ମୟୂରଭଞ୍ଜ ଲୋକସଭା କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର, ବିରୋଧୀ ଦଳକୁ ଟାର୍ଗେଟ

ଭୁବନେଶ୍ୱର- ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମୟୂରଭଞ୍ଜ ଲୋକସଭାକ୍ଷେତ୍ରର ଯଶୀପୁର, ସାରସକଣା, ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେ ନିର୍ବାଚନ ପ୍ରଚାର କରି ବିରୋଧୀ ଦଳ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ସେ କହିଲେ ଯେ, ବହୁତ ନେତା ଅଛନ୍ତି, କେବଳ ନିର୍ବାଚନ ଆସିଲେ ସେମାନଙ୍କର ଲୋକଙ୍କ କଷ୍ଟ ମନେପଡ଼େ । ସେମାନେ ଲୋକଙ୍କ ପାଖକୁ ଆସନ୍ତି, ବହୁତ ପ୍ରତିଶ୍ରୁତି ଦିଅନ୍ତି, ଆପଣମାନେ ସେମାନଙ୍କୁ ଜାଣି ରଖନ୍ତୁ ବୋଲି ସେ କହିଥିଲେ ।

ସେ ପୁଣି କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ସବୁବେଳେ ଆପଣଙ୍କ ପାଖକୁ ଆସୁଛି । ବିଜୁ ଜନତା ଦଳ ଓ ନବୀନ ବାବୁଙ୍କ ଛଡ଼ା ଆଉ କେହି କାମର ହିସାବ ଦିଅନ୍ତି ନାହିଁ । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବି ନବୀନ ପଟ୍ଟନାୟକ ସେବା କରୁଛନ୍ତି । ସେ ରାଜନୀତି କରୁନାହାନ୍ତି, ଭୋଟ ପାଇଁ କାମ କରୁନାହାନ୍ତି । ସେବା ଜରିଆରେ ସେ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛନ୍ତି । ଆପଣମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଓ ଆପଣଙ୍କ ପିଲାଛୁଆଙ୍କ ଉନ୍ନତି ପାଇଁ ତାଙ୍କୁ କାମ କରିବାକୁ ସୁଯୋଗ ଦିଅନ୍ତୁ ।

ବିରୋଧୀ ନେତାମାନେ ଆସୁଛନ୍ତି, ସେମାନେ ଭାବୁଛନ୍ତି, ଆଦିବାସୀ ଭାଇଭଉଣୀମାନେ କାହିଁକି ନବୀନ ବାବୁଙ୍କୁ ଏତେ ଭଲ ପାଉଛନ୍ତି । ଆଦିବାସୀ ଭାଇ ଭଉଣୀମାନଙ୍କୁ ବିରୋଧିମାନେ କେବଳ ଭୋଟ ପାଇଁ ବ୍ୟବହାର କରନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀମାନଙ୍କୁ ତାଙ୍କ ହୃଦୟର ସବୁଠାରୁ ଭଲ ଜାଗାରେ ରଖିଛନ୍ତି । ସେମାନଙ୍କୁ ସେ ବହୁତ ଭଲ ପାଆନ୍ତି, ସେମାନଙ୍କ ବିକାଶ ପାଇଁ କାମ କରୁଛନ୍ତି ।
ଆଦିବାସୀ କଳା, ସଂସ୍କୃତି, ପୂଜାସ୍ଥଳୀ ଓ ଜାହିରାର ସୁରକ୍ଷା ଲାଗି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ମୁଖ୍ୟମନ୍ତ୍ରୀକୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି । ଏ ଗୁଡ଼ିକ ହେଉଛି ଆଦିବାସୀଙ୍କ ପରିଚୟ । ଏଭଳି ପଦକ୍ଷେପ ସାରା ଭାରତବର୍ଷରେ କେବଳ ନବୀନ ବାବୁ କରିଛନ୍ତି । ଅନ୍ୟ କୌଣସି ରାଜ୍ୟ କିମ୍ୱା ଦଳ କରିନାହାନ୍ତି । ଆଦିବାସୀମାନଙ୍କ ଉପରୁ ଛୋଟ ବଡ଼ ୫୦ ହଜାର ପୋଲିସ କେଶ୍‍ ରଦ୍ଦ କରି ରଦ୍ଦ କରିଛନ୍ତି । ଏହାଦ୍ୱାରା ଆଦିବାସୀମାନେ ଶାନ୍ତିରେ ରହିବେ, ବାରମ୍ବାର ଥାନାକୁ ଦୌଡିବାକୁ ପଡିବ ନାହିଁ ।

ପାଣ୍ଡିଆନ ପଚାରିଲେ ୫୦-୬୦ ବର୍ଷ ମଧ୍ୟରେ କୌଣସି ସରକାର ଆଦିବାସୀମାନଙ୍କ କଳା, ସଂସ୍କତି ଓ ଭାଷାର ଉନ୍ନତି ପାଇଁ କିଛି କରିଛନ୍ତି କି ? କେବଳ ନବୀନ ପଟ୍ଟନାୟକ କରିଛନ୍ତି । ବିରୋଧୀ ବିଜେପିକୁ ପଚାରନ୍ତୁ, ଆପଣମାନଙ୍କ କଳା, ସଂସ୍କୃତି, ଭାଷା ଓ ଭଗବାନଙ୍କ ପାଇଁ କିଛି କହିଛନ୍ତି କି ? ଆମ ପାଇଁ ନବୀନ ବାବୁ କରିଛନ୍ତି । ଏ ଗୁଡ଼ିକ ହେଉଛି ଆଦିବାସୀମାନଙ୍କ ପରିଚୟ । ଯଦି ଏଗୁଡ଼ିକ ପଳେଇବ ତା’ହେଲେ ସେମାନଙ୍କ ପରିଚୟ ଲୁପ୍ତ ହୋଇଯିବ।

ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ‘ଲାଭ’ ଯୋଜନା କରିଛନ୍ତି । ଏଥିରେ ଜଙ୍ଗଲଜାତ ଦ୍ରବ୍ୟ ଯଥା – ଶାଳମଞ୍ଜି, ଶାଳପତ୍ର, ମହୁଲ ଇତ୍ୟାଦିର ଉଚିତ ମୂଲ୍ୟ ସେମାନେ ପାଉଛନ୍ତି । ସେମାନେ ଆଉ ଠକାମିରେ ପଡୁନାହାନ୍ତି ।
ସାରା ଭାରତବର୍ଷରେ ଆଦିବାସୀ ପିଲାଙ୍କ ପାଇଁ ସବୁଠାରୁ ଅଧିକ ହଷ୍ଟେଲ ଓଡ଼ିଶାରେ କରାଯାଇଛି । ହଜାର ହଜାର ହଷ୍ଟେଲରେ ଲକ୍ଷ ଲକ୍ଷ ପିଲା ମାଗଣାରେ ରହି ପାଠ ପଢ଼ୁଛନ୍ତି । ଅନ୍ୱେଷା, ଆକାଂକ୍ଷା ଯୋଜନା ମାଧ୍ୟମରେ ସେମାନଙ୍କୁ ଉଚ୍ଚଶିକ୍ଷିତ କରାଯାଉଛି । କେବଳ ସେମାନଙ୍କର ଉନ୍ନତି ପାଇଁ ଏ ସବୁ କରାଯାଇଛି । ସେମାନଙ୍କର ‘‘ଉନ୍ନତି ଓ ପରିଚୟ’’ ଉଭୟ ଦରକାର ।
ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ସମ୍ମାନ ଦିଅନ୍ତି ବୋଲି ପ୍ରକାଶ କରି ସେ କହିଲେ ଯେ, ଆପଣମାନଙ୍କ କଲ୍ୟାଣ ପାଇଁ ଆନ୍ତରିକତାର ସହ କାମ କରନ୍ତି । ଆପଣମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମ କରୁଛନ୍ତି । ଆପଣଙ୍କ ମୁହଁରେ ହସ ଆଣିବା ପାଇଁ ଦିନରାତି କାମ କରୁଛନ୍ତି । ଆଦିବାସୀ ପିଲାମାନେ ଆଗରୁ ଯେଉଁ ସ୍କଲାରସିପ ପାଉଥିଲେ, ତାକୁ ମଧ୍ୟ ପାଇବେ । ଡବଲ ଇଞ୍ଜିନ ସରକାର ଗୋଟିଏ ବି ସ୍କଲାରସିପ ଦଉନାହାନ୍ତି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଡବଲ ସ୍କଲାରସିପ ଦଉଛନ୍ତି ।

ସେ କହିଲେ ଯେ, କୋଭିଡ ହେଉ କି ବନ୍ୟାବାତ୍ୟା ହେଉ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶାବାସୀଙ୍କ ସହିତ ଅଛନ୍ତି, ଓଡ଼ିଶାବାସୀଙ୍କ ପାଇଁ କାମ କରୁଛନ୍ତି । ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍‍ରୁ ମୁକ୍ତ କରିବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇରେ ସମସ୍ତଙ୍କୁ ସାମିଲ କରିବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍‍ସନ ବ୍ୟବସ୍ଥା କରିବେ । ମିଶନଶକ୍ତି ମା’ମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଶକ୍ତି, ମୁଖ୍ୟମନ୍ତ୍ରୀ ହେଉଛନ୍ତି ମିଶନଶକ୍ତି ମା’ମାନଙ୍କ ଶକ୍ତି । ଚତୁର୍ଥ ଦସ୍ତଖତରେ କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍‍ ବୃଦ୍ଧି ହେବ । ପୁଅ ପିଲା ପାଇବେ ୧୨ ହଜାର, ଝିଅ ପାଇବେ ୧୪ ହଜାର ଟଙ୍କା । ଏଥି ସହିତ ଜନଜାତି ଛାତ୍ରବୃତ୍ତି ମଧ୍ୟ ମିଳିବ । ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଡବଲ ଛାତ୍ରବୃତ୍ତି କରିଛନ୍ତି ।

ସଭାରେ ସେ ପଚାରିଥିଲେ ଯେ, ମଧୁବାବୁ ପେନ୍‍ସନ ଯୋଜନାରେ ୧୦୦୦ ଟଙ୍କା ଭତ୍ତା, ଲକ୍ଷ୍ମୀବସ, ବି.ଏସ୍‍.କେ.ୱାଇ., କାଳିଆ, ନୂଆ-ଓ ସ୍କଲାରସିପ କିଏ କରିଛନ୍ତି ? ଉପସ୍ଥିତ ଜନତାଙ୍କ କେବଳ ଗୋଟିଏ ସ୍ୱର – ନବୀନ ପଟ୍ଟନାୟକ ।

ଯଶୀପୁରେ ଲୋକଙ୍କୁ ସରକାରଙ୍କ କାମର ହିସାବ ଦେଇ ସେ କହିଲେ ଯେ, ଖଇରିବନ୍ଧନ ଜଳସେଚନ ପ୍ରକଳ୍ପ ପାଇଁ ୩୩୭.୫୦ କୋଟି ଟଙ୍କା, ଶୁକ୍ରୁଳିରେ ଆଡ଼ିବନ୍ଧ ପାଇଁ ୧୭୦ କୋଟି, ମା କୀଚକେଶ୍ୱରୀ ମନ୍ଦିରର ରୂପାନ୍ତରିକରଣ ପାଇଁ ୮.୪୦ କୋଟି ଟଙ୍କା, କୀଚକେଶ୍ୱରୀ ମନ୍ଦିର ମ୍ୟୁଜିୟମ ପାଇଁ ୧.୩୦ କୋଟି ଟଙ୍କା, କୁଡୁମୀ କମ୍ୟୁନିଟି ଭବନ ପାଇଁ ୨୫ ଲକ୍ଷ ଟଙ୍କା, ହୋ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା, ରରୁଁଆ କୁଡୁମୀ ଭବନ ପାଇଁ ୨୫ ଲକ୍ଷ ଟଙ୍କା, ହୋ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି । ପ୍ରାୟ ସବୁ ସମାଜର କମ୍ୟୁନିଟି ସେଣ୍ଟର ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି । ଯଶୀପୁରରେ ଆମ ବସଷ୍ଟାଣ୍ଡ ପାଇଁ ୧୪.୫୦ କୋଟି ଟଙ୍କା, ମା’ମାନେ ବସ୍‍ ପାଇଁ ଖରାବର୍ଷାରେ ଆଉ ଠିଆ ହେବେନାହିଁ, ରରୁଁଆ-ଫଗୁ ରାସ୍ତା ପାଇଁ ୫୦ କୋଟି ଟଙ୍କା, ସୁଲେଇପାଟ-ଝାଲଡୁଙ୍ଗୁରୀ ରାସ୍ତା ପାଇଁ ୩୫ କୋଟି, ଯଶୀପୁର-ରରୁଁଆ ରାସ୍ତା ପାଇଁ ୩୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି । ଯଶୀପୁର, ରରୁଁଆ ଓ ଶୁକ୍ରୁଳୀ ବ୍ଲକରେ ଘରେ ଘରେ ପିଇବା ପାଣି ଯୋଗାଇ ଦେବା ପାଇଁ ୬୫୦ କୋଟି ଟଙ୍କା, ୧୩ ହଜାର ୫୦୦ ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ଓ ଅଞ୍ଚଳର ୮ ଟି ସ୍କୁଲକୁ ୫-ଟିରେ ରୂପାନ୍ତରଣ କରିଛନ୍ତି ।

ଯଶୀପୁରରେ ପାଣ୍ଡିଆନ କହିଲେ ଯେ, ଆପଣ ଯାହାକୁ ଗତଥର ନିର୍ବାଚିତ କରିଥିଲେ, ସେ କେବେ ଆପଣଙ୍କ ପାଖକୁ ଆସି ତାଙ୍କ କାମର ହିସାବ ଦେଇଛନ୍ତି ? କିନ୍ତୁ ଆମ ମୁଖ୍ୟମନ୍ତ୍ରୀ କାମର ହିସାବ ଦିଅନ୍ତି । ସୁଦାମ ବାବୁ ଓ ଚକ୍ରଧର ବାବୁଙ୍କୁ ଆଶୀର୍ବାଦ କରନ୍ତୁ, ଆପଣମାନଙ୍କ ଲାଗି ଓ ଆପଣଙ୍କ ସମାଜ ପାଇଁ ସେମାନେ ବହୁତ କାମ କରିବେ ।

ସାରସକଣାରେ କର୍ମୀ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟମାନଙ୍କୁ ଅନୁରୋଧ କରି କହିଲେ ଆଉ ଦୁଇଦିନ ଲାଗିପଡ଼ନ୍ତୁ, ଶଙ୍ଖଚିହ୍ନ ପ୍ରତି ସମ୍ମାନ ଆଣନ୍ତୁ, ଅଞ୍ଚଳରେ ଉନ୍ନତି ଆଣନ୍ତୁ । ଯାହା ବି କାମ ଦରକାର ଆମେ କରିବୁ, ଆପଣମାନଙ୍କର ସାଥୀ ହୋଇ ରହିବୁ । ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ବହୁତ ପରିଶ୍ରମ କରୁଛନ୍ତି, ୫ ବର୍ଷରେ ଥରେ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ, ସୁଦାମ ବାବୁ ଓ ଦେବାଶିଷ ବାବୁଙ୍କୁ ଆଶୀର୍ବାଦ କରନ୍ତୁ । ଗତଥର ଆପଣ ଯାହାକୁ ବିଧାୟକ କରିଥିଲେ, ସେ ଆପଣଙ୍କ ପାଇଁ କଣ କାମ କରିଛନ୍ତି ଟିକିଏ ଚିନ୍ତା କରନ୍ତୁ, ସେ ଆପଣମାନଙ୍କୁ ଦେଖିଲେ ଚିହ୍ନିପାରିବେ କି ? ମୁଁ ପୂର୍ବରୁ ଏଠାକୁ ଦୁଇ ଥର ଆସିଛି, ଯାହା ବି ଦରଖାସ୍ତ ନେଇଥିଲି ପ୍ରାୟ ସବୁ କାମ ହୋଇଛି । ଚନ୍ଦନପୁର-ବିଶୋଇ ଘାଟି ରାସ୍ତା ପାଇଁ ୧୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି, ୩-୪ ମାସ ମଧ୍ୟରେ କାମ ଶେଷ ହେବ, ଆପଣଙ୍କ ବିଧାୟକ ଆପଣଙ୍କ କଥା ଶୁଣିଥିଲେ କି ? ଏଇଟା ହେଉଛି ନବୀନ ସରକାରଙ୍କ କାମ, ଲୋକଙ୍କ କାମ । ମଣ୍ଡା-ଯୋକା ରାସ୍ତା, ଦିଘି-ସରସକଣା ରାସ୍ତାକାମ ଚାଲିଛି, ବାଙ୍କବାଳ ଡ୍ୟାମ୍‍ ଉନ୍ନତି ପାଇଁ ୮୦ ଲକ୍ଷ ଟଙ୍କା, ସରସକଣା ଓ କୁସୁମୀ ବ୍ଲକରେ ୨୧୨ କୋଟି ଟଙ୍କାରେ ପିଇବା ପାଣି ସୁବିଧା, ବିଞ୍ଜଦହରା ଜଳପ୍ରପାତ ପାଇଁ ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି ।

ବାଙ୍ଗିରିପୋଷିରେ ପାଣ୍ଡିଆନ କହିଲେ ଯେ, ସୁଦାମ ବାବୁ ଆପଣଙ୍କ ସୁଖଦୁଃଖରେ ବହୁତ ଦିନ ହେଲା ଅଛନ୍ତି, ଆନ୍ତରିକତାର ସହ ସେ ଆପଣମାନଙ୍କ ପାଇଁ କାମ କରନ୍ତି । ୨୦ ବର୍ଷ ପୂର୍ବରୁ ମୟୂରଭଞ୍ଜରେ ଜିଲ୍ଲାପାଳ ଥିବାବେଳଠୁ ମୁଁ ତାଙ୍କୁ ଜାଣିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାମ ଆଦାୟ କରିବାରେ ସେ ଏକ ନମ୍ୱର, ଆପଣମାନେ ତାଙ୍କୁ ଏକ ନମ୍ୱର ସାଂସଦ କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତ ଅଗଷ୍ଟ ମାସରେ ମୁଁ ଏଠାକୁ ଆସିଥିଲି ଆପଣମାନେ ଯାହା ବି ଦରଖାସ୍ତ ଦେଇଥିଲେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ତା’ର ହିସାବ ଦେବାକୁ ଆସିଛି । କାମର ହିସାବ ଦେଇ କହିଲେ ଯେ, ସିମିଳେଶ୍ୱର ଶିବ ମନ୍ଦିର ପାଇଁ ୪୦ ଲକ୍ଷ ଟଙ୍କା, ସିନ୍ଦୁରଗୌର କୁଡୁମୀ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା, ବଡ଼ଗାଁ ପଞ୍ଚାୟତରେ ହୋ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା, ବୁଢ଼ୀଖମାରୀ ଗ୍ରାମପଞ୍ଚାୟତରେ କୁଡୁମୀ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା, କଂସପାଳ ଆଡ଼ିବନ୍ଧ ପାଇଁ ପାଖାପାଖି ୧୦୦ କୋଟି ଟଙ୍କା, ବାଙ୍ଗିରିପୋଷି-ତାଳବନ୍ଧ ରାସ୍ତା ପାଇଁ ୪୫ କୋଟି ଟଙ୍କା, ଧାଙ୍ଗିରିଶୋଳ-ଦେଉଳୀ-ମୋରଡ଼ା ରାସ୍ତା ପାଇଁ ୩୫ କୋଟି ଟଙ୍କା, ବାଲିଡିହ-ଭୁଆସୁଣି ରାସ୍ତା ପାଇଁ ୩୦ କୋଟି ଟଙ୍କା, ବାଙ୍ଗିରିପୋଷି ଓ କୁଳିଅଣା ବ୍ଲକରେ ଘରେ ଘରେ ପାଇପ ଯୋଗେ ପିଇବା ପାଣି ଯୋଗାଇଦେବା ପାଇଁ ୩୭୦ କୋଟି ଟଙ୍କା, ଶାମାଖୁଣ୍ଟା ବ୍ଲକର ୧୩ଟି ଗ୍ରାମ ପଞ୍ଚାୟତକୁ ପିଇବା ପାଣି ଯୋଗାଇ ଦେବାକୁ ୧୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।

ଉଦଳାରେ କହିଲେ ଯେ, ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ସୋନୋ ବ୍ୟାରେଜ ନିର୍ମାଣ ପାଇଁ ୭୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଲୋକସଭା ପ୍ରାର୍ଥୀ ସୁଦାମ ବାବୁ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ ପାଣ୍ଡିଆନ ଅନୁରୋଧ କରିଥିଲେ ।

Comments are closed.