ମୁଖ୍ୟ ଶାସନ ସଚିବ ପଦରୁ ଆଜି ଅବସର ନେବେ ପ୍ରଦୀପ ଜେନା, ଦାୟିତ୍ବ ସମ୍ଭାଳିବେ ମନୋଜ ଆହୁଜା

ଭୁବନେଶ୍ବର – ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ତାଙ୍କ ପରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା ।

ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ୨୦୨୩ ମାର୍ଚ୍ଚ ୧ ରେ ଦାୟିତ୍ବ ନେଇଥିଲେ। ସେ ହେଉଛନ୍ତି ୧୯୮୯ ବ୍ୟାଚ୍‌ର ଆଇଏଏସ ଅଫିସର ।

୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ, ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ। ସେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଏବଂ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଆଇଟି ଓ ଶକ୍ତି ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ମୁଖ୍ୟ ଶାସନ ସଚିବ ହେବା ପୂର୍ବରୁ ସେ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି) ଓ ଉନ୍ନୟନ କମିଶନର ଭାବରେ ଦାୟିତ୍ୱରେ ରହିଥିଲେ। ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ମୁଖ୍ୟ ଉନ୍ନୟନ କମିଶନର ଦାୟିତ୍ୱରେ ମଧ୍ୟ ଥିଲେ।
ଗତବର୍ଷ ଡିସେମ୍ବର ଶେଷରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିଲା । ହେଲେ ତତ୍କାଳୀନ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରିଥିଲେ ।

Comments are closed, but trackbacks and pingbacks are open.