୬ ଲୋକସଭା ଓ ୪୨ ବିଧାନସଭା ଆସନରେ କାଲି ଭୋଟ୍, ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୯୯ ଲକ୍ଷରୁ ଅଧିକ ଭୋଟର 

ଭୁବନେଶ୍ୱର –ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଆସନ୍ତାକାଲି ହେବ ଭୋଟ୍ ଗ୍ରହଣ। ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି।

ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏସବୁ ଆସନ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ କାଲି ପଡ଼ିବ ଭୋଟ୍ । ମୋଟ ୯୯ , ୬୧ , ୦୫୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ଏମାନଙ୍କ ମଧ୍ୟରେ ୫୦ , ୮୮ , ୦୭୬ ପୁରୁଷ, ୪୮ , ୭୨ , ୨୯୪ ମହିଳା ଓ ୬୮୭ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ , ୫୭ , ୩୪୫ ଜଣ ୧୮ – ୧୯ ବର୍ଷ ବୟସର ପ୍ରଥମ ଥର ମତଦାତା , ୨୦ – ୨୯ ବର୍ଷ ବୟସର ୨୦ , ୫୧ , ୫୦୫ ଜଣ ଯୁବ ମତଦାତା ରହିଛନ୍ତି ।

ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ମୋଟ ୧୦ ହଜାର ୮୫୭ଟି ମତଦାନ କେନ୍ଦ୍ର ଓ ୨୫ଟି ଅତିରିକ୍ତ ( ମୋଟ ୧୦ , ୮୮୨ ) ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସମସ୍ତ ବୁଥରେ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ୧୪୦୦ରୁ ଉର୍ଦ୍ଧ୍ବ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ଏହି ପର୍ଯ୍ୟାୟରେ ପ୍ରାୟ ୨୦ ପ୍ରତିଶତ ଆଦର୍ଶ ମତଦାନ କେନ୍ଦ୍ର ( ମଡ଼େଲ୍ ବୁଥ୍ ) ରହିଛି ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୪୬୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ୬ ଲୋକସଭା ଆସନରେ ୬୬ ପ୍ରାର୍ଥୀ ( ପୁରୁଷ – ୫୫ , ମହିଳା – ୧୧ ) ରହିଛନ୍ତି । ୪୨ଟି ବିଧାନସଭା ଆସନରେ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ୩୯୪ ରହିଛି । ଏମାନଙ୍କ ମଧ୍ୟରୁ ୩୩୬ ପୁରୁଷ ଓ ୫୮ ଜଣ ମହିଳା ପ୍ରାର୍ଥୀ।

ମୁକ୍ତ, ଅବାଧ ଓ ନିରପେକ୍ଷ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୨୫ କମ୍ପାନୀ ସିଏପିଏଫ ( ସେଣ୍ଟ୍ରାଲ୍ ଆର୍ମଡ଼ ପୋଲିସ ଫୋର୍ସ ) ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ ।

Comments are closed.