ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପର୍ଣ୍ଣ

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳିତ ହୋଇଯାଇଛି। ଏହିଦିନ ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରୁ ଶ୍ରୀ ମଦନମୋହନ ଙ୍କୁ ବେଶ କରାଯାଇଥିଲା।

ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକ ମାନେ ଶ୍ରୀଦେବୀ ଙ୍କୁ ବିଜେ କରାଇ ସାତ ପାହାଚ ଠାରେ ଥିବା ପାଲିଙ୍କି ରେ ଅଧିଷ୍ଠିତ କରାଇଥିଲେ। ଏହାପରେ ବିମାନବଡୁ ମାନେ ପାଲିଙ୍କି କୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ନେଇଥିଲେ। ମହାଲକ୍ଷ୍ମୀ ଙ୍କ ଜଗମୋହନ ରେ ପଡିଥିବା ଖଟ ଉପରେ ଶ୍ରୀଦେବୀ ଙ୍କୁ ପଞ୍ଚାମୃତ ରେ ମହାସ୍ନାନ ହୋଇ ମାଜଣା ଓ ବନକ ଲାଗି , ଅଳଙ୍କାର ଲାଗି ବଢିଥିଲା। ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳ ପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି । ଭିତରଚ୍ଛ ମହାପାତ୍ର ଏହି ତାଳପତ୍ର ଓ ଲେଖନୀ ଶ୍ରୀଦେବୀଙ୍କର ଶ୍ରୀହସ୍ତ ଛୁଆଇଁ ତଢ଼ାଉକରଣକୁ ଦେବାରେ ସେ ଚିଟାଉ ଲେଖିଥିଲେ। ଏହାପରେ ଭିତରଚ୍ଛ ମହାପାତ୍ର ଏହି ଚିଟାଉ ନେଇ ଚନ୍ଦନରେ ଶ୍ରୀଦେବୀଙ୍କ ଶ୍ରୀହସ୍ତ ମୁଦ କରାଇବା ପରେ ବିପ୍ର ବ୍ରାହ୍ମଣ (ଜନୈକ ସେବକ ) ଚିଟାଉ ନେଇ ଘଣ୍ଟ ଛତା , କାହାଳୀ ସହ ଜୟବିଜୟ ଦ୍ୱାର ନିକଟକୁ ଯାଇଥିଲେ।

ଭୋଗମଣ୍ଡପ ଶେଷ ହେବା ପରେ ଆଜ୍ଞା ମାଳ ପ୍ରାପ୍ତ ହୋଇ ଶ୍ରୀମଦନମୋହନ ଜୟବିଜୟ ଦ୍ୱାର ନିକଟ ରେ ବିଜେ ହେବା ପରେ ସେଠାରେ ପୁରାଣପଣ୍ଡା , ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥିଲା। ଏହାପରେ ଶ୍ରୀମଦନମୋହନ ସାତ ପାହାଚ ତଳେ ରଖା ଯାଇଥିବା ରଥ ଉପରେ ବିରାଜମାନ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରିଥିଲେ। ଏହିସମୟରେ ମହାଲକ୍ଷ୍ମୀ ମନ୍ଦିର ଜଗମୋହନ ଠାରୁ ଶ୍ରୀଦେବୀ ବିମଳା ମନ୍ଦିରକୁ ଗମନ କରିଥିଲେ। ଏଠାରେ ପର୍ବଯାତ୍ରା ଯୋଗାଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳା ଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ଶେଷ ହେବାପରେ ବିମଳା ଙ୍କ ମନ୍ଦିରରୁ ବାହାରକୁ ଆସିବା ସମୟରେ ଶ୍ରୀ ମଦନମୋହନ ଶ୍ରୀଦେବୀଙ୍କୁ (ରୁକ୍ମିଣୀ) ହରଣ କରିଥିଲେ। ଏହି ବିଧିଟି ଭିତରଚ୍ଛ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ଏହାପରେ ମହାପ୍ରଭୁ ଶ୍ରୀମଦନମୋହନ ସରସ୍ୱତୀଙ୍କ ମନ୍ଦିର ନିକଟରେ ଶିଶୁପାଳ ଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେବାପରେ ତତ୍ପରେ ଦକ୍ଷିଣୀ ଘରୁ ବଳରାମ ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରାଇ ପୁନର୍ବାର ଦକ୍ଷିଣୀ ଘର କୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏହାପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପ ଠାରେ ବିଜେ ପୂର୍ବକ ଚନ୍ଦନ ଲାଗି କରାଯାଇଥିଲା।ଏହି ସମୟ ରେ ରତ୍ନସିଂହାସନ ତଳେ ପାଣି ପଡ଼ି ଧୋ ପଖାଳ ହୋଇ ଯାତ ଭୋଗ ଉଠିବା ପରେ ଜଳକ୍ରୀଡ଼ା ଶେଷ ହେବା ପରେ ମଧ୍ୟାହ୍ନ ଧୂପ , ସନ୍ଧ୍ୟାଆଳତି ବଢି ମହାସ୍ନାନ ପୂର୍ବକ ନୂଆଲୁଗା ଲାଗି , ସର୍ବାଙ୍ଗ ଶେଷ ହୋଇ ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ବିବାହ ମଣ୍ଡପ ରେ ବିବାହ ନୀତି ଆରମ୍ଭ ହୋଇଥିଲା। ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ସମ୍ପାଦିତ ଏହି ବିବାହ ନୀତି ଶେଷ ହେବାପରେ ଶ୍ରୀମନ୍ଦିର ରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥିଲା।

Comments are closed.