ଏଥର କେଉଁ ଦଳର ମହିଳା ସାଂସଦ ସଂଖ୍ୟା ଅଧିକ ଜାଣନ୍ତୁ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିରୁ ସର୍ବାଧିକ ମହିଳା ପ୍ରାର୍ଥୀ ଜିତିଛନ୍ତି। ଏଥର ଦଳର ୩୧ ଜଣ ମହିଳା ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି, ଯାହା ଗତ ନିର୍ବାଚନ ତୁଳନାରେ ବହୁତ କମ୍ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ୪୨ ଜଣ ମହିଳା ସାଂସଦ ଥିଲେ।

ସର୍ବାଧିକ ସଂଖ୍ୟକ ମହିଳା ସାଂସଦ ଦେବାରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। ଏଥର ଦଳର ୧୩ ଜଣ ପ୍ରାର୍ଥୀ ଜିତିଥିବାବେଳେ ଗତ ନିର୍ବାଚନରେ ଏହି ସଂଖ୍ୟା ମାତ୍ର ୭ ଜଣ ଥିଲା। ଏହି ତାଲିକାର ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଅଲ୍ ଇଣ୍ଡିଆ ତୂଣମୂଳ କଂଗ୍ରେସ (ଟିଏମସି) ରହିଛି । ଟିଏମସିର ଏଥର ୧୦ ଜଣ ମହିଳା ପ୍ରାର୍ଥୀ ଜିତିଛନ୍ତି। ୨୦୧୯ରେ ଦଳର ୯ ଜଣ ମହିଳା ସାଂସଦ ଥିଲେ।

ଚତୁର୍ଥ ନମ୍ବରରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ରହିଛି। ଗତଥର ସମାଜବାଦୀ ପାର୍ଟିର ମାତ୍ର ଜଣେ ମହିଳା ସାଂସଦ ଥିଲେ। ତେବେ ଏଥର ଏହି ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଚଳିତ ଥର ସମାଜବାଦୀ ପାର୍ଟିର ୫ ଜଣ ମହିଳା ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ପଞ୍ଚମ ସ୍ଥାନରେ ଦକ୍ଷିଣ ଭାରତର ଡିଏମକେ ଅଛି, ଯାହାର ତିନିଜଣ ମହିଳା ପ୍ରାର୍ଥୀ ଜିତିଛନ୍ତି । ଗତ ନିର୍ବାଚନରେ ଦଳ ମାତ୍ର ଦୁଇ ଜଣ ମହିଳା ସାଂସଦଙ୍କୁ ଲୋକସଭା ଯାଇଥିଲେ।

କୌତୁହଳର ବିଷୟ ହେଉଛି ଯେ ଗତବର୍ଷ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଇ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ଏହା ସତ୍ତ୍ବେ ୧୮ତମ ଲୋକସଭାକୁ କେବଳ ୧୩ ପ୍ରତିଶତ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି । ଗତଥର ଲୋକସଭାକୁ ୭୮ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଥିଲେ।

Comments are closed.