ପାରଳା ଷ୍ଟେସନର ଶୋଭାବର୍ଦ୍ଧନ କରିବ ରାଜବଂଶର ସ୍ମୃତି ଫଳକ ଟ୍ରେନ୍ ଇଞ୍ଜିନ୍

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ପହଞ୍ଚିଛି ବ୍ରିଟିଶ ଅମଳରେ ଏଠିକାର ଗଜପତି ରାଜାଙ୍କ ଆନୁକୂଲ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ଇଞ୍ଜିନ୍। ଏହାକୁ ଏକ ମ୍ୟୁଜିୟମରେ ସଜାଇ ରଖାଯିବ। ଏହାକୁ ଛାତ୍ରଛାତ୍ରୀ, ପର୍ଯ୍ୟଟକ, ସାଧାରଣ ଲୋକ ଦେଖି ପୁରାତନ କାଳରେ ରେଳ ସେବା ବାବଦରେ ଧାରଣା ପାଇପାରିବେ। ଆଜିକୁ ଠିକ୍ ୧୨୪ ବର୍ଷ ତଳେ ଏହି ଟ୍ରେନ୍ ଇଞ୍ଜିନ୍ ତତ୍କାଳୀନ ପାରଳା ଗଜପତି ରାଜାଙ୍କ ରାଜାଙ୍କ ରାଜଧାନୀକୁ ଦେଶର ଅନ୍ୟ ଭାଗ ସହ ରେଳପଥରେ ଯୋଡୁଥିଲା। ଏବେ ଗୈ।ରବମୟ ଇତିହାସର ମୂକ ସାକ୍ଷୀ ସେଇ ରେଳ ଇଞ୍ଜିନ୍ ବର୍ତ୍ତମାନ ପାରଳା ଷ୍ଟେସନର ଶୋଭାବର୍ଦ୍ଧନ କରିବ।

ପାରଳାଖେମୁଣ୍ଡି ରାଜବଂଶୀୟଙ୍କ ପୁରାତନ କୀର୍ତ୍ତି ଯାହାକୁ ସାଧାରଣ ଲୋକଙ୍କ ଯାତାୟତ ପାଇଁ ମହାରାଜା ଗୈାରଚନ୍ଦ୍ର ଗଜପତି ନାରାୟଣ ଦେଓ(୨) ଆରମ୍ଭ କରିଥିଲେ। ପ୍ରାକ୍- ସ୍ବାଧୀନତା କାଳରେ ଭାରତରେ କିଛି ହାତଗଣତି ସ୍ଥାନରେ ହିଁ ରେଳ ସେବା ରହିଥିଲା। ସେଥିରୁ ଅନ୍ୟତମ ଥିଲା ପାରଳାଖେମୁଣ୍ଡି ଲାଇଟ୍ ରେଳବାଇ (ପିଏଲଆର୍)। ସେହି ସମୟରେ ଯେଉଁ ଇଞ୍ଜିନ୍ ରେଳସେବା ଯୋଗାଇ ଆସୁଥିଲା ତାହା ନେରୋଗେଜ୍ରେ ଚଳପ୍ରଚଳ କରୁଥିଲା। ୧୮୯୪ ମସିହାରେ କଟକ- ଖୋର୍ଦ୍ଧା- ବିଜୟଓ୍ବାଡା ରେଳ ଧାରଣାରେ ଯୋଡ଼ି ହୋଇଗଲା ତତ୍କାଳୀନ ପାରଳାଖେମୁଣ୍ଡି ରାଜ୍ୟ (ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ) ନୂଆପଡ଼ା ଷ୍ଟେସନ୍। ଏହାପରେ ବ୍ରିଟିଶ ସରକାର ସହ ଆଲୋଚନା କରି ୧୮୯୯ ମସିହାରେ ପାରଳା ରାଜା ସେ ସମୟରେ ୩୯ ଲକ୍ଷ ଟଙ୍କା ନିଜ ରାଜକୋଷରୁ ବ୍ୟୟ କରି ୩୯ କିଲୋମିଟର ରେଳପଥ ତିଆରି କରିଥିଲେ। ଆଉ ବର୍ଷକ ପରେ ଅର୍ଥାତ୍ ୧୯୦୦ ମସିହାରେ ପିଏଲଆର୍ ଚଳାଚଳ ଆରମ୍ଭ ହୋଇଥିଲା।

ପରବର୍ତ୍ତୀ ସମୟରେ ରେଳ ସେବା ଆଧୁନିକୀକରଣ ସାଙ୍ଗକୁ ଏହି ଇଞ୍ଜିନକୁ ଚଳାଚଳରୁ ଓହରାଇ ନିଆଯାଇଥିଲା। ଦୀର୍ଘ ବର୍ଷ ଧରି ଏହି ରେଳ ଇଞ୍ଜିନଟି ପୂର୍ବତଟ ରେଳ ଜୋନ୍ ୱାଲଟିୟର୍ ଡିଭିଜନ୍ କାର୍ଯ୍ୟାଳୟ ଠାରେ ଶୋଭାବର୍ଦ୍ଧନ କରୁଥିଲା। ସ୍ଥାନୀୟ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ, ପୂର୍ବତନ ବିଧାୟକ କେ.ନାରାୟଣ ରାଓ, ପ୍ରମୁଖ ବୁଦ୍ଧିଜୀବୀମାନେ ରେଳ ଇଞ୍ଜିନକୁ ପାରଳାଖେମୁଣ୍ଡି ଫେରାଇ ଆଣିବା ପାଇଁ ରେଳମନ୍ତ୍ରୀଙ୍କ ନିକଟରେ ଦାବି କରି ଆସୁଥିଲେ। ଏହି ଦାବିକୁ ଗ୍ରହଣ କରି ରେଳ ମନ୍ତ୍ରାଳୟ ପାରଳାଖେମୁଣ୍ଡିକୁ ଉକ୍ତ ଇଞ୍ଜିନ୍ ଫେରାଇ ଦେଇଛନ୍ତି। ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଐତିହ୍ୟର ବାର୍ତ୍ତା ବହନ କରୁଥିବା ଉକ୍ତ ଇଞ୍ଜିନ୍ ପାରଳା ଷ୍ଟେସନରେ ପହଞ୍ଚିଛି। ତାହାକୁ ସ୍ଥାନୀୟ ଷ୍ଟେସନରେ ପ୍ରଦର୍ଶିତ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

Comments are closed.