ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହ୍ୟାଟ୍ରିକ ବିଜୟ, ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ

ବାରାଣସୀ: ଲୋକସଭା ନିର୍ବାଚନର ଅନ୍ୟତମ ହଟ୍ ସିଟ୍ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟର ହ୍ୟାଟ୍ରିକ କରିଛନ୍ତିି। ସେ ଦେଢ଼ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସର ଅଜୟ ରାୟଙ୍କୁ ପରାସ୍ତ କରିଛନ୍ତି।

ନିର୍ବାଚନ କମିଶନଙ୍କ ତରଫରୁ ଜାରି ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୬,୧୨,୯୭୦ ଭୋଟ୍ ପାଇଥିବାବେଳେ କଂଗ୍ରେସର ଅଜୟ ରାୟଙ୍କୁ ୪,୬୦,୪୫୭ ଭୋଟ୍ ମିଳିଥିଲା। ମୋଦୀ ୧ ଲକ୍ଷ ୫୨ ହଜାର ୫୧୩ ଭୋଟରେ ଅଜୟ ରାୟଙ୍କୁ ପରାସ୍ତ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ଲଗାତାର ତୃତୀୟ ଥର ବାରାଣସୀରୁ ବିଜୟୀ ହୋଇଛନ୍ତି।

ଗଣତି ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଅଜୟ ରାୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଏପରିକି ଏକଦା ମୋଦୀଙ୍କୁ ପଛରେ ପକାଇ ଦେଇଥିଲେ ଅଜୟ ରାୟ । ହେଲେ ପରବର୍ତ୍ତୀ ସମୟରେ ମୋଦୀ ଅଗ୍ରଣୀ ହାସଲ କରିଥିଲେ। ପିଏମ୍ ମୋଦୀ ପ୍ରଥମ ଥର ୨୦୧୪ରେ ବାରାଣସୀରୁ ନିର୍ବାଚନ ଲଢ଼ିଥିଲେ ଓ ତିନି ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ | ସେହି ବର୍ଷ ତାଙ୍କ ପ୍ରତିଦ୍ୱନ୍ଦୀ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯିଏକି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏସପିର କୈଳାସ ଚୌରାସିଆ ତୃତୀୟ ଏବଂ କଂଗ୍ରେସର ଅଜୟ ରାୟ ଚତୁର୍ଥ ସ୍ଥାନରେ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ୨୦୧୯ରେ ଏହି ଆସନରୁ ଲଢ଼ି ଏକତରଫା ବିଜୟ ହାସଲ କରିଥିଲେ। ୨୦୧୯ରେ ମୋଦୀଙ୍କ ବିରୋଧରେ ଏସପିର ଶାଲିନୀ ଯାଦବ ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସର ଅଜୟ ରାୟ ତୃତୀୟ ସ୍ଥାନରେ ରହିଥିଲେ। ଏଥର ଏସପି ଓ କଂଗ୍ରେସ ମେଣ୍ଟ ଯୋଗୁଁ ବାରାଣସୀରୁ କଂଗ୍ରେସ ପ୍ରାର୍ଥୀ ଲଢ଼ିଥିଲେ।

Comments are closed.