ଭିଡ଼ିଓ ବାର୍ତ୍ତା ଜାରି କଲେ ପ୍ରଜ୍ବଳ, ମେ ୩୧ରେ ଏସ୍ଆଇଟିରେ ହାଜର ହେବେ

ବେଙ୍ଗାଲୁରୁ: ଅନେକ ମହିଳାଙ୍କୁ ଯୌନ ନିର୍ଯାତନାର ଭିଡ଼ିଓ ସାମ୍ନାକୁ ଆସିବା ପରଠୁ ବିଦେଶ ପଳାୟନ କରିବାର ମାସକ ପରେ କର୍ଣ୍ଣାଟକର ହାସନ ସାଂସଦ ପ୍ରଜ୍ବଳ ରେଭନ୍ନା ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ସମ୍ମୁଖରେ ସେ ଆସନ୍ତା ମେ ୩୧ରେ ହାଜର ହେବେ ବୋଲି ପ୍ରଜ୍ବଳ ଏହି ଭିଡ଼ିଓରେ କହିଛନ୍ତିି।

କନ୍ନଡ ଟିଭି ଚ୍ୟାନେଲ ‘ଏସିଆନେଟ ସୁବର୍ଣ୍ଣା ନ୍ୟୁଜ’ରେ ପ୍ରସାରିତ ଏକ ଭିଡ଼ିଓ ବୟାନରେ ପ୍ରଜ୍ବଳ ରେଭନ୍ନା କହିଛନ୍ତି, “ମୁଁ ବ୍ୟକ୍ତିଗତ ଭାବେ ଶୁକ୍ରବାର, ମେ ୩୧ ତାରିଖ ସକାଳ ୧୦ଟାରେ ଏସ୍ଆଇଟି ସମ୍ମୁଖରେ ହାଜର ହୋଇ ତଦନ୍ତରେ ସହଯୋଗ କରିବି । ଏବଂ ଏଗୁଡ଼ିକ (ଅଭିଯୋଗ)ର ଜବାବ ଦେବି । ନ୍ୟାୟପାଳିକା ଉପରେ ମୋର ଭରସା ଅଛି ଏବଂ ମୋର ବିଶ୍ୱାସ ଯେ କୋର୍ଟ ମାଧ୍ୟମରେ ମିଥ୍ୟା ମାମଲାରେ ମୁଁ ନିର୍ଦ୍ଦୋଷ ସାବ୍ୟସ୍ତ ହେବି । ”

ପ୍ରଜ୍ବଳଙ୍କ ଏହି ଭିଡ଼ିଓ ବାର୍ତ୍ତା ସମ୍ପର୍କରେ ତାଙ୍କ ପାର୍ଟି ଜନତା ଦଳ (ସେକ୍ୟୁଲାର) କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ତତକ୍ଷଣାତ୍ ପ୍ରତିକ୍ରିୟା ମିଳିନାହିଁ।

ପ୍ରଜ୍ବଳ କହିଛନ୍ତିି, “ଭଗବାନ, ଜନତା ଏବଂ ପରିବାରର ଆଶୀର୍ବାଦ ମୋ ଉପରେ ରହିଛି। ମୁଁ ନିଶ୍ଚିତ ଭାବେ ମେ ୩୧, ଶୁକ୍ରବାର ଦିନ ଏସ୍ଆଇଟି ସମ୍ମୁଖରେ ଉପସ୍ଥିତ ହେବି | ଫେରିବା ପରେ ମୁଁ ଏସବୁ ଶେଷ କରିବାକୁ ଚେଷ୍ଟା କରିବି | ମୋ ଉପରେ ବିଶ୍ବାସ ରଖନ୍ତୁ।”

ଜେଡି (ଏସ୍) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ଏବଂ ହାସନ ଲୋକସଭା ନିର୍ବାଚନମଣ୍ଡଳୀରୁ ଏନଡିଏ ପ୍ରାର୍ଥୀ ପ୍ରଜ୍ବଳ ଅନେକ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି।

ହାସନ ଲୋକସଭା ଆସନରେ ୨୭ ଏପ୍ରିଲରେ ଭୋଟ ଗ୍ରହଣର ଦିନକ ପରେ ୩୩ ବର୍ଷୀୟ ପ୍ରଜ୍ବଳ ରେଭନ୍ନା ଜର୍ମାନୀ ପଳାଇଥିଲେ । ସେ ଏଯାବତ୍ ବିଦେଶରେ ଲୁଚିଛନ୍ତି। ତାଙ୍କ ବିରୋଧରେ ତଦନ୍ତ କରୁଥିବା ଏସ୍ଆଇଟି, ସିବିଆଇ ଜରିଆରେ ଇଣ୍ଟରପୋଲରୁ ପ୍ରଜ୍ବଳଙ୍କ ଗତିବିଧି ଓ ଠିକଣା ସମ୍ପର୍କରେ ସୂଚନା ମାଗିଥିଲା । ଏହାପରେ ଇଣ୍ଟରପୋଲ ପ୍ରଜ୍ବଳଙ୍କ ବିରୋଧରେ ‘ବ୍ଲୁ କର୍ଣ୍ଣର ନୋଟିସ୍’ ଜାରି କରିଥିଲା।

ସାଂସଦ / ବିଧାୟକଙ୍କ ବିରୋଧରେ ମାମଲାର ଶୁଣାଣି ପାଇଁ ଗଠିତ ଏକ ସ୍ୱତନ୍ତ୍ର କୋର୍ଟ ମେ ୧୮ରେ ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ୍ ଜାରି କରିଥିଲେ।

କର୍ଣ୍ଣାଟକର କଂଗ୍ରେସ ସରକାର ପ୍ରଜ୍ବଳଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

Comments are closed.