ରାସ୍ତାକଡରୁ ୩ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ

ଫୁଲବାଣୀ – ବୁଧବାର ବିଳମ୍ବିତ ରାତିରେ ଫୁଲବାଣୀ ସହର ଏଫସି ଆଇ ଗୋଦାମ ନିକଟସ୍ଥ ଅରବିନ୍ଦ ନଗର ଗଳିରୁ ୩ ଜଣ ଶିଶୁଙ୍କୁ ଉଦ୍ଧାର କରିଛି କନ୍ଧମାଳ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ। ୧୦୯୮ ନମ୍ବରର କଣ୍ଟ୍ରୋଲ ରୁମର ସୂଚନା ମୁତାବକ ସ୍ଥାନୀୟ ଆଦର୍ଶ ଟାଉନ ଥାନା ପୋଲିସର ସହାୟତାରେ ୩ ଶିଶୁଙ୍କୁ କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ଉଦ୍ଧାର କରାଯାଇଥିବା ଶିଶୁଙ୍କ ମଧ୍ୟରୁ ୨ ଜଣ ଶିଶୁ କନ୍ୟା ଅଛନ୍ତି ।ଶିଶୁମାନେ ଫିରିଙ୍ଗିଆ ବ୍ଲକ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ଶିଶୁମାନଙ୍କୁ ଅଖିଆ ଅପିଆ ଓ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ଯଥା ଶୀଘ୍ର ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଇଁ ଭର୍ତ୍ତି କରାଯାଇଥିଲା। ଉଦ୍ଧାର ଶିଶୁମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି। ସେମାନଙ୍କ ପିତାମାତାଙ୍କ ଠିକଣା ମିଳିନାହିଁ। ବଡ଼ ଝିଅକୁ ‘ ସଖୀ ସେଣ୍ଟର୍ ରେ , ପୁଅକୁ ମୂଳଗୁଦାରୀ ସ୍ଥିତ ‘ ସଧନ ଶିଶୁ ଯତ୍ନ ଅନୁଷ୍ଠାନରେ ଅସ୍ଥାୟୀ ଥଇଥାନ କରାଯାଇଥିଲା। ଉଦ୍ଧାର ଟିମ୍ ରେ ଚାଇଲ୍ଡ ହେଲ୍ପ ଲାଇନର ସଂଯୋଜକ କ୍ଷୀରୋଦ ପ୍ରସାଦ ନାୟକ , ବରୁଣ ବେହେରା ,ଟାଉନ ପୋଲିସ ଏସ ଆଇ ସରୋଜ ସାହୁ,ଟିମ୍ ହ୍ୟୁମାନିଟିର ଲୋକନାଥ ରାଜୁ ପ୍ରମୁଖ ସହଯୋଗ କରିଥିଲେ। ଆଜି ଉଦ୍ଧାର ଶିଶୁମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜିର କରାଯିବା ପରେ ବାଲିଗୁଡ଼ା ବନବାସୀ ସେବା ସମିତିର ସ୍ଵତନ୍ତ୍ର ପୋଷ୍ୟ ଏଜେନ୍ସୀ ଠାରେ ଅସ୍ଥାୟୀ ଥଇଥାନ ବ୍ୟବସ୍ଥା କରାଯାଇଛି ।

Comments are closed.