ପୁଣି ଫେରିଲା ତାତି : ପଶ୍ଚିମରେ ତାତି ଓ ଉପକୂଳରେ ଅସହ୍ୟ ଗୁଳୁଗୁଳି, ବଢିଲା ଦିନ ତାପମାତ୍ରା 

ଭୁବନେଶ୍ବର – କିଛି ଦିନର ବ୍ୟବଧାନ ପରେ ଫେରିଛି ତାତି । ଦିନ ତାପମାତ୍ରାରେ ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଏବଂ ଉପକୂଳ ଓଡ଼ିଶା ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପଶ୍ଚିମାଞ୍ଚଳରେ ଟାଣଖରା ଯୋଗୁଁ ବାହାରକୁ ବାହାରି ହେଉନାହିଁ। ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଗରମ ଏବଂ ଗୁଳୁଗୁଳି ଲାଗି ରହିଛି।

ମଙ୍ଗଳବାର ଅଧିକାଂଶ ସହରରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ୧୭ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଉପରେ ରହିଛି। ୧୦ଟି ସହରରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି । ବୌଦ୍ଧରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା ୪୫.୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସୁବର୍ଣ୍ଣପୁର ୪୫.୩ ଓ ଟିଟିଲାଗଡ଼ରେ ଦିନ ତାପମାତ୍ରା ୪୫ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪.୮ଡିଗ୍ରୀ ଛୁଇଁଥିବା ବେଳେ ସମ୍ବଲପୁର ୪୪.୬, ଭବାନୀପାଟଣା ୪୪, ବଲାଙ୍ଗିର ୪୪.୫, ହୀରାକୁଦ ୪୩.୬, ଫୁଲବାଣୀ ୪୩.୩, ନୂଆପଡ଼ା ୪୩, ତାଳଚେର ଓ ବରଗଡ ୪୨.୨ ଡିଗ୍ରୀ ଲେଖାଏଁ, ମାଲକାନଗିରି ଓ ସୁନ୍ଦରଗଡ ୪୧.୬, ପାରଳାଖେମୁଣ୍ଡି ୪୧.୫, ଅନୁଗୋଳ ୪୧.୧ ଏବଂ ନୟାଗଡ଼ରେ ୪୦.୩ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ହୋଇଛି।

ଆଗାମୀ ୨ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି, ତେଣୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ।

Comments are closed.