ଶ୍ରୀମନ୍ଦିରରେ ଗ୍ରୀଷ୍ମ ଋତୁରେ ପାଳିତ ହେଉଥିବା ଚନ୍ଦନ ଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଚିତ୍ର ଏକ ମାନବୀୟ ଲୀଳା l ପ୍ରଚଣ୍ଡ ରୌଦ୍ର ତାପରେ ଶରୀରକୁ ଶୀତଳ ରଖିବା ପାଇଁ ଚନ୍ଦନ ଲେପନ କରାଯାଇ ଥାଏ,ମହାପ୍ରଭୁଙ୍କ ଚନ୍ଦନଯାତ ଏହାର ପ୍ରତିଫଳନ l ଏହା ଶ୍ରୀମନ୍ଦିରର ସବୁଠାରୁ ଅଧିକ ଦିନଧରି ପାଳିତ ହେଉଥିବା ପର୍ବ l ବୈଶାଖଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମୋଟ ବୟାଳିଶ ଦିନ ବ୍ୟାପି ଏହା ଅନୁଷ୍ଠିତ ହୋଇ ଥାଏ l ଅକ୍ଷୟ ତୃତୀୟାରୁ ଜ୍ୟେଷ୍ଠ କୃଷ୍ଣଅଷ୍ଟମୀ ପର୍ଯ୍ୟନ୍ତ ଏକୋଇଶି ଦିନଧରି ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ ଏବଂ ପରବର୍ତ୍ତୀ ୨୧ ଦିନ ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଯାଏ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ଭାବେ ଦୁଇଟି ପର୍ଯ୍ୟାୟରେ ପାଳିତ ହୋଇ ଥାଏ l ଚନ୍ଦନ ଯାତ୍ରା ଶେଷରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହୋଇ ଠାକୁର ଅଣସର ବିଜେ କରନ୍ତି l ବୈଶାଖ ଓ ଜ୍ୟେଷ୍ଠ ଦୁଇ ମାସରେ ୪୨ ଦିନ ବ୍ୟାପି ଅନୁଷ୍ଠିତ ମହାପ୍ରଭୁଙ୍କର ଏହି ଦିବ୍ୟ ଲୀଳା ଅତ୍ୟନ୍ତ ଆନନ୍ଦ ଦାୟକ।
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ସତ୍ୟ ଯୁଗରେ ଶ୍ରୀ ନୃସିଂହ ଭଗବାନ ଏହି ଯାତ୍ରାର ଆୟୋଜନ କରିଥିଲେ l ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତ ବାସ ଶେଷ କରି ବିରାଟ ନରେଶଙ୍କ ନିକଟରେ ଆପଣାର ପ୍ରକୃତ ପରିଚୟ ପ୍ରକାଶ କରିଥିଲେ l ବିରାଟ ନରେଶ ଶ୍ରୀକୃଷ୍ଣ ବଳରାମଙ୍କୁ ରାମକୃଷ୍ଣ ରୂପେ ପଞ୍ଚୁପାଣ୍ଡବ ମାନଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ସମ୍ମତ ହୋଇ ଥିଲେ l ଏକ ବିରାଟ ଜଳାଶୟ ସେଠାରେ ସୃଷ୍ଟି କରାଯାଇ ଜଳ କେଳି ମଣ୍ଡପ ନିର୍ମାଣ କରାଯାଇ ଥିଲା l ଉପପ୍ଲବ୍ୟ ଏବଂ ବିଭାସ୍ତୁ ନଗରୀରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା,ତେଣୁ ମଦନମୋହନ ଓ ରାମ କୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ମଧ୍ୟ ଜଳକ୍ରୀଡା ପାଇଁ ନରେନ୍ଦ୍ର ସରୋବରକୁ ଯାତ୍ରା କରିଥାନ୍ତି l
ମହାପ୍ରଭୁଙ୍କ ଚନ୍ଦନ ବେଶ ଓ ଚନ୍ଦନ ଯାତ୍ରା ଏକ ଦିବ୍ୟ ଲୀଳା l ଏହି ଚନ୍ଦନ କେଳିକୁ ଦର୍ଶନ ପାଇଁ ମୁନିଋଷିମାନେ ଯୁଗଯୁଗଧରି ତପସ୍ୟା କରିଛନ୍ତି l ଇତିହାସ ପ୍ରୁଷ୍ଠାକୁ ଅବଲୋକନ କଲେ ଜଣାଯାଏ ଯେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ଚନ୍ଦନ ଯାତ୍ରା ଆନୁମାନିକ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀଠାରୁ ଆରମ୍ଭ ହୋଇଛି l
ପ୍ରଥମ ପର୍ଯ୍ୟାୟ ଏକୋଇଶିଦିନ ବାହାର ଚନ୍ଦନ
ଯାତ୍ରାରେ ଶ୍ରୀମନ୍ଦିର ଦକ୍ଷିଣଘରୁ ଅଷ୍ଟଧାତୁ ନିର୍ମିତ ତିନି ଚଳନ୍ତି ପ୍ରତିମା ମଦନ ମୋହନ, କୃଷ୍ଣ, ରାମ ଏବଂ ରତ୍ନସିଂହାସନ ଉପରୁ ଦୁଇ ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କ ସୁବର୍ଣ୍ଣ ପ୍ରତିମା ତଥା ସରସ୍ୱତୀଙ୍କ ରୁପା ପ୍ରତିମା (ଶ୍ରୀଦେବୀ,ଭୂଦେବୀ) ବାହାର ଚନ୍ଦନରେ ଭାଗ ନିଅନ୍ତି l ଚନ୍ଦନ ଯାତ୍ରାରେ ସମୁଦାୟ ଦଶଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେକରି ଚନ୍ଦନ ପୁଷ୍କରିଣୀ ଯାତ୍ରା କରିଥାନ୍ତି l ସବୁଠୁଁ ବେଶି ସୁଦୃଶ୍ୟ ବିମାନରେ ବିଜେ କରି ଥାନ୍ତି ଶ୍ରୀ ମଦନ ମୋହନ, ଶ୍ରୀଦେବୀ (ମା’ଲକ୍ଷ୍ମୀ) ଏବଂ ଭୂଦେବୀ (ସରସ୍ୱତୀ)l ପଛ ପାଲିଙ୍କିରେ ବଳରାମ ଓ କୃଷ୍ଣ ଆରୋହଣ କରିଥାନ୍ତି ପୁଣି ଅନ୍ୟ ପଞ୍ଚ ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚମହାଦେବ ବିଜେ କରିଥାନ୍ତି l
ନରେନ୍ଦ୍ର ସରୋବର କୁଳରେ ପ୍ରସ୍ତୁତ ଛାମୁଣ୍ଡିଆ ତଳେ ଦଶ ଚଳନ୍ତି ପ୍ରତିମାଙ୍କୁ ସ୍ଥାପନ କରି, ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦ ଧୌତ କରାଯାଏ l ଯୋଡ଼ିଏ ଲେଖାଁ ନୌକା ଯୁକ୍ତହୋଇ ଦୁଇଟି ସୁଶୋଭିତ ଚାପ ପ୍ରସ୍ତୁତ ହୁଏ l ଗୋଟିଏ ଚାପର ରୁପା ସିଂହାସନ ଉପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ,ବଳରାମ ଏବଂ କୃଷ୍ଣ ବିଜେ କରନ୍ତି l ଅନ୍ୟ ଚାପରେ ବସି ଥାନ୍ତି ପଞ୍ଚୁ ପାଣ୍ଡବ l ପ୍ରତିମା ମାନଙ୍କ ସହ ଦୁଇ ଚାପରେ ଥାଆନ୍ତି ପୂଜା ପଣ୍ଡା, ସିଂହାରି,ଗରାବଡୁ,ସୁଆରବଡୁ, ପତ୍ରୀବଡୁ, ହଡ଼ପ,ଖୁଣ୍ଟିଆ ଆଦି ସେବକ ମାନେ l ଚାପ ଦ୍ୱୟ ନରେନ୍ଦ୍ର ଜଳରେ ଘେରାଏ ଲେଖାଁ ବୁଲି ଆସନ୍ତି l
ସ୍ନାନ ନିମନ୍ତେ ତିନୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ,ମଲ୍ଲୀ,ଚମ୍ପା,ଜୁଇ,ସୁଗନ୍ଧରାଜ, ଗୋଲାପ ପ୍ରଭୃତିରେ ପ୍ରସ୍ତୁତ ସୁବାସିତ ଜଳ ରଖା ଯାଇଥାଏ l ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମା ମାନେ l ସୁବାସିତ ଜଳରେ ସ୍ନାନ ପରେ ଚନ୍ଦନରେ ସୁନ୍ଦର ବେଶ କରାଯାଏ ପ୍ରଭୁ ମଦନ ମୋହନଙ୍କୁ l
ଚନ୍ଦନ ଯାତ୍ରାରେ ମଦନମୋହନ ପ୍ରତ୍ୟେକ ଦିନ ନୂଆ ନୂଆ ବେଶରେ ସଜ୍ଜିତ ହୁଅନ୍ତି l ଏହି ବେଶ ଗୁଡ଼ିକ ସାଧାରଣତଃ କୃଷ୍ଣଲୀଳା ଆଧାରିତ ଥାଏl ନୃସିଂହଜନ୍ମ ତିଥିରେ ମଦନମୋହନଙ୍କ କୌଣସି ବେଶ ହୁଏ ନାହିଁ l ଠାକୁରଙ୍କ ବେଶ ପରେ ରାତ୍ର ଚାପ ନିତି ସମ୍ପନ୍ନ ହୁଏ l ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ବିହାର ପାଇଁ ବ୍ୟବହୃତ ହୋଇ ଥାଏ l ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ,ଜଣେ କାହାଳିଆ ଓ ଜଣେ ତେଲିଙ୍ଗି ବାଜା ବାଦ୍ୟକାର ରହି ଥାନ୍ତି l ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରି ରହି ଥାଆନ୍ତି l ଦିନବେଳା ଚାପ ଗୋଟିଏ ଘେରାରେ ଶେଷହେଉ ଥିଲାବେଳେ ରାତ୍ରୀ ଚାପରେ ଠାକୁରମାନଙ୍କୁ ତିନି ଘେରା ବୁଲାଯାଏ l ଏହି ନୀତି ସମ୍ପାଦନ ନିମନ୍ତେ ପ୍ରତ୍ୟେକ ଦିନ ପ୍ରାୟ ୪୧ଜଣ ସେବକ ଆବଶ୍ୟକ ହୋଇଥାନ୍ତି l ଏକୋଇଶି ଦିନବ୍ୟାପି ଏହି ବାହାର ଚନ୍ଦନ ଯାତ୍ରାର ପରିସମାପ୍ତି ହୋଇଥାଏ ଅନ୍ତିମ ଦିନ ଭଉଁରୀ ଯାତ୍ରା ପାଳନରେ l
ଭଉଁରୀଯାତ୍ରା ଶ୍ରୀକ୍ଷେତ୍ରେଭଉଁରୀ ଭାବେ ପ୍ରସିଦ୍ଧ l ଏହି ଦିନ ଠାକୁର ମାନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭା ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଇ ଥାଏ l ଭଉଁରୀ ଦିନ ଦିନଚାପ ପରେ ରାତି ବେଳା ଚାପ ରେ ନରେନ୍ଦ୍ର ପୁଷ୍କରିଣୀ ଦୀପଦାଣ୍ଡି ଚାରି ପଟେ ଠାକୁର ମାନଙ୍କୁ ଚାପରେ ୨୧ଘେରା ବୁଲା ଯାଇ ଥାଏ l ଚାପ ଖେଳ ସରିବା ପରେ ଠାକୁର ମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରି ଥାନ୍ତି l
ଭଉଁରୀଯାତ୍ରା ଦିନ ପରମ୍ପରା ଅନୁଯାୟୀ ରଥଖଳା ରେ ତିନି ରଥର ଚକ ଓ ଅଖ ଡେରା ନୀତି ଅନୁଷ୍ଠିତ ହେବ । ତିନି ରଥର ମୋଟ ୪୨ଟି ଚକରୁ ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଚକ ନିର୍ମାଣ କାମ ସରିଛି । ବାକି ଚକ ଗୁଡିକର ନିର୍ମାଣ କାର୍ୟ୍ୟ ଜାରି ରହିଛି। ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ପୂଜାପଣ୍ତା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ପହଚିଂଥାନ୍ତି । ସେଠାରେ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳକୁ ପ୍ରଦାନ କରିଥାନ୍ତି ମହାରଣା ସେବକମାନେ । ଏହା ପାଇବା ପରେ ନିର୍ମାଣାଧିନ ତିନି ରଥର ତିନିଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି ।ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ପ୍ରଥମେ ଚକଡେରା ନୀତି ହେବ । ତାଳଧ୍ୱଜ, ତାପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥରେ ଅଖଚକ ସଂଯୋଗ ନୀତି କରାଯିବ ।
Comments are closed.