ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର – ବିଧାନସଭା ନିର୍ବାଚନରେ ବିଜେପି ସପକ୍ଷରେ ଜନାଦେଶ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି । ଆଜି ସେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ସହ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୨୪ ବର୍ଷ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଥିଲେ ନବୀନ ପଟ୍ଟନାୟକ। ତାଙ୍କ ନେତୃତ୍ଵରେ ବିଜେଡି ପ୍ରମୁଖ ଆଞ୍ଚଳିକ ଦଳରେ ପରିଣତ ହୋଇଥିଲା । ବିଜେଡି ଲଗାତର ପାଞ୍ଚଟି ନିର୍ବାଚନରେ ବିଜୟୀ ହୋଇ ସରକାର ଗଠନ କରିବା ଦଳ ଓ ନବୀନଙ୍କ ଲୋକପ୍ରିୟତାର ପ୍ରମାଣ।

୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ଏଥର ବିଧାନସଭା ନିର୍ବାଚନ ଫଳାଫଳକୁ ସ୍ୱୀକାର କରିଛି ବିଜେଡି । ଦଳଗତ ନିର୍ବିଶେଷରେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ଏଥର ବିଧାନସଭା ନିର୍ବାଚନରେ ବିଜେଡି ମାତ୍ର ୫୧ଟି ଆସନ ହିଁ ଜିତି ପାରିଛି । ବିଜେପି ୭୮ଟି ଆସନ ସହ ସାଧାରଣ ସଂଖ୍ୟାଗରିଷ୍ଠତା ହାସଲ କରି ରାଜ୍ୟରେ ନୂଆ ସରକାର ଗଠନ କରିବାକୁ ଯାଉଛି।

Comments are closed.