ଆଜି ନିର୍ଜଳା ଏକାଦଶୀ ବା ଭୀମସେନ ଏକାଦଶୀ, ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ 

ନିର୍ଜଳା ଏକାଦଶୀ ବା ଭୀମସେନୀ ଏକାଦଶୀ । ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ । ଅନ୍ୟ ଏକାଦଶୀରେ ବ୍ରତୀମାନେ ଫଳାହାର କରିଥାନ୍ତି । କିନ୍ତୁ ଏହି ଏକାଦଶୀରେ କୌଣସି ଖାଦ୍ୟ କିମ୍ବା ଜଳ ମଧ୍ୟ ଗ୍ରହଣ କରାଯାଏ ନାହିଁ । ବିଶ୍ୱାସ କରାଯାଏ ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ । ପୌରାଣିକ କଥାବସ୍ତୁରୁ ଜଣାଯାଏ ଏହି ଏକାଦଶୀରେ ଭୀମସେନ ବ୍ରତ ରଖିଥିଲେ । ସେ ଯେକୌଣସି ଖାଦ୍ୟକୁ ସହଜରେ ହଜମ କରିଦେଉଥିଲେ । ତାଙ୍କ ଉଦରରେ ବୃକ ନାମକ ଅଗ୍ନି ଥିବାରୁ ସେ ଏପରି ଖାଦ୍ୟ ପରିପାକ କରିପାରୁଥିଲେ । ନାଗଲୋକ ଯାଇ ସେଠି ମଧ୍ୟ ଦଶକୁଣ୍ଡ ଦୁଗ୍ଧ ପାନ କରିଥିବାରୁ ସେ ଦଶ ହଜାର ହାତୀର ଶକ୍ତି ପ୍ରାପ୍ତ ହୋଇଥିଲେ । ଏହି ରସ ପ୍ରଭାବରୁ ତାଙ୍କର ପ୍ରଚୁର କ୍ଷମତା ବଢ଼ିଯାଇଥିଲା । ତେଣୁ ସେ ଏହି ବ୍ରତ ପାଳନ କରି ପାରୁନଥିଲେ । ଥରେ ଭୀମସେନ ମହର୍ଷି ବେଦବ୍ୟାସଙ୍କୁ କହିଲେ ଦ୍ରୌପଦୀ ଏବଂ ମୋର ସମସ୍ତ ଭ୍ରାତା ଏକାଦଶୀ ବ୍ରତ ରଖୁଛନ୍ତି । କିନ୍ତୁ ମୁଁ ଭୋକ ସମ୍ଭାଳି ନପାରିବାରୁ ବ୍ରତ କରିପାରୁନାହିଁ ।

ଆପଣ କୌଣସି ଏକ ଉପାୟ ବତାନ୍ତୁ । ବେଦବ୍ୟାସ କହିଲେ ତୁମେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ବ୍ରତ ପାଳନ କଲେ ବର୍ଷ ସାରା ଅନ୍ୟ ସବୁ ବ୍ରତର ଫଳ ମିଳିପାରିବ । ଏଥିପାଇଁ ତୁମକୁ ଉକ୍ତ ଏକାଦଶୀରେ ଦୁଇବେଳା ଭୋଜନ ଓ ଜଳତ୍ୟାଗ କରିବାକୁ ପଡ଼ିବ । ଏହିକଥା ଶୁଣି ଭୀମ ନିର୍ଜଳା ଏକାଦଶୀ ବ୍ରତ କରିବା ପାଇଁ ଯତ୍ନଶୀଳ ହେଲେ । ଭୀମସେନ ଏହି ନିର୍ଜଳା ଏକାଦଶୀ ବ୍ରତ ପାଳନ କରିଥିବାରୁ ଏହାକୁ ଭୀମସେନୀ ଏକାଦଶୀ ବୋଲି କୁହାଯାଏ। ଶ୍ରୀକ୍ଷତ୍ରରେ ଏହିଦିନ ରୁକ୍ମଣ ହରଣ ନୀତି ସମ୍ପାଦିତ ହେଉଥିବାରୁ ଏହାକୁ ରୁକ୍ମନି ହରଣ ଏକାଦଶୀ କୁହାଯାଇଥାଏ ।

Comments are closed.