ନୀଳଗିରିରେ ନିର୍ବାଚନ ପ୍ରଚାର କରି ବିଜେପି ଉପରେ ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ; କହିଲେ ସବୁ କ୍ଷେତ୍ରରେ ଫେଲ୍ ମାରିଛି କେନ୍ଦ୍ର ସରକାର

ଭୁବନେଶ୍ବର – ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଧାନ ସଭା କ୍ଷେତ୍ରରେ ମାରାଥଧ ପ୍ରଚାର କରିଛନ୍ତି । ପ୍ରଚାରରେ ସେ ବିଜେପିକୁ ଶାଣିତ ସ୍ୱରରେ ଆକ୍ରମଣ କରିବା ସହିତ ଗତ ୧୦ ବର୍ଷରେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ବିଷୟରେ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ କାମର ହିସାବ ଦେବା ପାଇଁ ଲୋକଙ୍କ ପାଖକୁ ପଠାଇଛନ୍ତି । ପଞ୍ଚଲିଙ୍ଗେଶ୍ବର ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୬ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ, ନୀଳଗିରି ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି, ଶାଳନ୍ଦୀ ବାମପାର୍ଶ୍ବ କେନାଲ ପାଇଁ ୨୭୦ କୋଟି ଟଙ୍କା ମଞ୍ଜୁର କରି ନୀଳଗିରି ଅଞ୍ଚଳର ବିକାଶକୁ ଆହୁରି ଆଗକୁ ନେଇଛନ୍ତି ।

ଜୁନ ୯ ତାରିଖରେ ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ କଥା ଶୁଣି ବିରୋଧୀଙ୍କର ନିଦ ହଜିଯାଇଛି । ସେମାନେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଆଶାଳୀନ ଭାଷାରେ ଗାଳିଗୁଲଜ କରୁଛନ୍ତି । ଜନତା ଏହି ଔଦ୍ଧତ୍ୟର ଉଚିତ ଜବାବ ଦେବେ ବୋଲି ପାଣ୍ଡିଆନ ଆଶାବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ନୀଳଗିରି ଅଞ୍ଚଳରେ ଆମର ଜନଜାତି ଭାଇଭଉଣୀ ଳମାନେ ବହୁ ସଂଖ୍ୟାରେ ବାସ କରନ୍ତି । ସେମାନଙ୍କର କଳା, ସଂସ୍କୃତି, ଭାଷା, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ଆଜି ପର୍ଯ୍ୟନ୍ତ କେହି ଏ ବିଷୟରେ ଚିନ୍ତା କରୁ ନଥିବା ବେଳେ, ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅଭିନବ ପଦକ୍ଷେପ ନେଇଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ – ଏସଡିସି ଭଳି ବ୍ୟବସ୍ଥା ଅନ୍ୟ କୌଣସି ରାଜ୍ୟରେ କରାଯାଇନାହିଁ ବୋଲି ପାଣ୍ଡିଆନ କହିଥିଲେ।

ରାଜ୍ୟ ସରକାରଙ୍କର ‘ଲାଭ’ ଯୋଜନା ସଂପର୍କରେ ଆଲୋକପାତ କରି ପାଣ୍ଡିଆନ କହିଥିଲେ ଯେ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ହିତାଧିକାରୀମାନେ ଠିକ୍‌ ଦାମ୍‌ ପାଇବେ ‌। କେହି ଠକି ପାରିବେ ନାହିଁ । କାରଣ ଏହା ହେଉଛି ନବୀନ ସରକାର।

ଦରଦାମ ପରିସ୍ଥିତି ଉପରେ ଆଲୋକପାତ କରି ପାଣ୍ଡିଆନ କହିଥିଲେ ଯେ ଦରଦାମ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ ଦାୟିତ୍ବ। ଡାଲି ଦର କମିଲା କି ? ତେଲ ଦର କମିଲା କି ? ଏଲପିଜି ଦର କମିଲା କି ବୋଲି ପାଣ୍ଡିଆନ ଜନତାଙ୍କୁ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣରେ ସଂପୂର୍ଣ୍ଣ ଫେଲ୍‌ ମାରିଛି ।

ବେକାରୀ ସମସ୍ୟା ଉପରେ ସେ କହିଲେ ଯେ କେନ୍ଦ୍ର ସରକାର କହିଥିଲେ ପ୍ରତିବର୍ଷ ଦୁଇ କୋଟି ଚାକିରୀ ଦେବେ । ଦଶ ବର୍ଷରେ କୋଡିଏ କୋଟି । ଓଡିଶା ଭାଗ ପଡିଥାନ୍ତା ୮୦ ଲକ୍ଷ । ବାଲେଶ୍ବରର ଭାଗ ପଡିଥାନ୍ତା ୬ ଲକ୍ଷ । ନୀଳଗିରି ଭାଗ ପଡିଥାନ୍ତା ୧ ଲକ୍ଷ । କେନ୍ଦ୍ର ସରକାରଙ୍କ ଚାକିରୀ ନୀଳଗିରିରୁ କିଏ ପାଇଲେ କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ । ଯଦି ହଜାର ଲୋକ ନୀଳଗିରିରୁ ପାଇଥିବେ, ତେବେ ସେ ଚାକିରୀ ଛାଡିଦେବି ବୋଲି କହିଥିଲେ ।

ବୁଢାବୁଢୀଙ୍କ ଭତ୍ତା ବିଷୟରେ ଆଲୋଚନା କରି ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ର ୩୦୦ ଟଙ୍କା ଦେଉଥିବା ବେଳେ, ରାଜ୍ୟ ଦେଉଛି ୧୦୦୦ ଟଙ୍କା । ଏହା ହେଉଛି ନବୀନ ଇଞ୍ଜିନ । ତେଣୁ ନିର୍ବାଚନ ହେଲେ ବିରୋଧୀ ଦଳ ନେତାମାନେ ଆସୁଛନ୍ତି, ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନ ଆସିଲେ ସେମାନଙ୍କର ଅଭିନୟ ଆରମ୍ଭ ହୋଇଥାଏ । ସେମାନେ କଥା କଥାରେ କାନ୍ଦି ପକାଇବେ । କିନ୍ତୁ ନିର୍ବାଚନ ସରିଲେ ଆଉ ସେମାନଙ୍କର ଦେଖା ମିଳିବ ନାହିଁ।

ବାଲେଶ୍ବର ସାଂସଦଙ୍କ କାର୍ଯ୍ୟଶୈଳୀ ସଂପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ବାଲେଶ୍ବର ସାଂସଦ ୧୦ ବର୍ଷ ସାଂସଦ ରହିଲେ, କେନ୍ଦ୍ରମନ୍ତ୍ରୀ ରହିଲେ। କିନ୍ତୁ ଏ ଅଞ୍ଚଳ ପାଇଁ କିଛି କଲେ ନାହିଁ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହେଉ, ବା ଜବାହର ନବୋଦୟ ବିଦ୍ୟାଳୟ ହେଉ, କିଛି କଲେ ନାହିଁ । ମୋବାଇଲ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ମଧ୍ୟ କିଛି କଲେ ନାହିଁ । ସେ ଲୋକଙ୍କର ସୁଖଦୁଃଖ ଠାରୁ ଦୂରରେ ଥିଲେ । କିନ୍ତୁ ବର୍ତ୍ତମାନ ବିଜୁ ଜନତା ଦଳର ନୀଳଗିରି ବିଧାନସଭା ପ୍ରାର୍ଥୀ ସୁକାନ୍ତ ବାବୁ ବିଜେପି ଦଳରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସି ଏ ଅଞ୍ଚଳର ଲୋକଙ୍କ ପାଇଁ କାମ କରନ୍ତି ।

ଶେଷରେ କାର୍ତ୍ତିକ ପାଣ୍ଡିଆନ ଜୁନ ପହିଲା ଦିନ ବହୁ ସଂଖ୍ୟାରେ ଭୋଟ କେନ୍ଦ୍ରକୁ ଆସି ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

Comments are closed.