ମ୍ୟୁନିକରୁ ବାଙ୍ଗାଲୋର ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କଲେ ପ୍ରଜ୍ବଳ ରେଭନ୍ନା, ପହଞ୍ଚିବା କ୍ଷଣି ହେବେ ଗିରଫ

ବେଙ୍ଗାଲୁରୁ: ନିଲମ୍ବିତ ଜେଡିଏସ୍ ନେତା ପ୍ରଜ୍ବଳ ରେଭନ୍ନା ମେ ୩୦ରେ ଜର୍ମାନୀର ମ୍ୟୁନିକରୁ ବେଙ୍ଗାଲୁରୁ ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରିଛନ୍ତି। ସରକାରୀ ସୂତ୍ରରୁ ଏହି ସୂଚନା ଜଣାପଡ଼ିଛି। ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଏହି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ସୂତ୍ର ମୁତାବକ, ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ୩୩ ବର୍ଷୀୟ ନାତି ପ୍ରଜ୍ବଳ ରେଭନ୍ନା ମେ ୩୧ରେ ବେଙ୍ଗାଲୁରୁରେ ପହଞ୍ଚିବା ସମ୍ଭାବନା ରହିଛି। ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା କ୍ଷଣି ରେଭନ୍ନାଙ୍କୁ ଗିରଫ କରାଯିବ। ଏଥିପାଇଁ ଏସ୍ଆଇଟି ବେଙ୍ଗାଲୁରୁର କେମ୍ପେଗୌଡା ବିମାନବନ୍ଦର ଉପରେ ନଜର ରଖିଛି।

ଏନଡିଏ ପ୍ରାର୍ଥୀ ଭାବ ହାସନ ଲୋକସଭା ଆସନରୁ ପୁଣି ନିର୍ବାଚନ ଲଢୁଥିବା ପ୍ରଜ୍ବଳ ରେଭନ୍ନା ଯୌନ ନିର୍ଯାତନା ଭିଡ଼ିଓ ସାମ୍ନାକୁ ଆସିବା ପରେ ବିଦେଶ ପଳାୟନ କରିଥିଲେ। କର୍ଣ୍ଣାଟକ ରାଜ୍ୟ ମହିଳା କମିଶନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ରେଭନ୍ନାଙ୍କ ସେହି ଭାଇରାଲ୍ ଭିଡ଼ିଓ ଗୁଡ଼ିକର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ ସେ ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ରେଭାନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନାର ଦୁଇଟି ମାମଲା ରୁଜୁ ହୋଇଛି।

ଦୁଇ ଦିନ ତଳେ ହାସନ ସାଂସଦ ଏକ ଭିଡିଓ ବାର୍ତ୍ତା ଜାରି କରି କହିଥିଲେ ଯେ, ସେ ମେ ୩୧ରେ ଏସ୍ଆଇଟି ସମ୍ମୁଖରେ ହାଜର ହେବେ ଏବଂ ତଦନ୍ତରେ ସହଯୋଗ କରିବେ ।

ଇତି ମଧ୍ୟରେ, ଏସ୍ଆଇଟି ମଙ୍ଗଳବାର ହାସନର ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରଜ୍ବଳ ରେଭନ୍ନାଙ୍କ ବାସଭବନରେ ତଲାସି କରିଥିଲା, ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା ତାଙ୍କ ବାସଭବନରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

Comments are closed.