦୨୪ ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ ବହୁତ କିଛି ଯୋଜନା କରିଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ କିଛି କରିନାହାନ୍ତି ।

ନୂଆ ଓଡ଼ିଶା ଗଠନ ଲକ୍ଷ୍ୟରେ ଏହା କରାଯାଇଛି ବୋଲି ପାଣ୍ଡିଆନ କହିଥିଲେ। ସମସ୍ତ ମଧ୍ୟବିତ୍ତ ବର୍ଗଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରାଯିବ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଙ୍ଗ ଲୋନ ପାଇଁ ସୁଧହାର କମ୍‍ ରହିବ । ଶିକ୍ଷାଋଣରେ ମଧ୍ୟ ସୁଧହାର କମ୍‍ ରହିବ ବୋଲି ସେ ସଭାରେ କହିଥିଲେ।

ନୂଆ-ଓ ସ୍କଲାରସିପ୍‍ ଜରିଆରେ କଲେଜ ପୁଅମାନଙ୍କ ପାଇଁ ୧୨ ହଜାର ଓ ଝିଅମାନଙ୍କ ପାଇଁ ୧୪ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଭଳି ପଦକ୍ଷେପ କୌଣସି ରାଜ୍ୟ ନେଇନାହାନ୍ତି, ଏହା କେବଳ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ।

ମୁଖ୍ୟମନ୍ତ୍ରୀ ନୟାଗଡ଼ ଜିଲ୍ଲାରେ ପାଇଁ କଣ୍ଟିଲୋ ନୀଳମାଧବ ମନ୍ଦିର ରୂପାନ୍ତରଣ, ଜଳସେଚନ ପାଇଁ କୁସୁମୀ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ କରିଛନ୍ତି। ସାରା ଓଡ଼ିଶା କହୁଛି ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍‍ ଛାଡ଼ ହେବ । ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ । ତୃତୀୟ ଦସ୍ତଖତରେ ମିଶନଶକ୍ତି ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା ହେବ ବୋଲି ପାଣ୍ଡିଆନ କହିଥିଲେ।

କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ୍‍ ଯୋଜନାରେ ୧୦୦୦ ଟଙ୍କା ଭତ୍ତା, ବି.ଏସ୍‍.କେ.ୱାଇ., ଲକ୍ଷ୍ମୀ ବସରେ ମା’ମାନଙ୍କ ପାଇଁ ୫ ଟଙ୍କା କିଏ କରିଛନ୍ତି ବୋଲି ଜନତାଙ୍କୁ ପ୍ରଶ୍ନ କରିଥିଲେ ପାଣ୍ଡିଆନ । ସବୁର ଉତ୍ତର ଉଚ୍ଚସ୍ୱରରେ ଥିଲା – ନବୀନ ପଟ୍ଟନାୟକ

୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ । ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଛନ୍ତି ପାଣ୍ଡିଆନ।

ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ । ବିରୋଧୀ ଦଳ କେବେହେଲେ ବିକାଶ ଚାହାନ୍ତି ନାହିଁ, କାମ କରିବାକୁ ଦେବେ ନାହିଁ ବୋଲି ପାଣ୍ଡିଆନ କହିଥିଲେ।

Comments are closed.