ଏୟାର ଇଣ୍ଡିଆର ଦାୟିତ୍ବହୀନତା ଯୋଗୁଁ ତୀବ୍ର ଅସନ୍ତୋଷ, ବିନା ଏସିରେ ବିମାନ ଭିତରେ ବସିବା ଯୋଗୁଁ ଅନେକ ଯାତ୍ରୀ ଅଚେତ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଦିଲ୍ଲୀ-ସାନଫ୍ରାନ୍ସିସ୍କୋ ଫ୍ଲାଇଟ୍ ବିଳମ୍ବ ଯୋଗୁଁ ଯାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ବିମାନ ପ୍ରାୟ ୮ ଘଣ୍ଟା ବିଳମ୍ବ ଥିଲା । ହେଲେ ପ୍ରବଳ ଗରମ ମଧ୍ୟରେ ଯାତ୍ରୀଙ୍କୁ ବିମାନ ଭିତରେ ଏତେ ଘଣ୍ଟା ଧରି ବିନା ଏସିରେ ବସିବାକୁ ପଡ଼ିଥିଲା । ଫଳରେ ଅନେକ ଯାତ୍ରୀ ଅଚେତ ହୋଇଯାଇଥିଲେ | କମ୍ପାନୀର ଏଭଳି ଦାୟିତ୍ବହୀନତା ଓ ଅବ୍ୟବସ୍ଥା ନେଇ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବାରୁ ସେମାନଙ୍କୁ ଫ୍ଲାଇଟରୁ ବାହାର କରି ଦିଆଯାଇଥିଲା । ଗୁରୁବାର (ମେ ୩୦) ଦିଲ୍ଲୀ ବିମାନବନ୍ଦରରେ ଏହି ଘଟଣା ଘଟିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗତକାଲି ଅପରାହ୍ନ ୩:୨୦ରେ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୧୮୩ ପ୍ରାୟ ୨୦ ଘଣ୍ଟା ବିଳମ୍ବ ପରେ ଆଜି ଉଡ଼ାଣ ଭରିବ | ହେଲେ ଏଭଳି ସମସ୍ୟା ନେଇ ସୋସିଆଲ ମିଡିଆରେ ଏୟାର ଇଣ୍ଡିଆ ଓ ବେସାମରିକ ଚଳାଚଳ ମନ୍ତ୍ରାଳୟକୁ ଟ୍ୟାଗ୍ କରି ଅନେକ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଶ୍ବେତା ପୁଞ୍ଜ ନାମକ ଜଣେ ମହିଳା ଯାତ୍ରୀ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ବିଳମ୍ବିତ ରାତିରେ ଆମକୁ ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ଆଜି (ଶୁକ୍ରବାର) ସକାଳ ୮ଟାରେ ବିମାନବନ୍ଦରରେ ପହଞ୍ଚିବାକୁ ସୂଚନା ଦିଆଯାଇଥିଲା। ହେଲେ ବିମାନ ବନ୍ଦରରେ ପହଞ୍ଚିବା ପରେ ଆମକୁ ପୁଣି ହୋଟେଲକୁ ଫେରିବାକୁ କୁହାଯାଇଛି।

ଅଭିଷେକ ଶର୍ମା ନାମକ ଆଉ ଜଣେ ୟୁଜର କହିଛନ୍ତି ଯେ ତାଙ୍କ ପିତାମାତା ଏହି ବିମାନରେ ଯାତ୍ରା କରୁଛନ୍ତି। ଗୁରୁବାର (ମେ ୩୦) ଦିନ ଯାତ୍ରୀମାନଙ୍କୁ ବିନା ଏସିରେ ବିମାନରେ ବସିବାକୁ ପଡ଼ିଥିଲା। ତା’ପରେ ସେମାନଙ୍କୁ ବିମାନରୁ ବାହାର କରି ଦିଆଯାଇଥିଲା ଓ ଟର୍ମିନାଲରେ ପ୍ରବେଶ କରିବାକୁ ଦିଆଯାଇନଥିଲା କାରଣ ଇମିଗ୍ରେସନ ପୂର୍ବରୁ ହୋଇସାରିଥିଲା।

ସେ କହିଛନ୍ତି, ଯାତ୍ରୀମାନଙ୍କୁ ରାତି ୨ଟାରେ ହୋଟେଲ ରୁମ ଦିଆଯାଇଥିଲା। ଏକ ନୂଆ ବୋର୍ଡିଂ ପାସ୍ ଦିଆଯାଇଥିଲା ଏବଂ କୁହାଯାଇଥିଲା ଯେ ଆଜି ଦିନ ୧୧ ଟାରେ ବିମାନ ଉଡ଼ାଣ ଭରିବ | ମୋର ବାପାମା’ ବିମାନ ବନ୍ଦରରେ ପହଞ୍ଚିଛନ୍ତି, କିନ୍ତୁ ଲାଗୁଛି ଏହି ଫ୍ଲାଇଟ୍ ମଧ୍ୟ ବାତିଲ ହୋଇଯିବ। ଏୟାର ଇଣ୍ଡିଆ ପକ୍ଷରୁ କେହି ସାହାଯ୍ୟ କରୁନାହାଁନ୍ତି।

ଅନ୍ୟପକ୍ଷରେ ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଏୟାର ଇଣ୍ଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ କ୍ଷମା ମାଗିଛି। କମ୍ପାନୀ କହିଛି ଯେ ଫ୍ଲାଇଟ୍ ବିଳମ୍ବ ସମସ୍ୟାର ସମାଧାନ ପାଇଁ ଆମ ଟିମ୍ କାମ କରୁଛି । ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ମଧ୍ୟ ଆମ ଟିମକୁ ସଚେତନ କରୁଛୁ |

Comments are closed.