ବଲାଙ୍ଗିର ଜିଲ୍ଲାରେ ସମ୍ପୁର୍ଣ୍ଣତା ଅଭିଯାନ ଶୁଭାରମ୍ଭ

ବଲାଙ୍ଗିର : ଜିଲ୍ଲାରେ ଆରମ୍ଭ ହୋଇଛି ସମ୍ପୁର୍ଣ୍ଣତା ଅଭିଯାନ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରୱ ଶିୱାଜୀ ଇସଲୱାର ସକାଳୁ ସମ୍ପୁର୍ଣ୍ଣତା ଅଭିଯାନ ରାଲିକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ ମାନଙ୍କୁ ନେଇ ଏହି ଅଭିଯାନ ଜୁଲାଇ ପହିଲାରୁ ସେପ୍ଟେମ୍ବର ଶେଷ ଯାଏଁ ଚାଲିବ । ନୀତି ଆୟୋଗଙ୍କ ନିର୍ଦେଶ କ୍ରମେ ୬ ଗୋଟି ସୂଚକାଙ୍କ ମାଧ୍ୟମରେ ମୂଲ୍ୟାଙ୍କନ କରା ଯାଇ ଲୋକ ମାନଙ୍କର ବଞ୍ଚିବାର ମାନ ଏବଂ ଗୁଣବତ୍ତାକୁ ଉନ୍ନତି କରାଯିବାର ଯୋଜନା ରଖାଯାଇଛି । ୬ ଟି ସୂଚକାଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ୩ଟି ସୂଚକା ଯଥା ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ଯତ୍ନ , ଗର୍ଭଧାରଣ ସମୟରେ ସଠିକ ପୋଷଣ, ୯-୧୧ ମାସର ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ସଠିକ ରହିବା ଅନ୍ତର୍ଭୁକ୍ତ ।

ସେହିପରି କୃଷିରେ ଗୋଟିଏ ସୂଚକାଯଥା ମୃତିକ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ଏବଂ ଶିକ୍ଷାରେ ସେକେଣ୍ଡାରୀସ୍ତରରେ ସମସ୍ତ ସ୍କୁଲକୁ ବିଦ୍ୟୁତିକରଣ ଏବଂ ସ୍କୁଲ ଆରମ୍ଭ ହେବାର ମାସକ ମଧ୍ୟରେ ସମସ୍ତଙ୍କୁ ବହି ଯୋଗାଇଦେବା ଗୁଡିକ ଏହି ସମ୍ପୁର୍ଣ୍ଣତା ଅଭିଯାନରେ ସାମିଲ ଅଛି । ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଗୁରୁ , ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୀଳାବତୀ ନାଗ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଏବଂ ନୀତିଆୟୋଗର ପ୍ରତିନିଧି ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ସମ୍ପୁର୍ଣ୍ଣତା ଅଭିଯାନର ଶତ ପ୍ରତିଶତ ସଫଳତା କାମନା କରିଥିଲେ । ସମସ୍ତ ସୂଚକା ପାଇଁ କିଛି ମାତ୍ର ରେ ଅଧିକ ପରିଶ୍ରମ କଲେ ସଫଳ ଜିଲ୍ଲା ସଫଳ ହେବ । ଆକାଂକ୍ଷୀ ନୁହେ ପ୍ରେରଣାଦାୟୀ ଜିଲ୍ଲା ରୂପେ ବଲାଙ୍ଗୀରକୁ ଗଢିବାକୁ ସେ ଆହ୍ବାନ କରିଥିଲେ । ଗଣମାଧ୍ୟମ ଏଥିପାଇଁ ସବୁଠୁ ଅଧିକ ଗୁରୁତ୍ବ ବହନ କରୁଛି ଏବଂ ସେ ସବୁ ସ୍ତରରୁ ଏଥିପାଇଁ ସହୟଯୋଗ ଆଶା କରିଛନ୍ତି ବୋଲି କହିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆ ଯାଇଥିଲା । ଶପଥ ପାଠ ଏବଂ ସ୍ବାକ୍ଷର କ୍ୟାମ୍ପେନ ପରେ ପୋଷ୍ଟିକ ଆହାର ପ୍ରଦର୍ଶନ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଡାଇବେଟିକ୍ସ ଏବଂ ଚିନ୍ତାଜନକ ରୋଗ ର ପରୀକ୍ଷଣ ମଧ୍ୟ ହୋଇଥିଲା ।

Comments are closed, but trackbacks and pingbacks are open.