ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ

ଶ୍ରୀନୀଳାଚଳ କ୍ଷେତ୍ରର ଅନ୍ୟତମ ପୁଣ୍ୟ ଅଧିଷ୍ଠାନ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର। ବିଭିନ୍ନ ପ୍ରାଚୀନ ଶାସ୍ତ୍ର ଗ୍ରନ୍ଥ ଓ ଲୋକ ସାହିତ୍ୟରେ ଗୁଣ୍ଡିଚା ମନ୍ଦିରକୁ ମହାବେଦୀ, ଯଜ୍ଞବେଦୀ, ଗୁଣ୍ଡିଚାମଣ୍ଡପ, ଆଡ଼ପ ମଣ୍ଡପ, ଗୁଣ୍ଡିଚା ଘର, ଆଟୋପ ମଣ୍ଡପ, ରାସ ମଣ୍ଡପ, ଆଡ଼ମ୍ବର ମଣ୍ଡପ ଆଦି ଭାବରେ ବର୍ଣ୍ଣନା କରାଯାଇଛି। ‘ସ୍କନ୍ଦ ପୁରାଣ’ର ଉଲ୍ଲେଖ ପ୍ରକାରେ, ଯଜ୍ଞବେଦୀ ଓ ତା’ର ସନ୍ନିକଟ ସ୍ଥାନ ନୃସିଂହ କ୍ଷେତ୍ର ରୂପେ ବିଦିତ। ଆଡ଼ପ ମଣ୍ଡପ ନୃସିଂହ କ୍ଷେତ୍ରର ପରିସରଭୁକ୍ତ। ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମଣ୍ଡପ ଚତୁର୍ଦ୍ଧା ବିଗ୍ରହଙ୍କର ପ୍ରଥମ ଅଧିଷ୍ଠାନ ସ୍ଥଳ। ଗୁଣ୍ଡିଚା ମନ୍ଦିର କାହିଁକି ‘ଆଡ଼ପ ମଣ୍ଡପ’, ତାହାର ରହିଛି ଭିନ୍ନ ଭିନ୍ନ ମତ। ଅନ୍ୟ ଏକ ମତ ହେଉଛି- ଆଡ଼ପର ଅର୍ଥ ଅନ୍ତୁଡ଼ିଶାଳ। ଏହା ଚତୁର୍ଦ୍ଧାବିଗ୍ରହଙ୍କର ଅନ୍ତୁଡ଼ିଶାଳ ହୋଇଥିବାରୁ ଏହା ଆଡ଼ପ ମଣ୍ଡପ।

ଏହି ମଣ୍ଡପର ମାହାତ୍ମ୍ୟ ଓ ପବିତ୍ରତା ସଂପର୍କରେ ‘ସ୍କନ୍ଦପୁରାଣ-ଉତ୍କଳ ଖଣ୍ଡ’ ଅନ୍ତର୍ଗତ ‘ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ୨୯ ଅଧ୍ୟାୟରେ ବର୍ଣ୍ଣନା ରହିଛି। ଏପରିକି ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପ ପ୍ରଭୁଙ୍କ ପାଇଁ ପୃଥିବୀର ସବୁଠାରୁ ପ୍ରୀତିପ୍ରଦ ସ୍ଥାନ ବୋଲି ସେଥିରେ ଉଲ୍ଲେଖ ଅଛି। ୩୪-୩୫ ଶ୍ଳୋକରେ ମହାପ୍ରଭୁ ନିଜେ କହିଛନ୍ତି-

“ଗୁଣ୍ଡିଚା ମଣ୍ଡପଂ ନାମ ଯତ୍ରାହମଜନଂ ପୁରା … ତସ୍ୟାଃ ପୁଣ୍ୟତମଂ ସ୍ଥାନଂ ପୃଥିବ୍ୟାଂ ନେହ ବିଦ୍ୟତେ।”

ଅର୍ଥାତ୍‌, ଗୁଣ୍ଡିଚା ମଣ୍ଡପ ହେଉଛି ସେହି ସ୍ଥାନ, ଯେଉଁଠାରେ ମୁଁ ପୂର୍ବେ ଆବିର୍ଭୂତ ହୋଇଥିଲି। ପୃଥିବୀରେ ସେହି ସ୍ଥାନ ଅପେକ୍ଷା ପବିତ୍ରତମ ସ୍ଥାନ ଆଉ ନାହିଁ।” ଗବେଷକମାନଙ୍କ ମତାନୁଯାୟୀ କାଳକ୍ରମେ କାଷ୍ଠ ମଣ୍ଡପର ରକ୍ଷଣାବେକ୍ଷଣ ଓ ସୁରକ୍ଷା ନିମନ୍ତେ ସେଠାରେ ଏକ କାଷ୍ଠ ନିର୍ମିତ କୁଟୀର ନିର୍ମିତ ହୋଇଥିଲା। ତାହାକୁ ଗୁଣ୍ଡିଚା ଘର କୁହାଗଲା। ପରବର୍ତ୍ତୀ କାଳରେ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ ସମୟରେ ଯେଉଁ ପରିଦୃଶ୍ୟମାନ ପୀଢ଼ ଶୈଳୀର ମନ୍ଦିର ନିର୍ମିତ ହୋଇଛି ତାହା ଗୁଣ୍ଡିଚା ମନ୍ଦିର ବା ଗୁଣ୍ଡିଚାମଣ୍ଡପ ନାମରେ ଅଭିହିତ ହୋଇଛି। ତେଣୁ ଗୁଣ୍ଡିଚା ମଣ୍ଡପ ବା ଆଡ଼ପମଣ୍ଡପ, ଗୁଣ୍ଡିଚା ଘର ବା ଗୁଣ୍ଡିଚା ମନ୍ଦିର ଏକ ସ୍ଥାନ ଓ ଏକ ଅର୍ଥବୋଧକ।

ପବିତ୍ର ଘୋଷଯାତ୍ରା ଅବସରରେ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହବ୍ୟାପୀ ଅବସ୍ଥାନ କରିଥାନ୍ତି, ତାହା ‘ଆଡ଼ପ ମଣ୍ଡପ’ ନାମରେ ଅଭିହିତ। କିନ୍ତୁ ‘ନୀଳାଦ୍ରି ମହୋଦୟ’ରେ ଏହି ସ୍ଥାନକୁ ‘ଯଜ୍ଞବେଦୀ’ ଏବଂ ସ୍କନ୍ଦପୁରାଣରେ ‘ମହାବେଦୀ’ ବୋଲି ଉଲ୍ଲେଖ କରାଯାଇଛି। ପରବର୍ତ୍ତୀ କାଳରେ ଏହି ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସାଟୋପ ଅର୍ଥାତ୍ ଆଡ଼ମ୍ବରପୂର୍ଣ୍ଣ ସ୍ଥିତି ଦେଖି, ଏହି ମଣ୍ଡପକୁ ‘ଆଡ଼ପ ମଣ୍ଡପ’ କୁହାଯାଇଛି।

ନୀଳାଦ୍ରୀ ମହୋଦୟ’ର ବର୍ଣ୍ଣନା ପ୍ରକାରେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ସାବଧାନ ଭାବେ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ, ସେହି ଫଳ ଯଜ୍ଞ ବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ। ବିଶେଷତଃ ଏକ ଦିନର ରାତ୍ରିକାଳୀନ ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ।

Comments are closed.