ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର 

ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି । ସିମୁଳିଆ, ସୋରୋ, ଧାମନଗର ଓ ଭଣ୍ଡାରୀପୋଖରୀରେ ବିଶାଳ ଜନସଭାରେ ଯୋଗଦେଇ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ପାଣ୍ଡିଆନ।

ଆୟୋଜିତ ସଭାଗୁଡ଼ିକରେ ସେ କହିଥିଲେ ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର । ସେ ହେଉଛନ୍ତି ପରିବାରର ମୁଖିଆ । ମୁଖିଆ ଭାବରେ ସେ ଆପଣମାନଙ୍କ ଆର୍ଥିକ ବୋଝ ହାଲ୍‍କା କରିବା ପାଇଁ କାମ କରୁଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଆପଣମାନଙ୍କ ବୋଝ ବଢ଼େଇ ବଢ଼େଇ ଚାଲିଛନ୍ତି ।

ସେ କହିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍‍ରୁ ମୁକ୍ତ କରିବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ସମସ୍ତେ ପାଇବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍‍ସନ ବ୍ୟବସ୍ଥା କରିବେ । କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍‍କୁ ମଧ୍ୟ ବୃଦ୍ଧି କରିବେ । ପୁଅ ପିଲା ୯ ହଜାର ପରିବର୍ତ୍ତେ ପାଇବେ ୧୨ ହଜାର, ଝିଅ ପିଲା ୧୦ ହଜାର ପରିବର୍ତ୍ତେ ପାଇବେ ୧୪ ହଜାର ଟଙ୍କା । ପିଲାଙ୍କ ପାଇଁ ଏଭଳି ଯୋଜନା ଦେଶରେ କୌଣସି ରାଜ୍ୟ କରିନାହାନ୍ତି ବୋଲି ସେ କହିଥିଲେ ।

ଏ ସବୁ ପଦକ୍ଷେପର ଉଦ୍ଦେଶ୍ୟକୁ ବୁଝାଇ ପାଣ୍ଡିଆନ କହିଲେ ଯେ, ୫-ଟି ସ୍କୁଲ, କଲେଜ ଯୋଗୁଁ ବେସରକାରୀ ଶିକ୍ଷାନୁଷ୍ଠାନ ଳଠାରୁ ମଧ୍ୟ ପିଲାମାନେ ଭଲ ସୁବିଧା ପାଉଛନ୍ତି । ବି.ଏସ୍‍.କେ.ୱାଇ କାର୍ଡରେ ବେସରକାରୀ ହସପିଟାଲରେ ମଧ୍ୟ ବିନା ଖର୍ଚ୍ଚରେ ଭଲ ଚିକିତ୍ସା ପାଉଛନ୍ତି । ଲକ୍ଷ୍ମୀ ବସରେ ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଯିବା ଆସିବା କରିପାରୁଛନ୍ତି । ଏହାଦ୍ୱାରା ଆପଣମାନଙ୍କ ବୋଝ ହାଲ୍‍କା ହେଉଛି । ଆପଣମାନଙ୍କ ପିଲାମାନେ ଆଗକୁ ବଢ଼ିବାକୁ ସୁଯୋଗ ପାଉଛନ୍ତି । ଏହାଦ୍ୱାରା ସାରା ଓଡ଼ିଶା ଆଗକୁ ବଢ଼ିବ ।

ସେ କହିଲେ ଯେ, ଓଡ଼ିଶା ଆଗକୁ ବଢ଼ୁଛି, ଲୋକଙ୍କ ସ୍ୱପ୍ନ ପୁରଣ ହେଉଛି । ଏହାର ଅନେକ ଉଦାହରଣ ଅଛି । ବଲାଙ୍ଗୀରର ଜଣେ ଅଙ୍ଗନବାଡ଼ି ଦିଦିଙ୍କ ପୁଅ ଡାକ୍ତରୀ ପାଠରେ ଆଡମିଶନ ନେଇଛି । ଜଣେ ଅଙ୍ଗନବାଡ଼ି ଦିଦି ମଧ୍ୟ ତାଙ୍କ ସ୍ୱପ୍ନ ପୁରଣ କରିପାରୁଛନ୍ତି । ପୁଅକୁ ଡାକ୍ତର କରିପାରୁଛନ୍ତି । ଲୋକଙ୍କ ସ୍ୱପ୍ନ ପୁରଣ ହୋଇପାରୁଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ମା’ମାନଙ୍କୁ, ଯୁବପିଢ଼ିମାନଙ୍କୁ ସଶକ୍ତ କରି ସେମାନଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରର ବିଜେପି ସରକାର ପ୍ରସଙ୍ଗରେ ପାଣ୍ଡିଆନ କହିଲେ ଯେ, ସେମାନେ ବହୁତ କଥା କହିଥିଲେ, ପ୍ରତିଶ୍ରୁତି ଦେଇଥିଲେ – ଦରଦାମ୍‍ କମେଇବା, ଏଲ୍‍.ପି.ଜି., ପେଟ୍ରୋଲ, ଡିଜେଲ ଆଦି ଦାମ କମେଇବେ ବୋଲି କହିଥିଲେ । କମିଲା କି ? ରୋଜଗାର ଦେବା କଥା କହିଥିଲେ, ଦେଲେ କି ? ତେଣୁ ଆପଣମାନେ ବୁଝନ୍ତୁ । ସେମାନଙ୍କର ଆପଣଙ୍କ ସୁଖଦୁଃଖ ସହିତ କିଛି ସମ୍ପର୍କ ନାହିଁ । ସେମାନେ କେବଳ ୫ ବର୍ଷରେ ଥରେ ଆସିବେ, ଭୋଟ ମାଗିବେ । ନବୀନ ସରକାର ଆପଣଙ୍କ ସୁଖଦୁଃଖର ସାଥି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି । ଆପଣମାନଙ୍କର ଯାହା ବି କିଛି କାମ ଅଛି, ଦାବି ଅଛି, ସବୁ ମୁଖ୍ୟମନ୍ତ୍ରୀ ପୂରଣ କରିବେ ବୋଲି ପାଣ୍ଡିଆନ କହିଥିଲେ।

 

ସୋରୋରେ ସେ ବାହାନଗାଲୋକଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ବାହାନଗା ମାଟି ସାରା ଦେଶକୁ, ସାରା ଦୁନିଆକୁ ‘ମଣିଷ ପଣିଆ’ ଦେଖାଇଛି । ମଣିଷ ପଣିଆରେ ନୂଆ ପରିଚୟ ଦେଇଛି ।

୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି ଆଶୀର୍ବାଦ କରିବା ପାଇଁ । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରନ୍ତୁ । ବିଜୁ ପରିବାରକୁ ଆହ୍ୱାନ ଦେଇ ପାଣ୍ଡିଆନ କହିଲେ ଯେ ଆପଣମାନେ କଠିନ ପରିଶ୍ରମ କରନ୍ତୁ । ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ବହୁ ଭୋଟରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରଖିବାକୁ ସେ ଅନୁରୋଧ କରିଥିଲେ ।

ବିଭିନ୍ନ ସ୍ଥାନରେ ବିକାଶର ହିସାବ ଦେଇ ପାଣ୍ଡିଆନ କହିଲେ ଯେ, ମୁଖ୍ୟମନ୍ତ୍ରୀ ସଲ୍ଟ ରୋଡ୍ ପାଇଁ ୬୦ କୋଟି ଦେଇଛନ୍ତି, ଜଳସେଚନ ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ ଚାଲିଛି । ଆପଣମାନେ ଯେଉଁ କାମ ପାଇଁ ପ୍ରସ୍ତାବ ଦେଇଥିଲେ ତା’ର ୮୦ ପ୍ରତିଶତ କାମ ହୋଇଯାଇଛି । ସିମୁଳିଆ ଓ ଖଇରାକୁ ଏନ୍‍.ଏ.ସି ମାନ୍ୟତା ଦିଆଯାଇଛି । ସାଳନ୍ଦୀ ଲେଫ୍ଟ କେନାଲ ଓ ବିଭିନ୍ନ ଆଡ଼ିବନ୍ଧ ନିର୍ମାଣ ଜରିଆରେ ଜଳସେଚନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ବହୁତ କାମ କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ।

Comments are closed.